ଚଣ୍ଡାଳ ଶିକ୍ଷାରୁ ଉଦୟ ହେଲା ଜ୍ଞାନ, ପ୍ରତିଷ୍ଠା ହେଲା ଭୋଗମଣ୍ଡପ

ଜଣା ଅଜଣା ଜଗନ୍ନାଥ

ଆଚାର୍ଯ୍ୟ ଶଙ୍କର। ସୌମ୍ୟ ସୁଦର୍ଶନ ଯୁବ ସନ୍ନ୍ୟାସୀ। ଗୌରୀକ ବସ୍ତ୍ରରେ ପବିତ୍ର କାଶୀ ନଗରୀରେ ବୁଲୁବୁଲୁ ହଠାତ୍ ଦୃଶ୍ୟ ହୁଅନ୍ତି ଜଣେ ଚଣ୍ଡାଳ। ଦେହରେ ଭସ୍ମ, ସାଥିରେ ସ୍ଵାନ ଶିଶୁଙ୍କ ସହ ଉଭା ହୁଅନ୍ତି ସିଏ। ବଡ ବିବତ୍ସ ତାଙ୍କ ରୂପ। ଯାହାକୁ ଦେଖି ସାଥିରେ ଥିବା ସନ୍ନ୍ୟାସୀ ଓ ବିଦ୍ୱାନମାନେ, ଚଣ୍ଡାଳଙ୍କୁ ପଥରୁ ଅପସରି ଯିବାପାଇଁ କୁହନ୍ତି। ଆଚାର୍ଯ୍ୟ ଶଙ୍କରଙ୍କୁ ଚାହାନ୍ତି ଚଣ୍ଡାଳ। ହସିଦିଅନ୍ତି ଆଉ ନୀରବ ନିଶ୍ଚଳ ହୋଇ ଛିଡା ହୋଇ ରୁହନ୍ତି।

ଶଙ୍କରଙ୍କ ମୁଖକୁ ନ ଅନାଇ ପ୍ରଶ୍ନ କରନ୍ତି।

‘‘ଚଣ୍ଡାଳର ସଂଜ୍ଞା କ’ଣ, କହିପାରିବେ ?’’

‘‘ଯେ, ସ୍ଵୟଂ କିଛି ନୁହେଁ, ଅନ୍ୟ ଦ୍ୱାରା ପ୍ରତିପାଳିତ। ସେ ହିଁ ଚଣ୍ଡାଳ।’’- କହିଲେ ଶଙ୍କର।

ତେବେ ମୁଁ ଯଦି ଚଣ୍ଡାଳ ତୁମେ କ’ଣ ଆଚାର୍ଯ୍ୟ ?

ଚଣ୍ଡାଳଙ୍କ ଏହି ପ୍ରଶ୍ନରେ ଅବାକ୍ ହୋଇଗଲେ ଶଙ୍କର, ଭଗବତପାଦ୍ ଶଙ୍କରାଚାର୍ଯ୍ୟ।

‘‘ସମଗ୍ର ସଂସାର ଅନ୍ନର ଦାସ। ସେ ହିଁ ଶରୀରକୁ ଉର୍ଜା ଦିଏ। ତା’ ବିନା ଜୀବ, ଜୀବ ନୁହେଁ। ଅତଃ ମୁଁ ତାର ଦାସ, ମୁଁ ଚଣ୍ଡାଳ ଆଉ ତୁମେ ! ଉତ୍ତର ଦିଅ ଆଚାର୍ଯ୍ୟ ?’’

ଚଣ୍ଡାଳଙ୍କ ପ୍ରଶ୍ନ ଶୁଣି ତା’ଙ୍କ ପାଦତଳେ ପଡିଗଲେ ଶଙ୍କର। ଜୀବନର ଅର୍ଥ ଆଉ ଜାତିବାଦର କୁତ୍ସିତ ମାନସିକତାର ଜ୍ଞାନ ତାଙ୍କୁ ଅଭିଭୂତ କଲା। ଚଣ୍ଡାଳ ଯେ, ସ୍ଵୟଂ ଶଙ୍କର, ଏ କଥା ଜାଣିବାକୁ ବାକି ରହିଲାନି।

…..

୯ମ ଶତାଦ୍ଦୀରେ ଉତ୍କଳ ଆଗମନ କଲେ ଶଙ୍କରାଚାର୍ଯ୍ୟ। ଅନ୍ନର ପ୍ରସିଦ୍ଧ କ୍ଷେତ୍ର ଶିକ୍ଷେତ୍ରରେ ପଦାର୍ପଣ ପରେ ଅନ୍ନବ୍ରହ୍ମଙ୍କ ମହତ୍ୱ ପ୍ରତିପାଦନ ପାଇଁ ଆରମ୍ଭ କଲେ ବ୍ୟବସ୍ଥା। ମହାପ୍ରଭୁଙ୍କୁ ପୁନଃ ସଂସ୍ଥାପନ(ସୋନପୁରରେ ପାତାଳି ହୋଇଥିଲେ ମହାପ୍ରଭୁ) ପରେ ଶ୍ରୀକ୍ଷେତ୍ରରେ ଗଢାହେଲା ଭୋଗ ମଣ୍ଡପ।

ଯେଉଁଠାରେ ମହାପ୍ରଭୁଙ୍କ ପାଇଁ ଅତିରିକ୍ତ ପ୍ରସାଦର ବ୍ୟବସ୍ଥା ହୁଏ। ଶ୍ରୀକ୍ଷେତ୍ରକୁ ଆସୁଥିବା ସଂଖ୍ୟାଧିକ ଶ୍ରଦ୍ଧାଳୁ ଯେପରି ଖାଲି ପେଟର ନ ଫେରନ୍ତି ତାହା ଥିଲା ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଆଉ ଭୋଗ ବଢାଇଥିବାରୁ ବା ଅନ୍ନ ବର୍ଦ୍ଧନ ବ୍ୟବସ୍ଥା ହୋଇଥିବାରୁ ଶଙ୍କର ନିଜ ଶିଷ୍ୟ ପଦ୍ମପାଦଙ୍କୁ ଅବସ୍ଥାପିତ କରି ଗଢନ୍ତି ଭୋଗବର୍ଦ୍ଧନ ବା ଗୋବର୍ଦ୍ଧନ ମଠ।

ଅନ୍ନବ୍ରହ୍ମ ଆଉ ଚଣ୍ଡାଳ ଏକାକାର ହୁଅନ୍ତି ଏଇଠି। ବ୍ରହ୍ମଙ୍କ ପାଖରେ ଜାତି ନ ଥାଏ ଆଉ ଅନ୍ନ ବିନା ଜୀବନର ମାନେ କିଛି ନୁହେଁ ଏ କଥା ଛତ୍ରେ ଛତ୍ରେ ପ୍ରତିପାଦିତ ହୁଏ ଆମ ପ୍ରିୟ ଉତ୍କଳ ମାଟିରେ।

You might also like