• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଏବେ ଶୀତ ଦିନ ସରିଯାଇଛି। ଆଉ ଧିରେ ଧିରେ ଖରାର ପ୍ରକୋପ ବଢ଼ିବାରେ ଲାଗିଲାଣି। ସୂର୍ଯ୍ୟଙ୍କ ଅଧିକ ଉତ୍ତାପ ଯୋଗୁ ଆମର ଅନେକ ଶାରୀରିକ ସମସ୍ୟା ଦେଖାଦେଇଥାଏ। ତେଣୁ ଆଗରୁ ଆପଣ ଏହି କିଛି ବିଷୟ ଉପରେ ଧ୍ୟାନ ଦେବା ସହ ସତର୍କ ରହିଲେ ସମସ୍ୟାକୁ ଏଡ଼ାଇବା ସହ ସୁସ୍ଥ ରହିପାରିବେ।

ଆସନ୍ତୁ ଜାଣିବା କିଛି ସ୍ୱାସ୍ଥ୍ୟ ଉପଯୋଗୀ ଟିପ୍ସ

ଖରାଦିନେ କେତେ ପାଣି ପିଇବା ଆବଶ୍ୟକ

ଖରାଦିନେ ଡିହାଇଡ୍ରେସନ୍‌ ସମସ୍ୟା ଦେଖାଦେଇଥାଏ। ଶରୀରରେ ପାଣିର ପରିମାଣ କମ୍‌ ହେଲେ ଡିହାଇଡ୍ରେସନ୍‌ର ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ପ୍ରତିଦିନ ଜଣେ ସାଧାରଣ ବ୍ୟକ୍ତିକୁ ୨ ଲିଟର ପାଣି ପିଇବା ଆବଶ୍ୟକ। କମ୍‌ ବା ଖରାଦିନ ବୋଲି ଅଧିକା ପାଣି ପିଇବା ମଧ୍ୟ ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

ଖରାଦିନେ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ  

  • ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।
  • ପ୍ରଚୁର ପାଣି ଥିବା ଖାଦ୍ୟ ଖାଆନ୍ତୁ। ଯେପରିକି ଦହି, କାକୁଡ଼ି, ତରଭୁଜ, ପଇଡ଼, ଅଙ୍ଗୁର, ଟମାଟୋ, ଗାଜର, ବିଭିନ୍ନ ପ୍ରକାର ଜୁସ୍‌ ଇତ୍ୟାଦି।
  • ଭଟାମିନ୍‌ A ଏବଂ ଭଟାମିନ୍‌ C ଯୁକ୍ତ ଖାଦ୍ୟ ଖାଆନ୍ତୁ।
  • ରାତିରେ ଗରିଷ୍ଠ ଖାଦ୍ୟ ନ ଖାଇ ସାଲାଡ୍‌, ଫଳ ଇତ୍ୟାଦି ଖାଆନ୍ତୁ। ରାତି ୮ଟାରୁ ୯ଟା ଭିତରେ ଖାଇବା କାମ ସାରି ଦିଅନ୍ତୁ।
  • ଏପରି ଜିନିଷ ଖାଆନ୍ତୁ ନାହିଁ ଯାହା ସହଜରେ ହଜମ ହେବ ନାହିଁ।
  • ଲୁଣ କମ୍‌ ଖାଆନ୍ତୁ।
  • ଚା’, କଫି ଇତ୍ୟାଦି ପିଇବା କମ୍‌ କରନ୍ତୁ।
  • ଆମିଷ କମ୍ ଖାଆନ୍ତୁ କାରଣ ଏହା ହଜମ ହେବା ପାଇଁ ଅଧିକ ସମୟ ନେଇଥାଏ।

ଶରୀର ସୁସ୍ଥ ପାଇଁ ବ୍ୟାୟାମ କରନ୍ତୁ 

ନିଜକୁ ସୁସ୍ଥ ରଖିବା ପାଇଁ ଆପଣ ସକାଳେ ମଧ୍ୟ ବ୍ୟାୟାମ, ଯୋଗ ଇତ୍ୟାଦି କରିପାରିବେ। ସକାଳ ସମୟରେ ବାହାର ପବନ ଆମ ଦେହ ପାଇଁ ଭଲ ହୋଇଥାଏ। ତେଣୁ ଖରାଦିନେ ସନ୍ଧ୍ୟା ସମୟ ଅପେକ୍ଷା ସକାଳେ ୱାର୍କ କରିବା ଭଲ।

ଖରାଦିନେ ଆଖିର ଯତ୍ନ 

ଖରାଦିନେ ଆଖିର ଅଧିକ ଧ୍ୟାନ ରଖିବା ଅବଶ୍ୟକ। କାରଣ ଖରାରେ ଯିବା ଆସିବା କଲା ବେଳେ ଆଖି ଉପରେ ଖରାର ସିଧାସଳଖ ପ୍ରଭାବ ପଡ଼ିଥାଏ। ତେଣୁ ବାହାରକୁ ଗଲା ବେଳେ କଳା ଚଷମା ବ୍ୟବହାର କରନ୍ତୁ। ଦିନରେ ୪ରୁ ୫ଥର ଅଥବା ତା’ ଠାରୁ ଅଧିକ ଥର ମଧ୍ୟ ଥଣ୍ଡା ପାଣିରେ ଆଖି ଧୋଇ ପାରିବେ।

ଦିନ ସାରା କାର୍ଯ୍ୟ ବ୍ୟସ୍ତତା ପରେ ସନ୍ଧ୍ୟାରେ ଘରକୁ ଆସି ଆଖିକୁ ଥଣ୍ଡା ପାଣିରେ ଧୋଇ କାକୁଡ଼ି କିମ୍ବା ଟମାଟୋ ଗୋଲ କରି କାଟି ଆଖି ଉପରେ ରଖନ୍ତୁ। ଏହା ଦ୍ୱାରା ଆଖିକୁ ଆରାମ ମିଳିଥାଏ।

ଖରାଦିନେ ତ୍ୱଚାର ଯତ୍ନ

ଖରାଦିନେ ତ୍ୱଚା ଶୁଷ୍କ ହୋଇଯାଏ। ତେଣୁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଲୋସନ୍‌ ଇତ୍ୟାଦିକୁ ବ୍ୟବହାର ନ କରି ଘରେ ଥିବା ଜିନିଷ ଆପଣ ବ୍ୟବହାର କରିପାରିବେ। ବଜାରରେ ମିଳୁଥିବା ସନ୍‌ସ୍କ୍ରିନ୍‌ ଲୋସନ୍‌ ଇତ୍ୟାଦି ବ୍ୟବହାର ନକରି ଘରେ ଆପଣ ଗୋଲାପ ଜଳ ବ୍ୟବହାର କରିପାରିବେ।

ଏହାସହ ଆପଣ ଚନ୍ଦନ ମଧ୍ୟ ବ୍ୟବହାର କରିପାରିବେ। ଏହା ତ୍ୱଚାକୁ ଥଣ୍ଡା ରଖିବ। ଏହାକୁ ଆପଣ ମୁହଁରେ ଲଗାଇଲେ ତ୍ୱଚା ଉଜ୍ଜ୍ୱଳ ଦେ‌ଖାଯିବା ସହ ଘିମିରି ମଧ୍ୟ ହେବନାହିଁ। ଚନ୍ଦନ ଭଳି ମୁଲତାନି ମାଟି ମଧ୍ୟ ଆପଣ ବ୍ୟବହାର କରି ତ୍ୱଚାକୁ ଥଣ୍ଡା ରଖିପାରିବେ। କାକୁଡ଼ିକୁ ଗୋଲ କରି କାଟି ମୁହଁରେ ରଖିଲେ ଏହା ମଧ୍ୟ ଆପଣଙ୍କୁ ଥଣ୍ଡା ଦେବ।

ଯଦି ଅଧିକ ସମୟ ଆପଣ ବାହାରେ ରହିବାରୁ ତ୍ୱଚା କଳା ପଡ଼ି ଯାଇଛି, ତାହାଲେ ଆପଣ ଆଲୋବେରା ବା ଘିକୁଆଁରୀ ମାଲିସ୍‌ କରନ୍ତୁ। ଏହା ମଧ୍ୟ ଆପଣଙ୍କ ତ୍ୱଚାକୁ ଥଣ୍ଡା ରଖିବ।

ଛୋଟ ପିଲାଙ୍କର ବିଶେଷ ଧ୍ୟାନ ନିଅନ୍ତୁ 

ଖରାଦିନେ ଛୋଟ ପିଲାଙ୍କ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ସେମାନଙ୍କୁ ଖରାରେ ବାହାରକୁ ଖେଳିବାକୁ ଛାଡ଼ନ୍ତୁ ନାହିଁ। ଏପରିକି ସେମାନଙ୍କୁ ବାହାର ଖାଦ୍ୟ ବା ମସଲା ଯୁକ୍ତ ଖାଦ୍ୟ ଖାଇବାକୁ ମଧ୍ୟ ଦିଅନ୍ତୁ ନାହିଁ। ବାହାରକୁ ଗଲା ବେଳେ ଦେହ ପୂରା ଢାଙ୍କି ହେଲା ଭଳି ପୋଷାକ ଓ ଆଖିରେ ଚଷମା ପିନ୍ଧାନ୍ତୁ।

ଉପରୋକ୍ତ ବିଷୟ ଉପରେ ଧ୍ୟାନ ଦେଲେ ଆପଣ ଖରା ଦାଉରୁ ରକ୍ଷା ପାଇବା ସହ ସୁସ୍ଥ ରହିପାରିବେ।