ଜଗନ୍ନାଥଙ୍କୁ ନେଇ ରାଜନୀତି ହେବନି କ’ଣ ପାଇଁ ?

କିଛି ଦିନ ହେବ ଗୋଟିଏ କଥା ମନକୁ ଆସୁଛି। ଖବରଟିଏ ପ୍ରସ୍ତୁତ କଲାବେଳେ ଆମେ ଯତ୍ନବାନ୍ ହୋଇ ଏହାକୁ ଲେଖୁ। ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଏହାକୁ ପ୍ରକାଶ କରିବା ବେଳେ ବାରମ୍ବାର ତର୍ଜମା କରୁ। ଏହି ଲେଖାଲେଖି, ଦେଖାଦେଖି ଭିତରେ ଗୋଟିଏ ଶବ୍ଦ ଜଗନ୍ନାଥଙ୍କୁ ନେଇ ମୁଁ ବାରମ୍ବାର ଲେଖିଛି। ବୃତ୍ତିରେ ସାମ୍ବାଦିକ ହେଲେ ମଧ୍ୟ ମହାପ୍ରଭୁଙ୍କ ପ୍ରତି ଗଭୀର ଆଶକ୍ତି ଥିବାରୁ ଏ ପ୍ରସଙ୍ଗଟି ମୋ ମନକୁ ଆନ୍ଦୋଳିତ କଲା। ଗୋଟିଏ ଶବ୍ଦରେ କହିଲେ ‘’ଜଗନ୍ନାଥଙ୍କୁ ନେଇ ରାଜନୀତି’’।

ଏବେ ପ୍ରତିଦିନ କୁଢ କୁଢ ଖବର ଭିତରେ ଏ ଶବ୍ଦଟି ଚିରାଚରିତ ହେଲାଣି। ଶ୍ରୀମନ୍ଦିର ବିକାଶ ପାଇଁ ଶ୍ରୀମନ୍ଦିର ଚାରିଦୂଆରୁ ଉଚ୍ଛେଦ ହେଉ କିମ୍ବା ଏକାମ୍ର ଯୋଜନାରେ ବାଏ-ଲ-ପ୍ରତ୍ୟାହାର ପ୍ରସଙ୍ଗ ହେଉ । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି ବିବୃତ୍ତି ଆସେ ଯେ, ‘ଆମେ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁନା’। ଅନ୍ୟପକ୍ଷରେ ଏହାର ଜବାବ ରଖିବାକୁ ଯାଇ ଅମୁକ ଏବଂ ସମୁକ ଦଳ ପକ୍ଷରୁ ‘ଜଗନ୍ନାଥଙ୍କୁ ନେଇ ରାଜନୀତି ନ ହେଉ’ ବୋଲି ବିବୃତ୍ତି ଆସେ। ଉଭୟ ଗୋଷ୍ଠୀଙ୍କୁ ସମୁତୁଲ କରିବାର ଗୁରୁଦାୟିତ୍ୱ ନେଇ ଗଣମାଧ୍ୟମ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭକୁ ସେବା କଲାବେଳେ ମୁଁ ବି ଏହି ଶବ୍ଦକୁ ବାରମ୍ବାର ଲେଖେ।

କିନ୍ତୁ ସ୍ଥିର ହୋଇ ଭାବିଲେ ମତେ ବି ଦ୍ୱନ୍ଦ୍ୱ ଲାଗେ। ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି ହୋଇ ପାରିବ ନାହିଁ ଏହା କ’ଣ ସତ ? ନା ପୂର୍ବରୁ କେହି କେବେ ଜଗନ୍ନାଥଙ୍କୁ ନେଇ ରାଜନୀତି କରିନାହାନ୍ତି। ଭାବର ଉବୁଟୁବୁ ହେଉଥିବା ପ୍ରତି ଓଡ଼ିଆ ଏହା ହିଁ ଉତ୍ତର ଦେବେ ଯେ, ମହାପ୍ରଭୁଙ୍କୁ ନେଇ ରାଜନୀତି ଅନୁଚିତ୍।

କିନ୍ତୁ ମୋର ଗୋଟିଏ ମାତ୍ର ପ୍ରଶ୍ନ, ମହାପ୍ରଭୁଙ୍କୁ ନେଇ ରାଜନୀତି କାହିଁକି କରାଯିବନି ?

ଜଗନ୍ନାଥ। ଏ ଜାତୀର ପ୍ରାଣ। ଶ୍ରୀମନ୍ଦିର ଏ ଜାତିର ପ୍ରାଣକେନ୍ଦ୍ର। ଆପଣଙ୍କ ଘର ସମ୍ବଲପୁରରେ ହେଉ ଅଥବା ବାଲେଶ୍ୱରରେ ଅଥବା କୋରାପୁଟ, ରାୟଗଡା ଭଳି ଉପାନ୍ତ ଉତ୍କଳାଞ୍ଚଳରେ, ଏହି ଜଗନ୍ନାଥ ଶବ୍ଦଟି ଆମ ସମସ୍ତଙ୍କୁ ବାନ୍ଧି ରଖିଛି। ଶ୍ରୀମନ୍ଦିର ଗୋଟେ ଓଡ଼ିଆ ପାଇଁ ଖାଲି ମନ୍ଦିରଟିଏ ନୁହେଁ, ଏହା ଆମ ଜାତିର ସମ୍ପତ୍ତି। ଏଣୁ ସ୍ଥୁଳ ଦୃଷ୍ଟିରେ ଦେଖିଲେ ମହାପ୍ରଭୁଙ୍କ ମନ୍ଦିର ବା ଖୋଲାଖୋଲି ଟିକେ ନିର୍ଭିକ ହେଇ କହିଲେ ଜଗନ୍ନାଥଙ୍କୁ ନେଇ ରାଜନୀତି ଅସମ୍ଭବ କ’ଣ ପାଇଁ ?

ରାଜନୀତି ଶ୍ରେଷ୍ଠ ନୀତି। ମାଟି ମା’ ସେବାର ନୀତି(ବର୍ତ୍ତମାନ ଏହା ସେବା କି ନୁହେଁ ମୋ ମାଟିର ବୃହତ୍ ସମୁହ କହିବେ)। ଆଉ ଜଗନ୍ନାଥ ମହାପ୍ରଭୁ ଏ ଜାତିର ପିତା। ତାଙ୍କୁ ଛାଡି ଆମର ଯଦି କୌଣସି କାମ ହେଉନି ତାଙ୍କୁ ଛାଡି ଆମର ରାଜନୀତି ହେବ କେମିତି?
କହିଲେ ଦେଖି ଉତ୍କଳର ଗଜପତି ପୁରୁଷୋତ୍ତମ ଦେବ ଯେତେବେଳେ କାଞ୍ଚିରୁ ପରାସ୍ତ ହୋଇ ଫେରିଲେ ସେତେବେଳେ କଣ ରାଜନୀତି ହୋଇ ନ ଥିଲା ? ଗଜପତି ପୁରୁଷୋତ୍ତମଙ୍କ ପ୍ରତ୍ୟାବର୍ତ୍ତନ ପରାଜୟର ଥିଲା। ଗଭୀର ଆତ୍ମଗ୍ଲାନି ଭିତରେ ସେ ବୁଡି ରହିଥିଲେ। ଉପାୟଶୂନ୍ୟ ଗଜପତି ମହାପ୍ରଭୁଙ୍କୁ ଆଶ୍ରା କରିବା ଛଡା ଆଉ କିଛି ପଥ ନ ଥିଲା। ଏଣୁ ସେ ଶରଣ ପଶି ରାଜନୀତି କଲେ, ରାଷ୍ଟ୍ରରକ୍ଷା ଆଉ ଉତ୍କଳର ଅସ୍ମିତା ଯେଭଳି ଭୂଲୁଣ୍ଠିତ ନ ହେବ ସେ ପାଇଁ ବ୍ୟବସ୍ଥା କଲେ। ୨ୟ ବାର କାଞ୍ଚି ଯୁଦ୍ଧ ହେଲା। ମହାପ୍ରଭୁ ଏ ଯୁଦ୍ଧରେ ସାମିଲ ହେଉଛନ୍ତି, ଗଜପତିଙ୍କ ଏହି କଥା ପଦକ ଓଡ଼ିଆ ପାଇକ ସୈନିକଙ୍କ ମଧ୍ୟରେ ଭରିଦେଇଥିଲା ଗଭୀର ଆତ୍ମବିଶ୍ୱାସ। ରାଜା ପୁରୁଷୋତ୍ତମଙ୍କ ପାଇଁ ନୁହେଁ ଓଡିଆ ଜାତିର ମଣିମାଙ୍କ ପାଇଁ ଯୁଦ୍ଧକୁ ଡେଇଁଲେ ସହସ୍ର ସୈନିକ। ଗୋଟିଏ ଥର ପରାସ୍ତ ହୋଇଥିବା ସେନାର ମନୋବଳ ବୃଦ୍ଧି ପାଇଁ ମହାପ୍ରଭୁଙ୍କ ଆଶ୍ରୟ ନେଇ ସେତେବେଳେ ରାଜନୀତି ହୋଇ ନ ଥିଲା କି ? ଯେଉଁ ବିଜୟର ଶ୍ରେୟ ମହପ୍ରଭୁଙ୍କୁ ଗଲା। ସେହି ମହାପ୍ରଭୁଙ୍କ ନାଁରେ ଉତ୍କଳର ଅସ୍ମିତା ମଧ୍ୟ ରକ୍ଷା ପାଇଗଲା।

ସେବେ ଆଉ ଏବେ ତଫାତ ଅଛି ସତ। କିନ୍ତୁ ଯାହା ହେଉଛି ତାହା ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମହାପ୍ରଭୁଙ୍କ ଇଚ୍ଛା ବୋଲି କହିବା ଠିକ୍ ହେବ। ଆଧୁନିକତାକୁ ଆପଣାଇବା ଆଉ ମହାପ୍ରଭୁଙ୍କ ସାର୍ବଭୌମତ୍ୱ ଆଶାରେ ଜଗନ୍ନାଥଙ୍କ ବିନା ରାଜନୀତି ଅସମ୍ଭବ ଆଉ ଜଗନ୍ନାଥଙ୍କୁ ନେଇ ରାଜନୀତି ନ ହେବା ମଧ୍ୟ ଅସମ୍ଭବ। କାରଣ ଅନେକ ପଟ୍ଟନାୟକ, ଶତପଥି, ରାଉତରାୟ, ମହତାବ କାଳ ଗର୍ଭରେ ବିଲିନ ହେଲେଣି। ଜନତାଦଳ, ଜନତା କଂଗ୍ରେସ ଭଳି କଂଗ୍ରେସ, ବିଜେଡି ଆଉ ବିଜେପି ବି ଦିନେ କାଳ ଗର୍ଭରେ ବିଲିନ ହେବ, ଏହା ବି ସତ୍ୟ। କିନ୍ତୁ କାଳ କାଳକୁ ମହାପ୍ରଭୁ ହିଁ ଥିବେ ଉତ୍କଳର ନେତା ହୋଇ । ଏଠି ସବୁ ରାଜା, ମନ୍ତ୍ରୀ, ଏମଏଲଏ ଏମପି ତାଙ୍କ ‘ରାଉତ’ ପଣେ କେବଳ ରାଜନୀତିର ମଙ୍ଗ ଧରିବେ।

ମୋ ମତରେ କାଳିଆକୁ ନେଇ ରାଜନୀତି ହେଉ। କିନ୍ତୁ ଖବରଦାର ଏ ଜାତିର ଅସ୍ମିତା ଯେମିତି ତଳେ ନ ପଡେ।

You might also like