ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟୀ ଏହି ଆସନ

ତାଡ଼ାସନ ହେଉଛି ଯୋଗର ଏକ ମୌଳିକ ଆସନ । ଏହି ଆସନଟି ଗର୍ଭବତୀ ମହିଳାଙ୍କ ପାଇଁ ବେଶ୍ ଲାଭଦାୟକ । ଏହା ମହିଳାଙ୍କ ଶରୀରରେ ସନ୍ତୁଳନ ରକ୍ଷା କରିଥାଏ । ଏହା ଶରୀରର ହାଡ଼କୁ ମଜବୁତ କରିବା ସହ ପିଠି ବିନ୍ଧାରୁ ମୁକ୍ତି ଦେଇଥାଏ। ଏହି ଆସନ ଗର୍ଭଧାରଣର ୬ମାସ ଯାଏଁ କରିବା ଉଚିତ୍।

ଏହି ଆସନ କଲେ ଶରୀର ମଜଭୁତ ହୁଏ। ଜଙ୍ଘ, ଆଣ୍ଠୁ ଓ ଗୋଇଠି ମଜଭୁତ ହୋଇଥାଏ। ଏହାକୁ ମାତ୍ର ୧୦/୧୫ ସେକେଣ୍ଡ କରିବାକୁ ହୋଇଥାଏ। ତେବେ ନିୟମିତ କରିବା ଦ୍ୱାରା ଏହା ଉଭୟ ଶାରୀରିକ ଓ ମାନସିକ ସନ୍ତୁଳନକୁ ବଜାୟ ରଖିଥାଏ।

ଯେଉଁମାନଙ୍କର ହୃଦ୍‌ରୋଗ, ମୁଣ୍ଡ ବିନ୍ଧା କିମ୍ବା ଗୋଡ଼ରେ ଶିରାପ୍ରଶିରା ବିନ୍ଧା ରୋଗ ଥିବ ସେମାନେ ଏହି ଆସନ କରିବା ଉଚିତ୍‌ ନୁହେଁ।

 ତାଡ଼ାସନ କରିବା ବିଧି :

ପ୍ରଥମେ ସିଧା ଭାବରେ ଠିଆ ହୁଅନ୍ତୁ । ଦୁଇ ହାତକୁ ଶରୀରର ଦୁଇ ପାର୍ଶ୍ୱରେ ରହିବ । ଏହାପରେ ହାତ ଦୁଇଟିକୁ ଧିରେ ଧିରେ ଶରୀରର ଦୁଇ ପାର୍ଶ୍ୱରେ ପ୍ରସାରିତ କରି ଉପରକୁ ଉଠାନ୍ତୁ । ଦୁଇ ହାତର ପାପୁଲିକୁ ଛନ୍ଦି ମୁଣ୍ଡ ଉପରେ ରଖନ୍ତୁ । ନିଃଶ୍ୱାସ ଭରି  ପାପୁଲିକୁ ଉର୍ଦ୍ଧ୍ୱ ମୁଖି କରି ଉପରକୁ ଉଠାନ୍ତୁ । ଯେପରି ହାତ ଦୁଇ ପାର୍ଶ୍ୱରେ କାନକୁ ଲାଗି ରହିବ । ନିଜର ଦୁଇ ଗୋଡ଼ର ପାଦର ଟିପ ଉପରେ ଠିଆ ହୋଇ ଉପରକୁ ଶରୀରକୁ ଟାଣନ୍ତୁ । ସହଜ ଏବଂ ଶାନ୍ତ ଭାବେ ଏହି ଅଭ୍ୟାସ କରନ୍ତୁ । ଶରୀରକୁ ଅଧିକ ଟାଣିବାକୁ ଚେଷ୍ଟା କରନ୍ତୁ ନାହିଁ । ମନରେ ଏକାଗ୍ରତା ରଖନ୍ତୁ ।

ଏହିପରି ଉପରକୁ ହାତ ଉଠାଇ କିଛି ସମୟ ଏହି ଅବସ୍ଥାରେ ରହି ପୁଣି ଶ୍ୱାସ ଛାଡ଼ି ଧିରେ ଧିରେ ପୂର୍ବାବସ୍ଥାକୁ ଫେରିଆସନ୍ତୁ ।

ଏମିତି ଭାବେ ଏହି ଅଭ୍ୟାସକୁ ୧ରୁ ୫ଥର ଏବଂ ୫ମିନିଟ୍‌ ଯାଏ କରିପାରିବେ।

ଆହୁରି ପଢ଼ନ୍ତୁ

You might also like