କରୋନା ଭାଇରସ୍‌ରୁ କିପରି ବର୍ତ୍ତିବେ ?

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେତେକ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ସାବୁନରେ ଭଲ ଭାବେ ହାତ ଧୋଇବା ସହିତ କାଶ ବା ଛିଙ୍କ ସମୟରେ ନାକ ଓ ମୁହଁକୁ ରୁମାଲରେ ଘୋଡ଼ାଇ ରଖିବାକୁ କୁହାଯାଇଛି। ତା ସହିତ ସର୍ଦ୍ଦି ଓ କାଶ ହେଉଥିବା ଲୋକଙ୍କଠାରୁ ନିଜକୁ ଦୂରେଇ ରଖିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ମାଂସ ଓ ଅଣ୍ଡା ଖାଉଥିଲେ, ତାକୁ ଭଲ ଭାବେ ସିଝାଇବାକୁ କୁହାଯାଇଛି। ବନ୍ୟ କିମ୍ବା ଫାର୍ମ ପ୍ରାଣୀଙ୍କ ସଂସ୍ପର୍ଶରେ ଆସିବା ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

ଯେଉଁମାନେ ଜାନୁଆରି ପହିଲାରୁ ଚୀନ ଯାତ୍ରା କରିଥିବେ, ସେମାନଙ୍କୁ ଯଦି ଜ୍ୱର, କାଶ ହୁଏ, ନିଶ୍ୱାସ ନେବାରେ କଷ୍ଟ ହେଉଥାଏ, ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସରକାରୀ ମେଡିକାଲ କଲେଜ କିମ୍ବା କ୍ୟାପିଟାଲ ହସ୍ପିଟାଲରେ ଶୀଘ୍ର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ଅନୁରୋଧ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ଜନିତ କୌଣସି ସୂଚନା ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

କରୋନାକୁ ରୋକିବାକୁ ପାଇଁ କ’ଣ ସତର୍କତା ଅବଲମ୍ବନ କରିବେ ସଂକ୍ଷିପ୍ତରେ ଜାଣନ୍ତୁ

ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ ।

କାଶିଲେ ବା ଛିଙ୍କିଲେ ନାକ ଓ ମୁହଁକୁ ରୁମାଲରେ ଘୋଡ଼ାଇ ରଖନ୍ତୁ।

ସର୍ଦ୍ଦି ଓ କାଶରେ ପୀଡ଼ିତଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ।

ମାଂସ ଓ ଅଣ୍ଡା ଖାଉଥିଲେ, ଭଲ ଭାବେ ସିଝାନ୍ତୁ ।

ବନ୍ୟ କିମ୍ବା ଫାର୍ମ ପ୍ରାଣୀଙ୍କ ସଂସ୍ପର୍ଶରେ ଆସିବା ବେଳେ ସତର୍କ ରୁହନ୍ତୁ।

ଚୀନ ଯାତ୍ରା କରିଥିବା ବ୍ୟକ୍ତିଙ୍କୁ ଜ୍ୱର, କାଶ ହେଲେ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ।

ନିଶ୍ୱାସ ନେବାରେ କଷ୍ଟ ହେଲେ ମଧ୍ୟ ସ୍ୱାସ୍ଥ୍ୟ ଯାଞ୍ଚ କରାନ୍ତୁ।

କରୋନା ସଂକ୍ରମଣ ହେଲେ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷକୁ ଯୋଗାଯୋଗ କରନ୍ତୁ।

ଫୋନ୍ ନମ୍ବର 0674-2390466

ମୋବାଇଲ ନମ୍ବର-9439994857

You might also like