• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭାରତରେ ସାଧାରଣତଃ ସବୁରାଜ୍ୟରେ ବୋଇତି କଖାରୁ ଚାଷ ହୋଇଥାଏ। ସମସ୍ତେ ଏହି ପରିବାକୁ ମଧ୍ୟ ନିଜ ଖାଇବାରେ ସାମିଲ୍‌ କରିଥାନ୍ତି। ଏହି ପରିବାରୁ ବହୁତ ମଞ୍ଜି ବାହାରୁଥିଲେ ମଧ୍ୟ ଏହାକୁ କେହି କିଛି କାମରେ ନଲଗାଇ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଏହି ମଞ୍ଜିରେ ଯେ ଏତେ ଉପକାରୀ ଗୁଣ ରହିଛି ତାହା ହୁଏତ ବହୁତ କମ୍‌ ଲୋକ ଜାଣିଥିବେ।

କୋଲେଷ୍ଟ୍ରଲ୍‌ କମ୍‌ କରେ

ବୋଇତି କଖାରୁ ମଞ୍ଜି ନିୟମିତ ଖାଇବା ଦ୍ୱାରା ଲାଇପୋପ୍ରୋଟିନ୍‌ (ଖରାପ କୋଲେଷ୍ଟ୍ରଲ୍‌)ର ସ୍ତର କମ୍‌ ହୁଏ। ଲାଇପୋପ୍ରୋଟିନ୍‌ ଅଧିକ ହେଲେ ହାର୍ଟ୍‌ ଷ୍ଟ୍ରୋକ୍‌ର ଆଶଙ୍କା ବଢ଼ିଯାଏ। ଆଜିକାଲି ହାଟ୍‌ଷ୍ଟ୍ରୋକ୍‌ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଏହି ଖାଦ୍ୟର ଚାହିଦା ମଧ୍ୟ ବଢ଼ିଛି।

ଏଥିରେ ମ୍ୟାଗ୍ନେସିୟମ ରହିଥାଏ। ଯାହାକି ହୃଦୟକୁ ସୁସ୍ଥ ରଖିବା ସହିତ ଠିକ୍‌ ଭାବରେ ରକ୍ତ ସଞ୍ଚାଳନ କରିଥାଏ। ଏହା ବ୍ୟତୀତ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରି ଷ୍ଟ୍ରୋକ୍‌ ହେବାର ଆଶଙ୍କା ହ୍ରାସ କରିଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଓ ଫାଇବର ମଧ୍ୟ ହାର୍ଟ ଆଟାର୍କର ଭୟ ଦୂର କରିଥାଏ।

ଡାଏବିଟିସ୍‌ ରୋଗୀଙ୍କ ପାଇଁ ଫଳପ୍ରଦ

ଏଥିରେ ମ୍ୟାଗ୍ନେସିୟମ୍‌ ଅଧିକ ମାତ୍ରାରେ ରହିଥିବାରୁ ଟାଇପ୍‌ ଟୁ’ ଡାଏବେଟିସ୍‌ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ। ଏହାକୁ ନିୟମିତ ସେବନ କରିବା ଦ୍ୱାରା ଶରୀରର ଶର୍କରାସ୍ତର ନିୟନ୍ତ୍ରିତ ହେବ ସହିତ ଇନ୍‌ସୁଲିନ୍‌ ସୃଷ୍ଟିରେ ସହାୟକ ହୋଇଥାଏ। ପ୍ରତ୍ୟେକ ଦିନ ୧ ଚାମଚ ଭଜା ମଞ୍ଜି ଖାଇବା ଫଳପ୍ରଦ ହୋଇଥାଏ।

ଗଣ୍ଠିବିନ୍ଧାରୁ ମୁକ୍ତି

ବୋଇତି କଖାରୁ ମଞ୍ଜି ଓ ତେଲରେ ଆଣ୍ଟି-ଇନ୍‌ଫ୍ଲାମେଟାରି ଗୁଣ ରହିଛି। ଯାହାକି ଗଣ୍ଠିରୋଗ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। କୌଣସି ପୁରୁଣା ଗଣ୍ଠିରୋଗ ହେଉ ଅବା ଗଣ୍ଠି ବିନ୍ଧା ହେଉଥିଲେ ଏହାର ତେଲକୁ ଦୁଇ ଥର ମାଲିସ୍‌ କରିବା ଫଳରେ ସେଥିରୁ ମୁକ୍ତି ମିଳିଥାଏ। ଗଣ୍ଠିବିନ୍ଧା ରୋଗରେ ପୀଡ଼ିତ ଥିବା ଲୋକ ଏହାକୁ ନିୟମିତ ଖାଦ୍ୟରେ ସାମିଲ୍ କଲେ ଫାଇଦା ମିଳିଥାଏ।

ଜୀବାଣୁ ମୁକ୍ତ କରିଥାଏ

ବୋଇତି କଖାରୁରେ ଆଣ୍ଟି ପାରାସିଟିକ୍‌ ଗୁଣ ରହିଥାଏ। ଯିଏକି ଟେପ୍‌ୱାର୍ମ ଏବଂ ପିନ୍‌ୱାର୍ମ ଭଳି ମାରାତ୍ମକ ଜୀବାଣୁଠାରୁ ଶରୀରକୁ ସହାୟକ ହୋଇଥାଏ। ବାସ୍ତବରେ ଏହା ଜୀବାଣୁକୁ ମାରିନଥାଏ ଏହା ସେମାନଙ୍କୁ ଶକ୍ତିହୀନ କରିଦିଏ।

ସୁନିଦ୍ରା

ବୋଇତି କଖାରୁ ମଞ୍ଜିରେ ଆମିନୋ ଏସିଡ୍‌ ରହିଥାଏ। ଯାହାକି ଆମକୁ ନିଦ ହେବାରେ ସହାୟକ ହୋଇଥାଏ। ସୁନିଦ୍ରା ପାଇଁ ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ୧ଗ୍ଲାସ୍‌ କ୍ଷୀରରେ ୧ ଚାମଚ ବୋଇତି କଖାରୁ ମଞ୍ଜିର ଗୁଣ୍ଡକୁ ଗୋଳାଇ ପିଅନ୍ତୁ।

ସ୍ମରଣ ଶକ୍ତି ବଢ଼ାଏ

କଖାରୁ ମଂଜିରେ ଥିବା ଉପାଦେୟ ତତ୍ତ୍ୱ ସ୍ମରଣ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ। ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍‌ ଓ ଜିଙ୍କ୍‌ ମସ୍ତିଷ୍କର ବିକାଶରେ ସହାୟକ ହୋଇ ଥାଏ।

ତେବେ କଖାରୁ ମଂଜିର ମାତ୍ରା ଅଧିକ ହେଲେ ବଦହଜମୀ ସମ୍ଭାବନା ସୃଷ୍ଟି ହୁଏ । ଏହି ଖାଦ୍ୟରେ ପ୍ରଚୁର ଭିଟାମିନ୍ ଓ ମିନେରାଲ୍‌ସ ରହିଥିବାରୁ ଏହାକୁ ଏକାବେଳେକ ଅଧିକ ନ ଖାଇ ମାତ୍ରା କମ୍‌ କରି ଦୁଇ ଥର ଖାଇବା ଭଲ।

(ତଥ୍ୟ ସଂଗ୍ରହ: ପ୍ରଦୀପ ଭାରତୀ)