• translate
Minati Mishra

ଦେହ ଅସୁସ୍ଥ ହେଲେ ଡାକ୍ତରଙ୍କ ପାଖକୁ ସମସ୍ତଙ୍କୁ ଯିବାକୁ ପଡ଼େ। ଡାକ୍ତର ରୋଗୀକୁ ଦେଖିବା ପରେ ପ୍ରେସ୍‌କ୍ରିପ୍‌ସନ ଲେଖି ଦିଅନ୍ତି। ହେଲେ ଡାକ୍ତରଙ୍କ ଏହି ପ୍ରେସ୍‌କ୍ରିପ୍‌ସନ ପଢିବା ପାଇଁ ୯୦ ପ୍ରତିଶତ କଷ୍ଟ ହୁଏ । ଏହାକୁ ଦେଖିଲେ ମନରେ ସ୍ୱତଃ ପ୍ରଶ୍ନ ଉଠେ- କାହିଁକି ଡାକ୍ତରମାନେ ଏପରି ଲେଖନ୍ତି କାହିଁକି ? ସବୁ ଡାକ୍ତରଙ୍କ ଅକ୍ଷର କ’ଣ ଖରାପ? ସେ ପୁଣି ଏତେ ଖରାପ ଯେ, ପଢିବା ବେଳେବେଳେ ଅସମ୍ଭବ ହୋଇଯାଏ ।

ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ ପଢି ନ ପାରିବାର ୫ଟି କାରଣ ରହିଛି। ଜାଣନ୍ତୁ ସେ ସବୁ କ’ଣ-

୧-ଜଣେ ଡାକ୍ତର କେବଳ ଆପଣଙ୍କୁ ଦେଖୁ ନାହାନ୍ତି ବା ଆପଣଙ୍କ ପାଇଁ ପ୍ରେସ୍‌କ୍ରିପ୍‌ସନ ଲେଖୁ ନାହାନ୍ତି। ତାଙ୍କ ପାଖକୁ ପ୍ରତି ଦିନ କେତେ ଯେ ରୋଗୀ ଆସନ୍ତି, ତାର ହିସାବ ନାହିଁ। ତେଣୁ ପ୍ରେସ୍‌କ୍ରିପ୍‌ସନ ହେଲେ ବି ଡାକ୍ତରଙ୍କୁ ଦୈନିକ ବହୁତ ଲେଖିବାକୁ ପଡ଼ିଥାଏ। ବୋଧହୁଏ ସେଥିପାଇଁ ଡାକ୍ତର ପ୍ରେସ୍‌କ୍ରିପ୍‌ସନରେ ମେଡିକାଲ ସମ୍ବନ୍ଧୀୟ ବହୁତ୍‌ କମ୍‌ କଥା ଲେଖିଥାନ୍ତି ।

୨-ଡାକ୍ତରଙ୍କ ପାଖକୁ ଅନେକ ରୋଗୀ ଆସିଥାନ୍ତି। ଜଣେ ଡାକ୍ତରଙ୍କ ହାତରେ ଯେତେକି ସମୟ ଥାଏ ତା’ଠାରୁ ଢେର ଅଧିକ ରୋଗୀ ତାଙ୍କ ପାଖକୁ ଆସିଥାନ୍ତି। ତେଣୁ ସବୁ ରୋଗୀଙ୍କୁ ଯଥେଷ୍ଟ ସମୟ ଦେବା ପାଇଁ ସେମାନଙ୍କ ପାଖରେ ସୁଯୋଗ ନ ଥାଏ। ଏହି କାରଣରୁ ଅଧିକାଂଶ ଡାକ୍ତର ତରବର ମୁଡ୍‌ରେ ଥାଆନ୍ତି। ତେଣୁ କମ୍‌ ସମୟ ଏବଂ ତରବର ଭାବେ ଯୋଗୁ ସେମାନଙ୍କ ଅକ୍ଷର ଏମିତି ଖରାପ ହୋଇଯାଏ।

୩-ଜଣେ ଡାକ୍ତର ଯଦି ଦିନକୁ ୩୦ରୁ ୬୦ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ତେବେ କେତେ ଚାପରେ ରହୁଥିବେ ସେମାନେ ! ପ୍ରତ୍ୟେକ ରୋଗୀଙ୍କ ରୋଗ ବିଷୟରେ ଶୁଣିବେ, ତାଙ୍କୁ ରୋଗ ଅନୁସାରେ ଠିକ୍‌ ଔଷଧ ପ୍ରେସ୍‌କ୍ରାଇବ୍‌ କରିବେ...ଏତେ ସହଜ କାମ ନୁହେଁ ଏସବୁ। ଏହା ଭିତରେ ପୁଣି ଗୁରୁତର ରୋଗୀ ବି ଥିବେ ଯାହାକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ପଡ଼ିବ। କାରଣ ଏହା ଜୀବନ-ମରଣର କଥା। ବୋଧହୁଏ ସେଥିପାଇଁ ଡାକ୍ତରମାନେ ଅକ୍ଷର ପ୍ରତି ଏତେ ସଚେତନ ହୋଇ ନ ଥାନ୍ତି ଆଉ ସେଥିପାଇଁ ଆମକୁ ପ୍ରେସ୍‌କ୍ରିପ୍‌ସନ ପଢିବା କଷ୍ଟକର ହୋଇଥାଏ।

୪-ସ୍କୁଲ ପରୀକ୍ଷା ହଲ କଥା ମନେ ପକାନ୍ତୁ। ପରୀକ୍ଷା ଦେବାବେଳେ ଆପଣ ଯେତେବେଳେ ଲେଖିବା ଆରମ୍ଭ କରିବେ, ଆପଣ ଅକ୍ଷର ଖୁବ୍‌ ସୁନ୍ଦର ଥିବ। ହେଲେ ଶେଷ ବେଳକୁ ଅକ୍ଷର ଅତି ଖରାପ ହୋଇଯାଇଥିବ। କାହିଁକି ? ପ୍ରଥମତଃ ଆପଣଙ୍କ ହାତରେ ସମୟ କମ୍‌ ଥିବ ଏବଂ ଅଧିକ ପ୍ରଶ୍ନ ଥିବ ଯାହାର ଉତ୍ତର ଲେଖିବାକୁ ପଡ଼ିବ। ଦ୍ୱିତୀୟତଃ ହାତର ମାଂସପେଶୀ ମଧ୍ୟ ଶେଷବେଳକୁ ଥକି ଯାଇଥିବ। ଯାହାଫଳରେ ଇଚ୍ଛା ଥିଲେ ବି ସୁନ୍ଦର ଅକ୍ଷରରେ ଲେଖିବାକୁ ହାତ ଅନୁମତି ଦେଉ ନ ଥିବ। ଠିକ୍‌ ସମାନ ଅବସ୍ଥା ଡାକ୍ତରଙ୍କ କ୍ଷେତ୍ରରେ ହୋଇଥାଏ।

୫-ଏହାବ୍ୟତୀତ ଡାକ୍ତରଙ୍କ ଖରାପ ଅକ୍ଷର ପାଇଁ ମେଡିକାଲ ଶବ୍ଦାବଳୀ ମଧ୍ୟ କିଛି ମାତ୍ରାରେ ଦାୟୀ। epididymitis ନାମକ ଏକ ରୋଗ ଅଛି, ଯାହାକୁ ବିନା ସ୍ପଲିଙ୍ଗ ଚେକ୍‌ରେ ଲେଖିବାକୁ ଯଦି ଆପଣଙ୍କୁ କୁହାଯିବ ତେବେ ଚିନ୍ତାରେ ପଡ଼ିଯିବେ। ଏମିତି ଅନେକ ମେଡିକାଲ ଶବ୍ଦାବଳୀ ରହିଛି ଯାହାକୁ ଡାକ୍ତର ପ୍ରେସ୍‌କ୍ରିପ୍‌ସନରେ ଲେଖିଲେ ରୋଗୀ ଦ୍ୱନ୍ଦ୍ୱରେ ପଡ଼ିଯା’ନ୍ତି।

ଯାହା ବି ହେଉ, ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ ଆପଣ ବୁଝନ୍ତୁ ବା ନ ବୁଝନ୍ତୁ, କେମିଷ୍ଟି କିନ୍ତୁ ବେଶ ସହଜରେ ବୁଝି ପାରନ୍ତି।

 

 

 

 

Other Stories