ଅଧିକ ଲୁଣ ଖାଉଛନ୍ତି କି ? ରହିଛି ଏସବୁ ବିପଦ
ଲୁଣ ବିନା ଖାଦ୍ୟର ସ୍ୱାଦ ନାହିଁ। ହେଲେ ଖାଦ୍ୟରେ ଅଧିକ ଲୁଣ ଖାଉଛନ୍ତି କି? ଯଦି ଖାଉଛନ୍ତି, ସାବଧାନ । କାରଣ ଲୁଣ ସିନା ଖାଦ୍ୟକୁ ସ୍ୱାଦିଷ୍ଟ କରେ ହେଲେ ଶରୀର ପାଇଁ ଡାକି ଆଣେ ଅନେକ ବିପଦ ।
ଲୁଣ ଏକ ପ୍ରକାର ସ୍ଲୋ ପଏଜନ। ତେବେ ଲୁଣ ଖାଇଲେ କ’ଣ ସବୁ ରୋଗ ହୋଇଥାଏ ? ଆସନ୍ତୁ ଜାଣିବା।
ଅଧିକ ଲୁଣ ଖାଇବା ଦ୍ୱାରା ହୃଦରୋଗ ଜନିତ ସମସ୍ୟା ଦେଖା ଦେଇଥାଏ । ହାର୍ଟର ମାଂସପେଶୀ ଅଧିକ ସଂପ୍ରସାରିତ ହୋଇଥାଏ । ଯାହାଫଳରେ କୋଶିକା ସ୍ୱତଃ ବଢିବାରେ ଲାଗିଥାଏ । ଏହାଦ୍ୱାରା ହୃଦ୍ଜନିତ ସମସ୍ୟା ଦେଖା ଦେଇଥାଏ । ଆଉ ଯଦି ଆପଣଙ୍କର ହୃଦ ସମସ୍ୟା ଥାଏ ତେବେ ଅଧିକ ଲୁଣ ସେବନ ବେଶି ବିପଦ ।
ବୈଜ୍ଞାନିକ ଅଧ୍ୟୟନ ଅନୁସାରେ ଅଧିକ ଲୁଣ ସେବନ ଷ୍ଟ୍ରୋକର ପ୍ରମୁଖ କାରଣ ହୋଇଥାଏ । ବିଶେଷକରି ଯେଉଁମାନଙ୍କର ମାଇଗ୍ରେନ ସମସ୍ୟା ଥାଏ ସେମାନେ ଅଧିକ ଲୁଣ ଖାଇବା ଆଦୌ ଉଚିତ ନୁହେଁ । କାରଣ ଏହା ଦ୍ୱାରା ଷ୍ଟ୍ରୋକର ଆଶଙ୍କା ଆହୁରି ବଢି ଯାଇଥାଏ ।
ଅଧିକ ଲୁଣ ସେବନରୁ ବ୍ଲଡପ୍ରେସର ବଢିଯାଇଥାଏ । ଏହାକୁ ହାଇପରଟେନସନ ବୋଲି ମଧ୍ୟ କହିଥାନ୍ତି । ଏକ ଅଧ୍ୟୟନରୁ ଜଣାଯାଏ, ପ୍ରତିବର୍ଷ ଏହି କାରଣରୁ ଭାରତରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥାଏ । ତେଣୁ ଯେତେ ଲୁଣ ଖାଇବା କମାଇବେ, ଉଚ୍ଚରକ୍ତଚାପରୁ ସେତିକି ଦୂରରେ ରହିବେ ।
ମୁଣ୍ଡବିଧା ସମସ୍ୟା ଆଜିକାଲି ସମସ୍ତଙ୍କର ରହିଛି । ତେବେ ଘରୋଇ ଉପାୟରେ ଏହାର ଉପଚାର କରାଯାଇ ପାରିବ । ତେବେ ଆମେ ଆପଣଙ୍କୁ କହି ରଖିବୁ, ଅଧିକ ଲୁଣ ଖାଇବା ମୁଣ୍ଡବିନ୍ଧାର ଅନ୍ୟତମ କାରଣ ଅଟେ । ଆଉ ଠିକ୍ ସମୟରେ ସଚେତନ ନ ହେଲେ ଏହା ମାଇଗ୍ରେନ ରୂପ ନେଇପାରେ । ତେଣୁ ଯେଉଁମାନଙ୍କର ମୁଣ୍ଡବିନ୍ଧା ରୋଗ ଅଛି ସେମାନେ ଲୁଣା ଖାଇବା ପୂର୍ବରୁ ନିଶ୍ଚୟ ଭାବିଚିନ୍ତି ଖାଇବେ ।
କୀଡ୍ନି ଷ୍ଟୋନର କାରଣ ମଧ୍ୟ ଲୁଣ ହୋଇପାରେ । ତେଣୁ ଯେଉଁମାନଙ୍କର କୀଡନି ସମସ୍ୟା ରହିଛି ସେମାନେ ଯଥେଷ୍ଟ କମ୍ ଲୁଣ ଖାଇବା ଉଚିତ୍ ।
ସେତିକି ନୁହେଁ, ଅଧିକ ଲୁଣ ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ । ବେଳେବେଳେ ଏହା ଗମ୍ଭୀର ରୂପ ନେଇଥାଏ । ଏପରିକି ପେଟରେ କ୍ୟାନ୍ସର ଆଶଙ୍କା ମଧ୍ୟ ରହିଛି ।
ତେଣୁ ଯଦି ଅଧିକ ପରିମାଣର ଲୁଣ ଖାଇବା ଅଭ୍ୟାସ ରହିଛି ତେବେ ଆଜିଠାରୁ ସଚେତନ ହୁଅନ୍ତି ଏବଂ ଖାଇବା ପୂର୍ବରୁ ଥରେ ଭାବି ନିଅନ୍ତୁ ।