ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ କେଉଁ ଶତ୍ରୁକୁ ଦିଆଯାଏ ଆଜ୍ଞାମାଳ ?

ଶ୍ରୀମନ୍ଦିର ପରମ୍ପରାରେ ଆଜ୍ଞାମାଳ ପ୍ରସଙ୍ଗଟି ଆପଣ ଅନେକ ଖବର କାଗଜ ଓ ବୈଦୁତିକ ଗଣମାଧ୍ୟମରେ ପଢିଥିବେ ଆଉ ଶୁଣିଥିବେ। କିନ୍ତୁ ଆଜି ଏହି ପ୍ରସଙ୍ଗରେ ମୁଁ ରୋଚକ କାଥାଟିଏ ଆପଣଙ୍କୁ କହିବି।

ପ୍ରଥମେ ଜାଣିବା ଆଜ୍ଞାମାଳ କଣ?
ବାସ୍ତବରେ ଶ୍ରୀଜିଉଙ୍କ ଅଧର ଚୁମ୍ବିତ ମାଳ ବା ଅଧର ମାଳ ହିଁ ହେଉଛି ଆଜ୍ଞାମାଳ। କୌଣସି ନୀତି ପାଇଁ ମହାପ୍ରଭୁଙ୍କ ପ୍ରତିନିଧି ସ୍ୱରୂପ ଅର୍ଚ୍ଚା ବିଗ୍ରହ ବା ଚଳନ୍ତି ପ୍ରତିମା ବାହାର ବିଜେ କଲେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ଦିଆ ଯାଇଥାଏ। ରଥ ଦକ୍ଷିଣ ମୋଡ଼ ଅଥବା ପ୍ରତିଷ୍ଠା ପାଇଁ, ପ୍ରିୟ ଭକ୍ତ ହନୁମାନଙ୍କ ଜୟନ୍ତୀରେ ଶ୍ରୀକ୍ଷେତ୍ରରେ ବିରାଜିତ ହନୁମାନଙ୍କ ପାଇଁ ଏହି ଆଜ୍ଞାମାଳ ବାହାର ବିଜେ କରନ୍ତି।

ହେଲେ ଜାଣି ଆଶ୍ଚର୍ଯ୍ୟ ଆଉ କୃତାର୍ଥ ହେବେ ଯେ ସାହିଯାତ ସମୟରେ ଗୋଟିଏ ଆଜ୍ଞାମାଳ ରାବଣଙ୍କ ଉଦ୍ଦେଶ୍ୟରେ ଅର୍ପିତ ହୋଇଥାଏ।

କେଡେ ଆଶ୍ଚର୍ଯ୍ୟ କଥା ଚିନ୍ତା କରନ୍ତୁ । ଗୋଟିଏ ଦୃଷ୍ଟିରେ ଜଗନ୍ନାଥ ସ୍ୱୟଂ ଶ୍ରୀରାମ। ଏଣୁ ଜଗନ୍ନାଥ ବଲ୍ଲଭକୁ ବିଜେ କରିବାକୁ ଦକ୍ଷିଣ ଘରେ ପୂଜିତ ରାମ ଲକ୍ଷ୍ମଣଙ୍କୁ ଆଜ୍ଞାମାଳ ମିଳେ। ଅପର ପକ୍ଷେ ରାବଣ ହୋଇ ନୀତି ସମ୍ପାଦିତ କରିବାକୁ ଯାଉଥିବା ସେବକ ମଧ୍ୟ ମହାପ୍ରଭୁଙ୍କୁ ଯୁଦ୍ଧରେ ବିଜୟୀ ହେବାକୁ ପ୍ରାର୍ଥନା କରନ୍ତି। ଆଉ ରାମରୂପୀ କାଳିଆ ଠାକୁର ତାଙ୍କୁ ମଧ୍ୟ ରତ୍ନସିଂହାସନ ଛୁଆଁଇ ଆଜ୍ଞାମାଳଟିଏ ଦିଅନ୍ତି।

ନିଜ ଅଭିନୟରେ ଯେଉଁ ପ୍ରଭୁଙ୍କୁ ସେ କୁଭାଷାରେ ସମ୍ଭାଷଣ କରନ୍ତି ସେହି ପ୍ରଭୁ ତାଙ୍କୁ ଆଜ୍ଞାମାଳ ଦେଇ ଅନୁଗୃହିତ କରିଥାନ୍ତି। ଏହା ହିଁ ଉତ୍କଳୀୟ ସଂସ୍କୃତିର ମହନୀୟତା ପ୍ରତିପାଦିତ କରେ। ଆମେ ଯେ ଗୋଟିଏ ପ୍ରଶାସକଙ୍କ ଦ୍ୱାରା ପ୍ରତିପାଳିତ ହେଉଛେ ଆଉ ସେ ହେଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ, ଏହା ହିଁ ଏଥିରୁ ସ୍ପଷ୍ଟ ହୁଏ। ପ୍ରଭୁ ପାଖରେ ଶତ୍ରୁ ମିତ୍ରର ଭେଦ ଅବା କଣ ଯେ। କେବଳ କର୍ମ ସମ୍ପାଦନ ପାଇଁ ତ କିଏ ଏଠି ରାବଣ ତ କିଏ ରାମ।
ଏଥର ବରଗଡ଼ ଧନୁଯାତ୍ରା କଥା ଦେଖିବା। ଏଠି ମହାରାଜା କଂସଙ୍କୁ ଆଜ୍ଞାମାଳ ମିଳେନାହିଁ ସତ କିନ୍ତୁ ଯାତ୍ରା ସାରି କଂସ ମହାରାଜ ବି ଧାଇଁ ଆସନ୍ତି ଶ୍ରୀକ୍ଷେତ୍ର।

ମହୋଦଧିରେ ବୁଡ଼ ମାରି କାଳିଆକୁ କୁହନ୍ତି:
“ହେ ମାହାପ୍ରୁ…
ମୁଇଁ ସେଇ କଂସ୍ ଆଏ…
ଯିଏ କାଏଲ୍ ତତେ ଗାଏଲ୍ ଦେଉଥିଲା…
ଆରୁ ଆଏଜ୍ ତୁମର୍ ପାହା ତଲେ ପଡ଼ୁଛେ… ”
ଦେଖିଲେ ତ କି ଆତ୍ମୀୟତା ଏ ଜାତିର ନିଜ ପ୍ରଭୁ ପାଇଁ।
କାଳିଆ କୁହେ : ମୋ ପାଖେ ବଡ଼ ସାନ, ମିତ୍ର ଶତ୍ରୁ ସବୁ ସମାନ।

ସେଇଥିପାଇଁ ତ ପ୍ରତିବର୍ଷ ମୋ ଆଜ୍ଞାମାଳ ରାବଣ ବେକରେ ପଡେ ଆଉ ମାମୁଁ ଧାଇଁଆସେ ବରଗଡ଼ରୁ, ଖାସ ମୋରି ପାଇଁ, ମୋ ପ୍ରେମରେ ପଡି। ହେ ମୋ ପ୍ରିୟ ସୃଷ୍ଟି ମୋ ଚିନ୍ତା ଆଉ ତୁମ ସମର୍ପଣ ହିଁ ମୋ ତରଫରୁ ତୁମ ସଭିଙ୍କ ପାଇଁ #ଆଜ୍ଞାମାଳ।

You might also like