ରୋଷେଇ ଘରେ ଥିବା ଏହି ଜିନିଷ ଖୁବ୍ ଦରକାରୀ: ବନ୍ଦ କରିଦେବ ମାଢ଼ିରୁ ରକ୍ତସ୍ରାବ
ଭୁବନେଶ୍ୱର: ମାଢ଼ିରୁ ରକ୍ତସ୍ରାବ ହେବା ଏକ ସାଧାରଣ ସମସ୍ୟା। ସାଧାରଣ ଚିକିତ୍ସା କଲେ ଏହି ସମସ୍ୟାକୁ ଦୂରେଇ ଦେଇ ହେବ। ତେବେ ଆସନ୍ତୁ ଜାଣିବା ଏହାର ଘରୋଇ କିଛି ଉପଚାର। ଆପଣଙ୍କ ରୋଷେଇ ଘରେ ଏମିତି ଅନେକ ଜିନିଷ ଅଛି, ଯାହା ଏହି ସମସ୍ୟାକୁ ସହଜରେ ଦୂର କରିପାରିବ।
ମାଢ଼ିରୁ ରକ୍ତସ୍ରାବର ଲକ୍ଷଣ ଓ କାରଣ: ଭିଟାମିନ୍ ‘ସି’ର ଅଭାବ, ଯକୃତ ସମ୍ବନ୍ଧୀୟ ରୋଗ, କର୍କଟ, ଭିଟାମିନ୍ ‘କେ’ ଅଭାବ, ମହିଳାମାନଙ୍କର ହରମୋନ୍ରେ ପରିବର୍ତ୍ତନ ଓ ପାଟିର ପରିଷ୍କାରତା ଅଭାବରୁ ମାଢ଼ିରୁ ରକ୍ତସ୍ରାବ ହୋଇଥାଏ।
ଲକ୍ଷଣ- ମାଢ଼ି ଦରଜ ହେବା ଓ ଫୁଲିବା କିମ୍ବା ଛୁଇଁବାବେଳେ ଯନ୍ତ୍ରଣା କରିବା ରକ୍ତସ୍ରାବର ଲକ୍ଷଣ ହୋଇଥାଏ। ଏଥିସହିତ ମାଢ଼ି ମଧ୍ୟରେ ଅଧିକ ଦୂରତା ଥିଲେ କିମ୍ବା ପାଟି ଦୁର୍ଗନ୍ଧ କରୁଥିଲେ ମଧ୍ୟ ମାଢ଼ିରୁ ରକ୍ତସ୍ରାବ ହୋଇଥାଏ।
ଇଏ ତ ଥିଲା ରୋଗର ଲକ୍ଷଣ ଓ କାରଣ। ଏବେ ଆସନ୍ତୁ ଜାଣିବା ଏହାର ସହଜ ଘରୋଇ ଉପଚାର।
କୁଳି କରିବା: ଏକ କପ୍ ଉଷୁମ ପାଣି ନେଇ ସେଥିରେ ଚାମୁଚେ ଲୁଣ ମିଶାଇ କୁଳି କରନ୍ତୁ। କାରଣ ଲୁଣରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଥାଏ। ଯାହା ମାଢ଼ି ଦରଜକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଏଥିସହିତ ଲୁଣ ସଂକ୍ରମଣକୁ ମଧ୍ୟ ଭଲ କରିଥାଏ। ଦିନକୁ ତିନିଥର ଏପରି କଲେ ମାଢ଼ି ସମସ୍ୟାରୁ ଉପଷମ ମିଳିଥାଏ।
ସୋଡ଼ା: ଏକ ମଗ୍ ଉଷୁମ ପାଣିରେ ଏକ ଚାମଚ ସୋଡ଼ା ପକାଇ କୁଳି କରନ୍ତୁ। ଏହାଦ୍ୱାରା ସୋଡ଼ାରେ କ୍ଷାର ଅଂଶ ପାଟିର ଜୀବାଣୁ ସଫା କରିଥାଏ। ଏପରି ଦିନକୁ ଦୁଇଥର କରିବାକୁ ହେବ।
ହଳଦୀ: ଅଧା ଚାମଚ ସୋରିଷ ତେଲରେ ଅଧା ଚାମଚ ହଳଦୀ ଗୁଣ୍ଡ ଓ ଏକ ଚାମଚ ଲୁଣ ମିଶାଇ ଏହି ପେଷ୍ଟକୁ ଧୀରେ ଧୀରେ ମାଢ଼ିରେ ମାଲିସ୍ କରିବା ଦ୍ୱାରା ଏଥିରୁ ଉପଷମ ମିଳିଥାଏ।
ନଡ଼ିଆ ତେଲ: ଏକ ଚାମଚ ନଡ଼ିଆ ତେଲକୁ ନେଇ ମାଢ଼ିରେ ଧୀରେ ଧୀରେ ମାଲିସ୍ କରନ୍ତୁ। ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଏପରି କରନ୍ତୁ। ନଡ଼ିଆ ତେଲରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି। ଯାହା ଦାନ୍ତକୁ ସଫା ରଖିବା ସହିତ ମାଢ଼ିରୁ ରକ୍ତସ୍ରାବ ଏବଂ ଫୁଲାକୁ ମଧ୍ୟ ଦୂର କରିଥାଏ।ଲବଙ୍ଗ ତେଲ: ଏହି ତେଲକୁ ମାଢ଼ିରେ ମାଲିସ କରିବା ଦ୍ୱାରା ରକ୍ତପଡ଼ିବାରୁ ଉପଶମ ମିଳିଥାଏ। କାରଣ ଏଥିରେ ଆଣ୍ଟିସେପ୍ଟିକ୍ ଗୁଣ ରହିଥାଏ। ମାଢ଼ିରେ ଯେକୌଣସି ସମସ୍ୟା ଥିଲେ ଲବଙ୍ଗ ତେଲକୁ ବ୍ୟବହାର କରିପାରିବେ। ଲବଙ୍ଗରୁ ତିଆରି ଜିନିଷଗୁଡ଼ିକରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି।
ତେବେ କୌଣସି ଉପଚାର ଆପଣାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିବା ଉଚିତ୍।