• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଜିକାଲି କର୍ମମୟ ଜୀବନ ଯୋଗୁଁ ସମସ୍ତେ ଷ୍ଟ୍ରେସରେ ରହୁଛନ୍ତି। କେହି କେହି ନିଃସଙ୍ଗ ଜୀବନ ଜୀଉଥିବାରୁ ଅନେକ ସମୟରେ ମାନସିକଚାପରେ ରହୁଥିବା ଦେଖାଯାଏ। ତେବେ ପେଣ୍ଟିଂ ଏ ସବୁରୁ ମୁକ୍ତି ଦେବ। ଏହା ଜରୁରୀ ନୁହେଁ ଯେ ସୃଜନାତ୍ମକ ହେବା ନେଇ ଦକ୍ଷ ଚିତ୍ରକର ବନିବା। ଆପଣ ଚାହିଁବେ ଯଦି କିଛି ନ ଶିଖି ଏମିତି ରଙ୍ଗରେ ବା ପେନସିଲରେ କିଛି ବି ନୂଆ କରିବାରେ ଚେଷ୍ଟା କରିପାରିବେ। ଏଭଳି ଚେଷ୍ଟା ଆପଣଙ୍କୁ ବହୁତ ଖୁସି ଦେବା ସହ ଆପଣ କୌଣସି ବି ପରିସ୍ଥିତିରେ ନିଜକୁ ଉର୍ଜାବାନ ଅନୁଭବ କରିପାରିବେ। ଦି ସାଇନ୍ସ ଟାଇମ୍ ଅନୁସାରେ ଯେକୌଣସି ବି କଳା ମଣିଷକୁ ସକାରାତ୍ମକ ଉର୍ଜାରେ ଭରିରଖେ। ବର୍ତ୍ତମାନ କରୋନା ପରିସ୍ଥିତିରେ ଏଭଳି ଅନେକ ଉଦାହରଣ ସାମ୍ନାକୁ ଆସିଛି, ଯେଉଁଠି କଳାର ସହଯୋଗରେ ଲୋକେ ଅନେକ ନକାରାତ୍ମକ ମାହୋଲରୁ ରକ୍ଷା ପାଇପାରିଛନ୍ତି ଏବଂ ପରିବାର ସହ ସୁସ୍ଥ ଜୀବନ ଜୀଉଛନ୍ତି।

କରୋନା ସମୟରେ ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନଙ୍କ ଘରର ସଦସ୍ୟମାନେ ଭିନ୍ନ ଭିନ୍ନ ସହରେ ରହୁଛନ୍ତି। ନିଃସଙ୍ଗ ଜୀବନ ଓ କରୋନା ଭଳି ମାରାତ୍ମକ ରୋଗ ଲୋକଙ୍କ ମାନସିକ କ୍ଷେତ୍ରରେ ଅଧିକ ପ୍ରଭାବ ପକାଉଛି । ଅଫିସ କାମ ଓ ଅନ୍ୟାନ୍ୟ ବ୍ୟସ୍ତତା ଯୋଗୁଁ ପରିବାରର ପିଲା ଓ ବୟସ୍କମାନେ ଅଧିକ ଏକେଲାପଣ ଅନୁଭବ କରୁଛନ୍ତି। ଏଭଳି ପରିସ୍ଥିତିରେ ପେଣ୍ଟିଂ ହିଁ ସେମାନଙ୍କ ଅବସାଦ ମେଣ୍ଟେଇ ପାରିବ। ଏହି ମାଧ୍ୟମରେ ସେମାନେ ନିଜର ଭାବନାକୁ ଚିତ୍ରିତ କରି ମନକୁ ହାଲୁକା କରିପାରିବେ।

ଆମେରିକା ଆର୍ଟ ଥେରାପି ଆସୋସିଏସନ ଏହାକୁ ସ୍ଵୀକାର କରି ପେଣ୍ଟିଂ, ଡ୍ରଇଂ, ଡ୍ୟାନ୍ସ ଆଦି ସର୍ଜନାତ୍ମକ ଉପାୟ ମାଧ୍ୟମରେ ଲୋକେ ନିଜର ଭାବନାକୁ ଭଲ ଭାବେ ଅଭିବ୍ୟକ୍ତ କରି ଏକ ସୁସ୍ଥ ଜୀବନ ଜୀଉଥିବା କହିଛି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେଉଁମାନେ ନିଜକୁ ସୃଜନାତ୍ମକ କ୍ଷେତ୍ରରେ ଜଡିତ ରଖିଛନ୍ତି ସେମାନଙ୍କର ଷ୍ଟ୍ରେସ୍ ହର୍ମୋନ କ୍ଷରଣ ହେବା ବଦଳରେ ହେପୀ ହର୍ମୋନ କ୍ଷରଣ ହେଉଛି। ଫଳରେ ଏହା ସବୁ ପରିସ୍ଥିତିରେ ସେମାନଙ୍କୁ ସକାରାତ୍ମକ ରଖିବାରେ ସହଯୋଗ କରୁଛି।

ଟେସେରା ବ୍ରାଣ୍ଡନଙ୍କ ମତରେ ପେଣ୍ଟିଂ ଆମ ମସ୍ତିଷ୍କକୁ ତୀକ୍ଷ୍ଣ କରିଥାଏ। ଫଳରେ ଆମେ ସବୁ ଜିନିଷକୁ ଠିକଭାବେ ଜାଣି ସେସବୁକୁ ଉଚିତ କ୍ଷେତ୍ରରେ ପ୍ରଯୋଗ ମଧ୍ୟ କରିପାରୁ। ଖାଲି ଏତିକି ନୁହେଁ, ଏହା ମଧ୍ୟ ମେମୋରୀ ବୁଷ୍ଟିଂ କରେ। ଯେଉଁମାନେ ସର୍ଜନାତ୍ମକ କ୍ଷେତ୍ରରେ ନିଜକୁ ଜଡ଼ିତ ରଖିଥାନ୍ତି ସେମାନଙ୍କ ବୟସ ହେଲେ ମଧ୍ୟ ଭୁଲାପଣ ସମସ୍ୟା ଆସେନି।

ଅନଲାଇନ ପାଠ ପଢା କାରଣରୁ ଯଦି ଆପଣଙ୍କ ପିଲା ଠିକରେ ଫୋକସ୍ କରିପାରୁନି ତେବେ ଏହାର ମଧ୍ୟ ସମାଧାନ ପେଣ୍ଟିଂ ବା ଅନ୍ୟାନ୍ୟ ଯେକୌଣସି ସୃଜନାତ୍ମକ କଳା ମାଧ୍ୟମରେ ହୋଇପାରିବ। ଦ ସାଇନ୍ସ ଟାଇମ୍ ଅନୁସାରେ, ଯେଉଁମାନେ ମ୍ୟୁଜିକ ବା ଆର୍ଟ ଆଦିରେ ଜଡିତ ଅଛନ୍ତି ସେମାନଙ୍କ ମସ୍ତିକ ଅଧିକ ସ୍ଥିର ରହୁଛି। ଖାଲି ଏତିକି ନୁହେଁ ଆର୍ଟରେ ଜଡିତ ପିଲାମାନେ ଗଣିତ, ବିଜ୍ଞାନ ଆଦିକୁ ବୁଝିବାରେ ସହଜ ହୋଇଯାଉଛି।