• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର( ବିମଳ ବେହେରା):  ଆଜିକାଲି ଆମେ ଯେଉଁ ଖାଦ୍ୟ ଖାଉଛୁ ତାହା ପାଟିକୁ ସୁଆଦିଆ ଲାଗୁଛି ଓ ପେଟ ପୂରୁଛି ସତ । କିନ୍ତ ଶରୀରକୁ ଆବଶ୍ୟକ ଭିଟାମିନ୍ ଓ ମିନେରାଲ ମିଳିପାରୁ ନାହିଁ । ତେଣୁ ଆମର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ଆମ ପ୍ରତିଦିନ ନୂଆ ନୂଆ ରୋଗର ଶିକାର ହୋଇ ଚାଲିଛୁ । ଆମ ହାତ ପାହାନ୍ତାରେ ଏଭଳି ଖାଦ୍ୟ ଅଛି ଯାହା ଖାଇଲେ ଆମ ଶରୀରର ଭିଟାମିନ୍ ଅଭାବ ଦୂର ହୋଇପାରିବ । ତାହା ହେଉଛି ଗଜାମୁଗ । ଆଜିକାଲି ବଜାରରେ ମିଳୁଥିବା ଫାଷ୍ଟ ଫୁଡ ଓ ଟିଫିନ ଅପେକ୍ଷା ଏହା ଶହ ଶହ ଗୁଣ ଭଲ I ଗଜାମୁଗ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ପ୍ରୋଟିନ୍‌, ମିନେରାଲ ଓ ଭିଟାମିନ୍‌ ଭରପୂର ହୋଇ ରହିଥାଏ। ପ୍ରତିଦିନ ମର୍ଣ୍ଣିଂୱାକ୍‌ ବା ବ୍ୟାୟାମ ସାରି ଏହାକୁ ଖାଇଲେ ଫାଇଦା ମିଳିଥାଏ।

ଆସନ୍ତୁ ଜାଣିବା ଗଜାମୁଗ ଖାଇଲେ କ’ଣ ଉପକାର ମିଳିଥାଏ।
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ

ଗଜାମୁଗ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ I ଗଜାମୁଗରେ ଭିଟାମିନ B, ଭିଟାମିନ୍ C,  ଭିଟାମିନ K, ଭିଟାମିନ୍ B -  6, ମାଗ୍ନେସିଅମ, କପର, ଫାଇବର ଥାଏ I ଏହ ସବୁ ଭିଟାମିନ୍ ଯୋଗୁଁ ଆମ ଶରୀରରେ ପ୍ରତିଦିନ ନୂଆ ନୂଆ ରକ୍ତକୋଷ ସୃଷ୍ଟି ହୋଇଥାଏ। ଆୟୁର୍ବେଦ ମତରେ ଏହା ଏକ ନିୟନ୍ତ୍ରିତ ଖାଦ୍ୟ । ଏହା ଖାଇବା ଦ୍ୱାରା ଶରୀରର ସମସ୍ତ ପୋଷକ ତତ୍ତ୍ୱର ଅଭାବ ଦୂର କରିଥାଏ । ଦୈନନ୍ଦିନ ଖାଦ୍ୟରେ ଯେଉଁ ଅଭାବ ଥାଏ ତାହା ଗଜାମୁଗ ଦ୍ୱାରା ପୂରଣ ହୁଏ । ଶାରୀରିକ ବିକାଶ ଠିକ୍ ହେଉ ନ ଥିବା ଛୋଟ ଛୋଟ ପିଲାମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ।

ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ

ଗଜାମୁଗରେ ଭିଟାମିନ K ଥାଏ I ଭିଟାମିନ K ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଉପାଦାନ I ଭିଟାମିନ K ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ । ଯାହା ଫଳରେ ଯେ କୌଣସି ପ୍ରକାର ଦୁର୍ଘଟଣା ବା ଆଘାତ ଜନିତ ରକ୍ତସ୍ରାବ ସହଜରେ ବନ୍ଦ ହୋଇଥାଏ। ଏକ କପ ଗଜାମୁଗରେ 34 ମାଇକ୍ରୋଗ୍ରାମ ଭିଟାମିନ K ଥାଏ । ଭିଟାମିନ K ଅସ୍ଥି ଗଠନରେ ସହାୟକ ହୋଇଥାଏ ।

ରକ୍ତ ଚାପ ନିୟନ୍ତ୍ରିତ କରିବାରେ ସହାୟକ

ଗଜାମୁଗରେ ପେପ୍‌ଟିସାଇଡ ଥାଏ ।  ପେପ୍‌ଟିସାଇଡ ଆମ ଶରୀରର ରକ୍ତ ଚାପ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ ।

କୋଷ୍ଠକାଠିନ୍ୟ ଦୂର ହୁଏ

ଗଜାମୁଗ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୁଏ । ଗଜାମୁଗରେ ଫାଇବର ରହୁଥିବାରୁ ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ମୁଗ ଗଜା ହୋଇଗଲା ପରେ ଏଥିରେ ଥିବା ଶର୍କରା ଗ୍ଲୁକୋଜକୁ ଓ ଫ୍ରୁକଟୋଜ ମଲଟୋଜକୁ ରୂପାନ୍ତରିତ ହୋଇଥାଏ I ଯାହା ଫଳରେ ଗଜା ମୁଗ ସ୍ଵାଦିଷ୍ଟ ଓ ସ୍ୱାସ୍ଥ୍ୟପ୍ରଦ ହୋଇଥାଏI

ଅକାଳରେ ବାଳ ଝଡ଼ିବା ବନ୍ଦ ହୋଇଥାଏ

ଅକାଳରେ ବାଳ ଝଡ଼ିବା ଆଜି ଯୁବଗୋଷ୍ଠୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରତିଦିନ ଗଜା ମୁଗ ଖାଇବା ଦ୍ୱାରା ଅକାଳରେ ବାଳ ଝଡ଼ିବା କମିଯାଏ। ଗଜାମୁଗରେ ଭିଟାମିନ୍ ସି ରହୁଥିବାରୁ ବାଳ ମୂଳରୁ ମଜବୁତ୍ ହୁଏ ଏହା  ଦ୍ୱାରା ଝଡ଼ିବା ବନ୍ଦ ହୁଏ । ପ୍ରତିଦନ ଗଜାମୁଗ ଖାଉଥିବା ବ୍ୟକ୍ତିଙ୍କର ପ୍ରାୟ  ତ୍ୱଚାର ଔଜଲ୍ଲ୍ୟ ବୃଦ୍ଧି ପାଏ ଓ ଚର୍ମ ରୋଗ ମଧ୍ୟ ହୁଏ ନାହିଁ ।

ଗଜାମୁଗ କେମିତି ତିଆରି କରିବେ?

ଗଜାମୁଗ ପ୍ରସ୍ତୁତ କରିବା ଅତି ସହଜ । ଏହାକୁ ୬ରୁ ୮ ଘଣ୍ଟା ପାଣିରେ ଭିଜାଇ ଦିଅନ୍ତୁ । ତାହା ପରେ ଛାଣି ଏକ କପଡ଼ାରେ ବାନ୍ଧି ଦିଅନ୍ତୁ ବା ଏୟାରଟାଇଟ୍‌ ଜାର୍‌ରେ ରଖି ଦିଅନ୍ତୁ। ଦୁଇ ତିନି ଘଣ୍ଟା ମଧ୍ୟରେ ମୁଗ ଗଜା ହୋଇଯିବ। ଆଜିକାଲି ବଜାରରେ ଗଜାମୁଗ ମଧ୍ୟ ବିକ୍ରି ହେଲାଣି । ସକାଳୁ ଫାଷ୍ଟ ଫୁଡ୍ ଖାଇ ରୋଗ କିଣିବା ଅପେକ୍ଷା ଏହାକୁ ଖାଇବା ଶ୍ରେୟସ୍କର ।