କରୋନା ଭାଇରସକୁ ରୋକିବାକୁ କେଉଁଟା ଭଲ; ସାବୁନ୍ ନା ସାନିଟାଇଜର ?
ଭୁବନେଶ୍ୱର: ଚୀନ୍ର ଉହାନ ସହରରୁ ଆସିଥିବା ଏହି କରୋନା ଭାଇରସ ପୃଥିବୀର ଅନେକ ଦେଶକୁ ନିଜର କବ୍ଜାକୁ ନେଇସାରିଲାଣି। ଏମିତିକି ଭାରତରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶର ସବୁଆଡ଼େ ଲକ୍ଡାଉନ୍ ହୋଇଥିଲେ ମଧ୍ୟ କରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୮୭୩ ସଂକ୍ରମଣ ମାମଲା ଆସିଥିଲାବେଳେ ସେଥିମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି।
ଏହି ମାରାତ୍ମକ କରୋନା ଭାଇରସ ଆରମ୍ଭ ହେବା ଦିନଠାରୁ ଲୋକମାନେ ସାବୁନ୍ କିମ୍ବା ସାନିଟାଇଜର ସାହାଯ୍ୟରେ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି। କିଛି ଲୋକ ବିଶ୍ୱାସ କରନ୍ତି ଯେ କୋଭିଡ୍-୧୯କୁ ଦୂରକରିବା ପାଇଁ ସାବୁନ୍ ଅପେକ୍ଷା ହ୍ୟାଣ୍ଡ ସାନିଟାଇଜର ଭଲ କାମକରେ।
କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ କରୋନା ଭାଇରସକୁ ଦୂର କରିବା ପାଇଁ ହାତକୁ ବାରମ୍ୱାର ସାବୁନୁ କିମ୍ୱା ସାନିଟାଇଜରରେ ସଫା କରିବା ଦ୍ୱାରା ଆଶଙ୍କା କମ୍ ହୋଇଥାଏ।
ସାଉଥ ୱେଲ୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ପଲ୍ ଥର୍ଡସନଙ୍କ ଅନୁଯାୟୀ, କରୋନା ଭାଇରସକୁ ନଷ୍ଟ କରିବା ପାଇଁ ସାବୁନକୁ ଏକ ଉତ୍ତମ ଉପାୟ ବୋଲି କହିଛନ୍ତି। କାରଣ ସାବୁନ୍ ଭାଇରସରେ ଥିବା ଲିପିଡକୁ ସହଜରେ ନଷ୍ଟ କରିଥାଏ। ସାବୁନରେ ଫ୍ୟାଟି ଏସିଡ୍ ଓ ଲୁଣ ଭଳି ଉପାଦାନ ରହିଥାଏ। ଫଳରେ ସଂକ୍ରମିତ ହେବାର ଆଶଙ୍କା କମ୍ ରହିଥାଏ।
ଉଭୟ ହ୍ୟାଣ୍ଡ ସାନିଟାଇଜର ଏବଂ ସାବୁନରେ ଭାଇରସ୍କୁ ନଷ୍ଟ କରିବାର ଗୁଣ ରହିଥାଏ। କିନ୍ତୁ ଭାଇରସଟି ବଢ଼ୁଥିବାରୁ ଏହାକୁ ନଷ୍ଟ କରିବା ପାଇଁ ସାନିଟାଇଜର ଅପେକ୍ଷା ସାବୁନ ଭଲ କାମ କରିଥାଏ। କାରଣ ସାନିଟାଇଜର୍ ଅପେକ୍ଷା ସାବୁନରେ ଭାଇରସ୍ ମାରିବାର କ୍ଷମତା ଅଧିକ ରହିଥାଏ।
ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଦିନକୁ ଅନେକ ଥର ପାଟି, ନାକ ଓ ଆଖିକୁ ସ୍ପର୍ଶ କରିଥାନ୍ତି। ଏପରି ପରିସ୍ଥିତିରେ ଭାଇରସକୁ ମାରିବା ପାଇଁ ସାନିଟାଇଜର ଅପେକ୍ଷା ସାବୁନ ଭଲ କାମ କରିଥାଏ।
ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଏକ ପରୀକ୍ଷା ଅନୁଯାୟୀ, ତରଳ କିମ୍ବା କ୍ରିମ୍ ଆକାରର ସାନିଟାଇଜର କରୋନା ଭାଇରସକୁ ମୁକାବିଲା କରିବାରେ ସାବୁନ୍ ଭଳି ଭଲ କାମକରେ ନାହିଁ ବୋଲି କୁହାଯାଇଛି। ତେଣୁ ସାନିଟାଇଜର ଅପେକ୍ଷା ସାବୁନ ଭାଇରସକୁ ନଷ୍ଟ କରିବାରେ ବେଶି ସହାୟକ ହୋଇଥାଏ।