ବିନା ଅଣ୍ଡାରେ ତିଆରି କରନ୍ତୁ ବ୍ରେଡ୍‌ ଅମ୍‌ଲେଟ୍‌

ସକାଳ ଜଳଖିଆରେ ହେଉ ବା ପିଲାଙ୍କ ଟିଫିନ୍‌ ପାଇଁ ସବୁବେଳେ ଆମେ ସୁସ୍ଥ ଓ ଅଳ୍ପ ସମୟ ମଧ୍ୟରେ ହୋଇପାରୁଥିବା ଖାଦ୍ୟ ପସନ୍ଦ କରିଥାଉ। ସେଥିପାଇଁ ବ୍ରେଡ୍‌କୁ ଆମେ ଏକ ସ୍ୱ୍ୟାସ୍ଥ୍ୟକର ଖାଦ୍ୟ ଭାବେ ଖାଇଥାଉ। ଅଧିକାଂଶ ଲୋକ ବ୍ରେଡ୍‌ ସହ ଜାମ୍‌ କିମ୍ବା ବଟର୍‌ ଲଗାଇ ଏହାକୁ ଖାଇଥାନ୍ତି।

ଏହି ବ୍ରେଡ୍‌କୁ ଆହୁରି ସୁସ୍ୱାଦୁ କରିବା ପାଇଁ ପ୍ରସ୍ତୁତ କରନ୍ତୁ ବିନା ଅଣ୍ଡାରେ ବ୍ରେଡ୍‌ ଅମ୍‌ଲେଟ୍‌। ଯାହା ଖାଲି କମ୍‌ ସମୟରେ ହୋଇନଥାଏ ସୁସ୍ୱାଦୁ ମଧ୍ୟ ହୋଇଥାଏ।

ଆବଶ୍ୟକୀୟ ସାମଗ୍ରୀ– ବ୍ରେଡ୍‌, ବେସନ, ମଇଦା, ଲଙ୍କାଗୁଣ୍ଡ, ଲୁଣ, ଛୋଟ ଛୋଟ କଟା ହୋଇଥିବା ପିଆଜ, କଞ୍ଚାଲଙ୍କା, ଧନିଆ ପତ୍ର, ବେକିଙ୍ଗ୍‌ ପାଉଡର, ବ୍ରେଡ୍‌ ସ୍ଲାଇସେସ୍‌, ବଟର୍‌।

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ବେସନ, ମଇଦା, ଲଙ୍କାଗୁଣ୍ଡ, ଲୁଣ ପକାଇ ଅଳ୍ପ କିଛି ପାଣିରେ ଭଲଭାବରେ ଏହାକୁ ମିଶାଇ ଦିଅନ୍ତୁ। ତା ପରେ ସେଥିରେ ବେକିଙ୍ଗ୍‌ ପାଉଡର ପକାଇ ଭଲଭାବେ ଗୋଳାନ୍ତୁ। ପତଳା ଘୋଳ ତିଆରି କରିବା ପାଇଁ ସେହି ଅନୁସାରେ ସେଥିରେ ପାଣି ଦିଅନ୍ତୁ।

ଘୋଳ ତିଆରି ହୋଇଗଲା ପରେ ଗ୍ୟାସ୍‌ରେ ଏକ ପ୍ୟାନ୍‌ ବସାଇ ସେଥିରେ ଅଳ୍ପ ବଟର ପକାନ୍ତୁ। ଏହା ଗରମ ହୋଇଗଲା ପରେ ସେଥିରେ ଛୋଟ ଛୋଟ କଟା ହୋଇଥିବା ପିଆଜ, କଞ୍ଚାଲଙ୍କା, ଧନିଆ ପତ୍ର ପକାନ୍ତୁ। ଆପଣ ଚାହିଁଲେ ଏଥିରେ ଅନ୍ୟ ପରିବା ମଧ୍ୟ ପକାଇ ପାରିବେ। ପିଆଜ ଅଳ୍ପ ଟିକେ ଭାଜି ହୋଇଗଲା ପରେ ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଘୋଳ ପକାଇ ପିଠା ଆକାରରେ କରନ୍ତୁ।

ଏହାପରେ ସେଥିରେ ଏକ ବ୍ରେଡ୍‌ ସ୍ଲାଇସେସ୍‌ ରଖନ୍ତୁ। କିଛି ସମୟ ପରେ ଏହାକୁ ଓଲଟାଇ ଦିଅନ୍ତୁ। ବ୍ରେଡ୍‌ ଅମ୍‌ଲେଟ୍‌ ଭଲ ଭାବରେ ହୋଇଗଲା ପରେ ଅମଲେଟ୍‌କୁ ବ୍ରେଡ୍‌ ଉପରେ ପୁରା ଢାଙ୍କି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବିନା ଅଣ୍ଡାରେ ତିଆରି ବ୍ରେଡ୍‌ ଅମ୍‌ଲେଟ୍‌। ସସ୍‌ ସହ ଏହାକୁ ଖାଆନ୍ତୁ ଓ ଏହାର ମଜା ନିଅନ୍ତୁ।

 

 

 

You might also like