ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ କଲରା କଖାରୁ ପତ୍ର ପିଠଉ
ଛୋଟ ଛୋଟ ଛୁଆମାନେ କଲରା ଖାଇବାକୁ ଭଲ ପାଆନ୍ତି ନାହିଁ। କାହିଁକି ନା ଏହା ବହୁତ ପିତା ଲାଗିଥାଏ। ଏହା ପିତା ଲାଗିଲେ ବି ଶରୀର ପାଇଁ ବହୁତ ହିତକର। ଯଦି କଲରାକୁ ଆମେ ନୂଆ ଟେଷ୍ଟ ଦେବା ଅର୍ଥାତ୍ ଏଥିରେ କିଛି ଚଟ୍ପଟା ଜିନିଷ ତିଆରି କରିବା ତେବେ ଖାଲି ଏହା ସୁସ୍ୱାଦୁ ଲାଗିବ ନାହିଁ ବରଂ ଏହା ସମସ୍ତଙ୍କୁ ଖାଇବାକୁ ଭଲ ମଧ୍ୟ ଲାଗିବ। ତେବେ ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ କଲରା କଖାରୁ ପତ୍ର ପିଠଉ।
ଆବଶ୍ୟକ ସାମଗ୍ରୀ: କଞ୍ଚା କଲରା, ବଡି, ଅରୁଆ ଚାଉଳ, ବୁଟ ଡାଲି, ଲୁଣ, ରସୁଣ, କଞ୍ଚା ଲଙ୍କା, ଜିରା, କଖାରୁ ପତ୍ର
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଡିକୁ ଭାଜି ରଖନ୍ତୁ। ଅରୁଆ ଚାଉଳ, ବୁଟ ଡାଲି, ଜିରା, କଞ୍ଚା ଲଙ୍କା ଓ ରସୁଣକୁ ବାଟି ରଖନ୍ତୁ। ଏହାପରେ ହେମଦସ୍ତାରେ ଭଜା ବଡି, ରସୁଣ, ଜିରା, କଞ୍ଚାଲଙ୍କାକୁ ଛେଚନ୍ତୁ। ଅଳ୍ପ ଟିକେ ଛେଚି ହୋଇଗଲା ପରେ ସେଥିରେ କଞ୍ଚା କଲରାକୁ ପକାଇ ଭଲ ଭାବରେ ଛେଚି ରଖନ୍ତୁ। ଏହି ଛେଚାରେ ଲୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହାପରେ ଏକ ପ୍ୟାନ୍ରେ ତେଲ ଗରମ କରନ୍ତୁ। ତେଲ ଅଳ୍ପ ଟିକେ ଗରମ ହୋଇଗଲେ ଏଥିରେ କଲରା ବଡି ଛେଚାକୁ ଭଲ ଭାବରେ ପାଣିରେ ଧୁଆ ହୋଇଥିବା କଖାରୁ ପତ୍ରରେ ଗୁଡାଇ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଚାଉଳ ପିଠଉରେ ବୁଡାଇ ଭାଜନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କଲରା କଖାରୁ ପତ୍ର ପିଠଉ।