ଶ୍ରୀଜଗନ୍ନାଥ ସଂସ୍କୃତିରେ ଗେରୁମୁଣ୍ଡି

ଗାଳି ଗୁଲଜ କଥା ଛଳରେ ଆପଣ ଏ କଥା କେତେ ଥର କହିଥିବେ, ‘ତୁ ତ ଗେରୁମୁଣ୍ଡି ସାଆନ୍ତ ଟା’, ସବୁ ଖାଇଦବୁ’। ଭାଇ ଭଉଣୀ ମାରପିଟ୍ ବେଳେ ତାଚ୍ଛଲ୍ୟ ଛଳରେ ଏ କଥା ଏକାଧିକ ବାର ହୁଏତ ଆପଣ ବି ବ୍ୟବହାର କରିଥିବେ। କିଏ କିଛି ଖାଇଦେଲେ କାହାଠୁ କିଛି ଛଡାଇ ଆଣି, ଦମ୍ଭ ଦେଖାଇଲେ, କଥା ଛଳରେ ଆମେ ଏଇ ଶବ୍ଦଟିକୁ ବ୍ୟବହାର କରି ତାଚ୍ଛଲ୍ୟ କରୁ। ଗେରୁମୁଣ୍ଡି । ଜଣା ଅଜଣା ଜଗନ୍ନାଥ ସ୍ତମ୍ଭରେ ଆସନ୍ତୁ ଏଇ ଶବ୍ଦ ସମ୍ପର୍କରେ ଜାଣିବା।

‘ଗେରୁମୁଣ୍ଡି ସାଆନ୍ତ ଟା’, ସବୁ ଖାଇଦେଲା..’ ଉପରୋକ୍ତ କଥା ସହ ଅନେକ ଓଡ଼ିଆ ଲୋକ ଜଡିତ ଥିବେ କିନ୍ତୁ ଅଧିକାଂଶ ଏହାର ବାସ୍ତବ ଅର୍ଥ ଜାଣି ନ ଥାନ୍ତି। ଜଗନ୍ନାଥଙ୍କୁ ନେଇ ଏ ଜାତି ଆଗେଇଛି। ଆମ ଭାଷା, ଆମ ସାହିତ୍ୟ ଆମ ଚଳଣୀରେ ଜଗନ୍ନାଥ ସଂସ୍କୃତିର ଛାପ ରହିଛି। ଘରେ ଚିତଉ ପିଠା କରି ଖାଇଲା ବେଳେ ହେଉ କି ମାଣ ବସେଇଲା ବେଳେ ସବୁ କଥାରେ ସବୁ କର୍ମରେ ବଡ଼ ଠାକୁରଙ୍କ ପ୍ରସଙ୍ଗଟିଏ ଯୋଡି ହୋଇ ରହିଛି। ସେହି କ୍ରମରେ ଦେଖିଲେ ଗାଳି ବା ଥଟ୍ଟା ପରିହାସ ପର୍ଯ୍ୟାୟରେ ମଧ୍ୟ ମହାପ୍ରଭୁଙ୍କ ସଂସ୍କୃତି, ମହାପ୍ରଭୁଙ୍କ କଥା ଯୋଡି ହୋଇ ରହିଛି।

ତେବେ ଏଠି ଆମ ଆଲୋଚନାର ପ୍ରସଙ୍ଗ ଥିଲା ଗେରୁମୁଣ୍ଡି ।

ଆପଣ ଭାବୁଥିବେ ଏ ଶବ୍ଦର ଅର୍ଥ କ’ଣ। କାହାକୁ ଗେରୁମୁଣ୍ଡି କୁହାଯାଏ ? କ’ଣ ପାଇଁ କୁହାଯାଏ ? କିଏ ବେଶି ଦମ୍ଭ ଦେଖାଇଲେ ଆମେ ଗେରୁମୁଣ୍ଡି ବୋଲି କହୁ, ହେଲେ କାହିଁକି?

ଏଇ ଛୋଟିଆ କଥାର ରହସ୍ୟ ଜାଣିଲେ ଆପଣ ବି ଖୁସି ହେବେ।

ଗେରୁ+ମୁଣ୍ଡି = ଗେରୁମୁଣ୍ଡି।

ମୁଣ୍ଡିରେ ଗେରୁ ଯାହାର ସିଏ ହିଁ ଗେରୁମୁଣ୍ଡି। ଆଉ ସେ ହିଁ ସମସ୍ତ ‘ଭଗ’(ଐଶୋର୍ଯ୍ୟ) ଆଉ ଭୋଗର ଅଧିକାରୀ। ତାଙ୍କଠାରୁ ଶ୍ରେଷ୍ଠ ନା କେହି ଥିଲେ ନା କେହି ଅଛନ୍ତି ନା କେହି ରହିବେ। ସେ ହେଉଛନ୍ତି କୋଟି ଓଡିଆର ପ୍ରାଣର ଠାକୁର ଶ୍ରୀ ଜଗନ୍ନାଥ। ମହାପ୍ରଭୁଙ୍କ ଶ୍ରୀବତ୍ସ ଖଣ୍ଡଶାଳ ମନ୍ଦିର ଚୁଡାରେ ଆପଣ ଦେଖୁଥିବେ ଗୋଟିଏ ବିରାଟ ହରିମନ୍ଦିର ଚିତା। ବୈଷ୍ଣବୀୟ ଚିନ୍ତା, ଚେତନାର ପ୍ରତୀକ ହରିମନ୍ଦିର ଚିତା। ଏହା ଗେରୁ ପ୍ରଲେପରେ ଚିତ୍ରିତ ହୋଇଥାଏ। ପ୍ରତିବର୍ଷ ମକର ସଂକ୍ରାନ୍ତିରେ ଏହାକୁ ନୂତନ ଭାବେ ଚିତ୍ରଣ କରିଥାନ୍ତି ଶ୍ରୀମନ୍ଦିରର ଚୁନରା ସେବକମାନେ।

ମହାପ୍ରଭୁଙ୍କ ମନ୍ଦିରର ମୁଣ୍ଡିରେ ଗେରୁ ଲେପନ ହୋଇଥିବାରୁ ସେ ହେଉଛନ୍ତି ଆମର ଆରାଧ୍ୟ, ଆମର ପ୍ରିୟ ‘ଗେରୁମୁଣ୍ଡି ସାଆନ୍ତ’। ସେ ହିଁ ଏକମାତ୍ର ଦେବତା ଯାହାକୁ ଶ୍ରଦ୍ଧାରେ ଗାଳି ଦେଇ ଭକ୍ତି କରେ ଓଡ଼ିଆ, ଲୁହ ବୁହାଇ ଅଭିମାନ କରେ। ଆଉ ତାଙ୍କରି କଥାକୁ ଘରେ ଘରେ ମନେ ରଖିବାକୁ ହୁଏତ କେହି ଏହି ଶବ୍ଦଟିକୁ ଗାଳି ପର୍ଯ୍ୟାୟରେ ଆମ ଚଳଣୀରେ ଯୋଡି ଦେଇଛି।

କହିଲେ ଦେଖି ଆମ ସଂସ୍କୃତି କେତେ ମହାନ, ଆଉ ଆମ ପ୍ରଭୁ ବି !

You might also like