ଗୁରୁବାରରେ ବସନ୍ତ ପଞ୍ଚମୀ; ବିଦ୍ୟା ଦେବୀଙ୍କୁ ପୂଜା କଲେ ମିଳିବ ଦୁଇଗୁଣ ଫଳ
ମାଘମାସ ଶୁକ୍ଳ ପଞ୍ଚମୀ ତିଥିକୁ ଅତ୍ୟନ୍ତ ପବିତ୍ର ଏବଂ ଶୁଭ ତିଥି ବୋଲି ବିଶ୍ୱାସ କରାଯାଏ। ଏହି ଦିନ ପ୍ରଭୁ ରାମଚନ୍ଦ୍ର ତାଙ୍କର ବିଦ୍ୟାରମ୍ଭ କରିଥିଲେ। କୌଣସି ଶୁଭ କାମ କରିବା ପାଇଁ ଏହି ତିଥି ଅତ୍ୟନ୍ତ ମଙ୍ଗଳକାରୀ। ଏମିତି ବିଶ୍ୱାସ କାହିଁ କେତେ କାଳରୁ ରହି ଆସିଛି। ତେବେ ଚଳିତବର୍ଷ ବସନ୍ତ ପଞ୍ଚମୀ ତିଥିର ମହତ୍ୱ ଆହୁରି ବଢି ଯାଇଛି। କାରଣ ଏହି ଦିନରେ ଅନେକ ଶୁଭମୁହୂର୍ତ୍ତ ଯୋଡ଼ି ହୋଇ ଯାଇଛି।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଦ୍ଧି ଏବଂ ସର୍ବାର୍ଥ ସିଦ୍ଧି ଯୋଗ ବହୁତ ଶୁଭ ଅଟେ। ଏହାର ପ୍ରଭାବରେ ଅଶୁଭ ଯୋଗ କଟିଯାଏ। ଏହି ଯୋଗରେ କୌଣସି କାମ ଆରମ୍ଭ କଲେ ଶୁଭ ହୋଇଥାଏ ବୋଲି ଶାସ୍ତ୍ରବିତ୍ ମାନେ କୁହନ୍ତି। ଚଳିତବର୍ଷ ବସନ୍ତ ପଞ୍ଚମୀ ତିଥିରେ ଏହି ଦୁଇ ଯୋଗ ମଧ୍ୟ ପଡୁଛି। ତେଣୁ କୌଣସି ଶୁଭ କାମ ଆରମ୍ଭ କରିବାକୁ ଥିଲେ ଏହି ଦିନ କରନ୍ତୁ, ଫଳପ୍ରାପ୍ତି ହେବ।
ମକର ରାଶିରେ ଚାଲୁଥିବା ଶନି ୩୦ ଜାନୁଆରୀ ବସନ୍ତ ପଞ୍ଚାମୀରେ ପୂର୍ବରେ ଉଦୟ ହେବେ। ଗତବର୍ଷ ୨୭ ଡିସେମ୍ବରରୁ ଶନି ଅସ୍ତ ଆଡକୁ ଯାଉଥିଲେ। ଏହି କାରଣରୁ ଶନି ନିଜ ଗ୍ରହରେ ଥାଇ ମଧ୍ୟ ନିଜ ପ୍ରଭାବ ବିସ୍ତାର କରି ପାରୁ ନ ଥିଲେ। ବସନ୍ତ ପଞ୍ଚମୀ ତିଥିରେ ଶନି ଉଦୟ ହେବା ପରେ ଲୋକଙ୍କ ଉପରେ ଏହାର ପ୍ରଭାବ ବଢିବ। ପ୍ରକୃତିରେ ଶକ୍ତି ସଞ୍ଚାର ହେବ। ତଳ ସ୍ତରରେ କାମ କରୁଥିବା ଲୋକ ଲାଭବାନ ହେବେ।
ଗୁରୁବାରରେ ବସନ୍ତ ପଞ୍ଚମୀ ଯୋଗ
ଗୁରୁବାରରେ ବସନ୍ତ ପଞ୍ଚମୀ ପଡ଼ିବା ବହୁତ ଶୁଭ ଅଟେ। ଜ୍ୟୋତିଶଶାସ୍ତ୍ରରେ ଗୁରୁବାରକୁ ଧର୍ମ ଏବଂ ଜ୍ଞାନର କାରକ ବୋଲି ବିଶ୍ୱାସ କରାଯାଏ। ବସନ୍ତ ପଞ୍ଚମୀ ତିଥିରେ ଜ୍ଞାନ ଦେବୀ ସରସ୍ୱତୀଙ୍କର ଆବିର୍ଭାବ ହୋଇଥିଲା। ଏହି ତିଥି ଗୁରୁବାରରେ ପଡୁଥିବାରୁ ଦୁଇଗୁଣ ଫଳ ମିଳିବ। ଯେଉଁ ପିଲାମାନଙ୍କର ପାଠରେ ରୁଚି ରହୁନି କିମ୍ବା ମନ ଅସ୍ଥିର ରହୁଛି ତେବେ ସେମାନେ ହଳଦିଆ ବସ୍ତ୍ର ପରିଧାନ ପୂର୍ବକ ମା’ ସରସ୍ୱତୀଙ୍କୁ ପୂଜା କଲେ ଭଲ ଫଳ ମିଳିବ।
ଏହି ଦିନ ରବି ଯୋଗ ମଧ୍ୟ ରହୁଛି। ରବି ଯୋଗରେ କୌଣସି କାମ ନୂଆ ଆରମ୍ଭ କରିଲେ ଶୁଭ ଫଳ ମିଳିଥାଏ। ଧନ ନିବେଶ ପାଇଁ ମଧ୍ୟ ବେଶ ଲାଭ ଦାୟକ। ଏହିଦିନ ବୁଧ ମଧ୍ୟ ତାଙ୍କର ରାଶି ପରିବର୍ତ୍ତନ କରୁଛନ୍ତି। ତେଣୁ ଏହି ଦିନ ଦାନ ଧର୍ମ ସହ ଛାତ୍ରଛାତ୍ରୀମାନେ ସରସ୍ୱତୀଙ୍କୁ ପୂଜା କଲେ ଭଲ ଫଳ ମିଳିଥାଏ।