• translate
Odishatv Bureau

ଭାରତରେ ଥିବା ଚାରିଧାମରୁ ଗୋଟିଏ ହେଲା ପୁରୀ ଜଗନ୍ନାଥ ଧାମ। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥାନ୍ତି। ଜଗନ୍ନାଥ କଳିଯୁଗର କଳ୍କୀ ଅବତାର ବୋଲି ମାଳିକାରେ ଉଲ୍ଲେଖ କରାଯାଇଛି। ଫ୍ରାନ୍ସର ପ୍ରଖ୍ୟାତ ଜ୍ୟୋତିଷ ନଷ୍ଟ୍ର Iଡାମସ ଏକ ଭବିଷ୍ୟବାଣୀରେ ଲେଖିଛନ୍ତି, “A man from the east will rise from his seat to destroy the sinners across the world.” (ପୂର୍ବ ଦିଗରେ ଥିବା ଏକ ମନୁଷ୍ୟ ତାର ଆସନରୁ ଉଠିବ ଓ ସେହିଁ ଭଗବାନଙ୍କ ଅବତାର, ସେ ଅବତାର ତାର ଅଲୌକିକ ଶକ୍ତିଦ୍ୱାରା ପାପୀମାନଙ୍କୁ ସଂହାର କରିବ)। ଏହି ଭବିଷ୍ୟବାଣୀ ଶ୍ରୀ ଜଗନ୍ନାଥଙ୍କୁ ଉଲ୍ଲେଖ କରି କୁହାଯାଇଥିବାର ଅନୁମାନ କରାଯାଏ।

ପ୍ରାଚୀନ ସଂସ୍କୃତି ଓ ରହସ୍ୟରେ ଘେରା ପୁରୀ ସହରର ଐତିହାସିକ ଓ ଧାର୍ମିକ ପୀଠଗୁଡ଼ିକର ରକ୍ଷଣାବେକ୍ଷଣ, ଏହାର ସୁରକ୍ଷା, ଏହାର ପ୍ରାଚୀନ ଲୋକକଳା ଓ ହସ୍ତଶିଳ୍ପକଳାର ସଂରକ୍ଷଣ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସଂଗେ ସଂଗେ ଅନେକ ଅର୍ଥନୈତିକ ଗତିବିଧିକୁ ମଧ୍ୟ ପ୍ରେରଣା ଯୋଗାଇଥାଏ। ଏଥିପାଇଁ ମନ୍ଦିର ପରିପାର୍ଶ୍ଵକୁ ସୁନ୍ଦର କରିବା ସଂଗେ ସଂଗେ ମନ୍ଦିରର ଆଖପାଖରେ ଥିବା ପ୍ରାଚୀନ ମନ୍ଦିର ଓ ମଠକୁ ମଧ୍ୟ ସୁରକ୍ଷିତ ରଖିବା ନିହାତି ଦରକାର। ବାହାର ପରିବେଶ ସାଙ୍ଗରେ ମନ୍ଦିର ଭିତର ପରିବେଶ ମଧ୍ୟ ପରିସ୍କାର ରହିବା ନିହାତି ଆବଶ୍ୟକ।

ଅନେକ ପର୍ଯ୍ୟଟକ ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ ଓ ପୁରୀର ଲୋକ ସଂସ୍କୃତି ଦେଖି ଆନନ୍ଦ ପାଇଥାନ୍ତି। ପୁରୀର ଗୋଟିପୁଅ ନାଚ, ନାଗାନୃତ୍ୟ, ପଟ୍ଟଚିତ୍ର, ତାଳପତ୍ର ଚିତ୍ର, ଖଡ଼ିପଥର କାମ, ସୋଲକାମ ଓ ଅନେକ କିସମର ମିଷ୍ଟାନ୍ନ ଯଥା ମାଲପୁଆ, ରାବିଡ଼ି, ରସାବଳୀ ଓ ଗଜା ଇତ୍ୟାଦି ଭାରତର ଅନ୍ୟ କୌଣସି ଜାଗାରେ ମିଳେନାହିଁ। ଆଜିକୁ ୩୦ ବର୍ଷ ତଳେ ପୁରୀ ମହାପ୍ରସାଦରେ ଯେଭଳି ସ୍ୱାଦ ଓ ସୁଗନ୍ଧ ଥିଲା ତାହା ଆଉନାହିଁ। ଶ୍ରୀମନ୍ଦିରର ଅଭଡ଼ା ଓ ଅନ୍ୟାନ୍ୟ ମିଷ୍ଟାନ୍ନଗୁଡ଼ିକର ଗୁଣାତ୍ମକ ମାନ ବଞ୍ଚାଇ ରଖିବା ପାଇଁ ମନ୍ଦିର କର୍ତ୍ତୃପକ୍ଷ ସମସ୍ତ ପଦକ୍ଷେପ ନେବା ଉଚିତ। ଆଜି ଓଡ଼ିଶାର ସମସ୍ତ ପ୍ରାନ୍ତରେ ଓ ଭାରତର ଅନ୍ୟାନ୍ୟ ରାଜ୍ୟର ବଜାରରେ ପୁରୀର ପ୍ରସିଦ୍ଧ ମିଷ୍ଟାନ୍ନ ଯଦି ପହଂଚି ପାରନ୍ତା ତେବେ ପୁରୀ ସହରର ଅନେକ ଯୁବକ ରୋଜଗାର ପାଇପାରନ୍ତେ। ଦେଶ ବିଦେଶର ପର୍ଯ୍ୟଟକମାନେ ପୁରୀରୁ ଖଡ଼ିପଥର କାମ, ସ୍ୟାଣ୍ଡଷ୍ଟୋନ କାମ, ସୋଲକାମ, ପଟ୍ଟଚିତ୍ର, ତାଳପତ୍ର ଚିତ୍ର କାମ ଓ ତିନି ଠାକୁରଙ୍କର ମୂର୍ତ୍ତି ଇତ୍ୟାଦି କିଣିଥାନ୍ତି। ଏକଦା ଏହା ଶହ ଶହ କାରିଗରଙ୍କୁ ରୋଜଗାର ଯୋଗାଇବାରେ ସହାୟକ ହେଉଥିଲା।
ଚାଳିଶ ବର୍ଷ ତଳେ ପୁରୀ ପଥୁରିଆ ସାହିର ଘରେ ଘରେ ଖଡ଼ିପଥର କାମ ହେଉଥିଲା। ପଥର ସଂଗ୍ରହ କରିବାରେ କଟକଣା ଲାଗିବାରୁ ଖଡ଼ିପଥର ଆଉ ଶିଳ୍ପୀମାନଙ୍କୁ ଉପଲବ୍ଧ ହେଉନାହିଁ। ପ୍ରସ୍ତର ଶିଳ୍ପୀମାନଙ୍କୁ ଖଡ଼ିପଥର ପ୍ରାପ୍ତ କରିବାରେ ଯଦି ସରକାର ସହାୟତା କରନ୍ତେ ତେବେ ଅନେକ ପ୍ରସ୍ତର ଶିଳ୍ପୀ ତାଙ୍କ କୌଳିକ ପେସାକୁ ବଞ୍ଚାଇ ରଖିବା ସଂଗେ ସଂଗେ ନିଜର ଆର୍ଥିକ ଅବସ୍ଥାରେ ସୁଧାର ଆଣିପାରିବେ। ଉଚ୍ଚକୋଟୀର ଖଡ଼ିପଥର କାମର ଚାହିଦା ବିଶ୍ୱ ହସ୍ତଶିଳ୍ପ ବଜାରରେ ଅଛି। ଖଡ଼ି ପଥର କାମରେ ଅତ୍ୟଧିକ ମୂଲ୍ୟଯୋଗ ହୋଇଥାଏ। ଏହି ଶିଳ୍ପକୁ ବଞ୍ଚାଇ ରଖିଲେ ଓଡ଼ିଶା ଅନେକ ବିଦେଶୀ ମୁଦ୍ରା ଉପାର୍ଜନ କରିପାରିବ। ନିଜେ ପରିଶ୍ରମ କରି ଧନ ଉପାର୍ଜନ କରୁଥିବା ଏହି ପ୍ରସ୍ତର ଶିଳ୍ପୀମାନେ ଏକଦା ସ୍ୱାଭିମାନର ସହିତ ପୁରୀରେ ଜୀବନ କାଟୁଥିଲେ। ଆଜି ଯଦିଓ ପୁରୀରେ ପର୍ଯ୍ୟଟନର ବିକାଶ ପାଇଁ ଅନେକ ସୁବିଧା ହୋଇଛି, କିନ୍ତୁ ଏହା ପୁରୀ ବାସିନ୍ଦାଙ୍କ ପାଇଁ ଲାଭଦାୟକ ହୋଇପାରିନାହିଁ। ମାର୍ଗଦର୍ଶନର ଅଭାବ, ପରିଶ୍ରମ କାତରତା, ଲୋକଦେଖାଣିଆ ବଦଖର୍ଚ୍ଚ, ଉଦ୍ୟୋଗର ଅଭାବ ଓ ଯୁବପିଢ଼ିଙ୍କ ଭିତରେ ଅନୁଶାସନର ଅଭାବରୁ ଏହି ଧର୍ମସ୍ଥଳୀରୁ ପୁରୀର ଯୁବକଗୋଷ୍ଠୀ ବିଶେଷ ଲାଭ ଉଠାଇ ପାରୁନାହାନ୍ତି। ପୁରୀରେ ଅଧିକାଂଶ ହୋଟେଲ, ଜଳଖିଆ ଦୋକାନ ଓ ହସ୍ତଶିଳ୍ପ ଦୋକାନଗୁଡ଼ିକ ଓଡ଼ିଶାବାହାରୁ ଆସିଥିବା ବେପାରୀମାନେ ଚଳାଉଥିବାର ଦେଖାଯାଏ।

ଶ୍ରୀ ଜଗନାଥ ମନ୍ଦିରର ବାହାର ପରିବେଶକୁ ସୁନ୍ଦର କରିବା ସଂଗେ ସଂଗେ ମନ୍ଦୀର ଭିତରେ ଥିବା ସୌନ୍ଦର୍ଯ୍ୟର ସୁରକ୍ଷା କଲେ ଏହା ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ପୁରୀ ମନ୍ଦିରରେ ସବୁଠାରୁ ସୁନ୍ଦର କାରୁକାର୍ଯ୍ୟ ଲକ୍ଷ୍ମୀ ମନ୍ଦିରରେ ଦେଖିବାକୁ ମିଳୁଥିଲା। ଲକ୍ଷ୍ମୀ ମନ୍ଦିରର ଉତ୍ତର ପାର୍ଶ୍ୱ କାନ୍ଥରୁ ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ ବିମଣ୍ଡିତ ପଥର ପ୍ୟାନେଲ ଆଉ ଦୃଷ୍ଟି ଗୋଚର ହେଉନାହିଁ। କୋଟି କୋଟି ଟଙ୍କା ମୂଲ୍ୟର ଏହି ସୁକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ପଥର ପ୍ୟାନେଲ ଓ ମୂର୍ତ୍ତିଗୁଡ଼ିକର ସୁରକ୍ଷା ପାଇଁ ସରକାର ଏହାର ପଞ୍ଜିକରଣ କରିବା ଦରକାର।

ଶ୍ରୀମନ୍ଦିର ଭିତର କାନ୍ଥରେ ଥିବା ଉଚ୍ଚକୋଟୀର ପ୍ରାଚୀନ ଓଡ଼ିଶୀ ଚିତ୍ରକଳାକୁ ସୁରକ୍ଷିତ କରିବା ପରିବର୍ତ୍ତେ ଏହାକୁ ଲିଭାଇ ନିକୃଷ୍ଟ ଧରଣର ଚିତ୍ର ଅଙ୍କା ଯାଇଛି। ଓଡ଼ିଶୀ ଚିତ୍ର ଯେତେ ପୁରୁଣା ହୁଏ ତାହାର ମହତ୍ୱ ସେତେ ବଢ଼ିଥାଏ। ଓଡ଼ିଶାର ସମସ୍ତ ମଠ ଓ ମନ୍ଦିରରେ ଥିବା ଏହି ପ୍ରାଚୀନ ଓଡ଼ିଶୀ ଚିତ୍ର କଳାର ମହତ୍ୱ ବୁଝି ଏହାକୁ ସୁରକ୍ଷିତ ରଖିବା ନିହାତି ଦରକାର। ଏସବୁ ସମ୍ପଦର ସୁରକ୍ଷା ପାଇଁ ସରକାର ବରିଷ୍ଠ ଚିତ୍ରଶିଳ୍ପୀ ଓ ପ୍ରସ୍ତର ଶିଳ୍ପୀଙ୍କ ସହିତ ପରାମର୍ଶ କରିବା ନିହାତି ଦରକାର। ନିଜ ସଂସ୍କୃତି ପ୍ରତି ରୁଚି ଓ ଶ୍ରଦ୍ଧା ଥିବା କର୍ମନିଷ୍ଠ ଓ ସଚ୍ଚୋଟ ଲୋକପ୍ରତିନିଧି ଓ ଅଧିକାରୀମାନଙ୍କୁ ସରକାର ଠାବ କରି ସେମାନଙ୍କୁ କଳା ସଂସ୍କୃତିର ସୁରକ୍ଷା ଦାୟିତ୍ୱ ଦେବା ଉଚିତ।

ଆଧ୍ୟାତ୍ମିକ ସହର ପୁରୀରେ ବିମାନ ବନ୍ଦରର କୌଣସି ଆବଶ୍ୟକତା ନାହିଁ। ଯେତେବେଳେ ୬୦ କିଲୋମିଟର ଦୂରରେ ଭୁବନେଶ୍ୱରରେ ଏକ ବିମାନ ବନ୍ଦର ଅଛି, ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର କରିବାର କୌଣସି ପ୍ରୟୋଜନ ଦେଖାଯାଏ ନାହିଁ। ଟାକ୍ସି ଚାଳକମାନେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ଭୁବନେଶ୍ୱରରୁ ପୁରୀ ନେବା ଆଣିବା କରି ତାଙ୍କର ଜୀବିକା ଅର୍ଜନ କରିଥାନ୍ତି। ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କୁ ରାସ୍ତାରେ ପିପିଲି ଚାନ୍ଦୁଆ ବଜାର, ରଘୁରାଜପୁର ହସ୍ତ ଶିଳ୍ପ ଗ୍ରାମ, ସାକ୍ଷୀଗୋପାଳ, ଧଉଳିଗିରି ଓ ମନୋରମ ନଡ଼ିଆ ଗଛର ଜଙ୍ଗଲ ଦେଖିବାକୁ ମିଳେ। ବିମାନ ବନ୍ଦର ହେଲାପରେ ପର୍ଯ୍ୟଟକମାନେ ଆଉ ଭୁବନେଶ୍ୱରରୁ ପୁରୀ ଆସିବେ ନାହିଁ। ଫଳରେ ହଜାର ହଜାର ଓଡ଼ିଆ ଯୁବକ ପରିବହନ ସମେତ ଅନ୍ୟ କେତେକ କ୍ଷେତ୍ରରେ ନିଜର ଜୀବିକା ହରାଇବେ। ବିମାନ ବନ୍ଦର ଅଳ୍ପ କେତୋଟି ବେପାରୀ ଓ ଧନୀ ବିଦେଶୀ ପର୍ଯ୍ୟଟକଙ୍କୁ ସାହାଯ୍ୟ କରିବ। ଧନୀ ଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଭୁବନେଶ୍ୱରରୁ ପୁରୀ ଯିବାବେଳେ ଯେଉଁ ଆର୍ଥିକ ଗତିବିଧିଗୁଡିକୁ ସହାୟତା କରୁଥିଲେ ସେଗୁଡିକ ନିଶ୍ଚିତ ଭାବରେ ବାଧାପ୍ରାପ୍ତ ହେବ। ଭୁବନେଶ୍ୱରରୁ ପୁରୀ ଶୀଘ୍ର ଆସିବା ପାଇଁ ଏକ ନୂତନ ରାସ୍ତାର ମଧ୍ୟ ନିର୍ମାଣ ହୋଇଛି। ଯେତେବେଳେ ଧନୀ ବିଦେଶୀ ଓ ଭାରତୀୟ ପର୍ଯ୍ୟଟକମାନେ ସୁରୁଖୁରୁରେ ଭୁବନେଶ୍ୱରରୁ ପୁରୀ ଆସିପାରୁଛନ୍ତି ସେତେବେଳେ ପୁରୀରେ ବିମାନ ବନ୍ଦରର କଣ ଆବଶ୍ୟକତା ଅଛି?

ପୁରୀ ବେଳାଭୂମିକୁ ଏକଦା ଗୋଲଡେନ ବିଚ କୁହାଯାଉଥିଲା। ବିଗତ ତିରିଶ ବର୍ଷ ଭିତରେ ଏହି ବେଳାଭୂମି ତାହାର ସମସ୍ତ ସୌନ୍ଦର୍ଯ୍ୟକୁ ହରାଇ ବସିଛି। ପ୍ରଶାସନ ପୁରୀ ବେଳାଭୂମି ଉପରେ ହୋଟେଲ, ଉଠା ଦୋକାନ ଓ ଅନେକ କଂକ୍ରିଟ ଡାଞ୍ଚା ତିଆରି କରିବାକୁ ଅନୁମତି ଦେଇଥିବାରୁ ପୁରୀ ବେଳାଭୂମିର ଅପୂରଣୀୟ କ୍ଷତି ହୋଇଛି। ଦେଶୀ ଓ ବିଦେଶୀ ପର୍ଯ୍ୟଟକମାନେ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ କଲାବେଳେ ବେଳାଭୂମିକୁ ପ୍ଲାଷ୍ଟିକ, କାଗଜ, ଛିଣ୍ଡା କପଡ଼ା ଓ ଖାଦ୍ୟ ପଦାର୍ଥ ପକାଇ ନଷ୍ଟ କରୁଥିବାର ଲକ୍ଷ କରାଯାଏ। ପୁରୀ ସହରରୁ ନିଷ୍କାସିତ ହେଉଥିବା ନାଳଗୁଡିକ ପୁରୀ ବେଳାଭୂମିରେ ଆସି ମିଶିଛି। ବେଳାଭୂମିରେ ମିଶିବା ପୂର୍ବରୁ ଏହି ନର୍ଦ୍ଦମା ପାଣିକୁ ଟ୍ରିଟମେଣ୍ଟ କରିବାର ନିହାତି ଆବଶ୍ୟକତା ଅଛି। ବେଳାଭୂମିରେ ଥିବା ଝାଉଁଗଛର ସବୁଜ ବଳୟ ସମ୍ପୂର୍ଣ୍ଣ ନଷ୍ଟ କରାଯାଇ ସେ ସ୍ଥାନରେ ହୋଟେଲ ତିଆରି କରାଯାଇଛି। ସୁପ୍ରିମ କୋର୍ଟର ଆଦେଶ ଅନୁସାରେ ସମୁଦ୍ର ଜୁଆରଠାରୁ ୫୦୦ ମିଟର ଭିତରେ କୌଣସି ଢାଞ୍ଚା ତିଆରି କରିବାକୁ ଅନୁମତି ନାହିଁ। ବେଳାଭୂମିର ଅନେକ ଜାଗାରେ ଏହି ଆଦେଶକୁ ଅବମାନନା କରଯାଇଥିବାର ଦେଖାଯାଏ।

ଏବେ ପୁରୀରେ ବିମାନ ବନ୍ଦର ହେଲେ ଏହା ପୁରୀର ଶାନ୍ତ ବାତାବରଣକୁ ନିଶ୍ଚିତ ଭାବରେ ନଷ୍ଟ କରିଦେବ। ପୁରୀର ବରିଷ୍ଠ ନାଗରିକମାନେ କୁହନ୍ତି ବିମାନ ବନ୍ଦର ହେଲେ ପୁରୀର ଜଗନ୍ନାଥ ସଂସ୍କୃତି ଉପରେ କୁପ୍ରଭାବ ପଡ଼ିବ। କେନ୍ଦ୍ରରେ ବିଜେପି ସରକାର ଥାଇ ଏହି ବିମାନ ବନ୍ଦରକୁ କିଭଳି ସ୍ୱୀକୃତି ଦେଲା ଏହା ଚିନ୍ତାର ବିଷୟ। ନିଜକୁ ଦେଶପ୍ରେମୀ, ହିନ୍ଦୁ ଧର୍ମର ରକ୍ଷକ ଓ ଭାରତୀୟ ସଂସ୍କୃତିର ପରିପୋଷକ କହୁଥିବା ବିଜେପି କିଭଳି ଏହି ପଦକ୍ଷେପ ନେଲା ଏହା ପୁରୀବାସୀଙ୍କୁ ଚକିତ କରିଦେଇଛି। ପୁରୀର ସାଂସ୍କୃତିକ ପରିବେଶକୁ ରକ୍ଷା କରିବା ପାଇଁ ଦରକାର ଏକ ବେଦ ଗବେଷଣାଗାର, ଏକ ସଂସ୍କୃତ ବିଶ୍ଵବିଦ୍ୟଳୟ, ବେଦ ବିଶ୍ୱବିଦ୍ୟାଳୟ କିମ୍ବା ଶିଳ୍ପୀ ଓ ଚିତ୍ରକାରମାନଙ୍କ ପାଇଁ ଏକ ଶିଳ୍ପଗ୍ରାମ।

ପ୍ରତିବର୍ଷ ବନ୍ୟା ଓ ବାତ୍ୟାର ପ୍ରକୋପ ଓଡ଼ିଶାରେ ଅନେକ ଧନ ଜୀବନ ନଷ୍ଟ କରିଥାଏ। ବିମାନ ବନ୍ଦର, ଫ୍ଲାଇ ଓଭର, ମେଟ୍ରୋ ରେଳ ଓ ବଡ଼ ବଡ଼ କଂକ୍ରିଟ ଢାଞ୍ଚା ତିଆରି କରିବା ବଦଳରେ ଓଡ଼ିଶାବାସୀ କିଭଳି ବନ୍ୟା ବାତ୍ୟାରୁ ନିଜକୁ ସୁରକ୍ଷିତ ରଖିପାରିବେ ସେଥିପାଇଁ ସରକାର ବ୍ୟବସ୍ଥା କରିବା ଉଚିତ। ନିକଟରେ ହୋଇଥିବା ଫନି ବାତ୍ୟାକୁ ଆଖିଆଗରେ ରଖି ପୁରୀବାସୀଙ୍କର ଧନ ଜୀବନ ରକ୍ଷା କରିବାପାଇଁ ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଏକ ଘଞ୍ଚ ସବୁଜ ବଳୟ ସୃଷ୍ଟି କରିବା ଉଚିତ। ଓଡ଼ିଶା ସରକାର ପୁରୀଠାରୁ ୨୦ କିଲୋମିମିଟର ପରିଧି ଭିତରେ କୌଣସି ନୂତନ ହୋଟେଲ କିମ୍ବା ଉଦ୍ୟୋଗ ତିଆରି କରିବାକୁ ଅନୁମତି ଦେବା ଉଚିତ ନୁହେଁ। ଓଡ଼ିଶା ପ୍ରେମୀ, ଶ୍ରଦ୍ଧାଳୁ ଓ ଜଗନ୍ନାଥଙ୍କ ଭକ୍ତ ରାଜନେତା, ବୁଦ୍ଧିଜୀବୀ, ପୁରୀବାସୀ ଓ ଯୁବପିଢ଼ି ଜଗନ୍ନାଥ ପୁରୀର ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିବେଶକୁ ରକ୍ଷା କରିବାପାଇଁ ତତ୍ପର ହେବା ଦରକାର।

                                                                                                                  -ସୁଧାଂଶୁ ରଞ୍ଜନ ଦାସ

Other Stories

  • Drain Mishap in Bhubaneswar
    Odisha ଜଳ ନିଷ୍କାସନ ନଳାରେ ଭାସିଯାଉଛି ଜୀବନ!

    ସତେ ଯେମିତି ଡ୍ରେନ୍‌ ମୁକୁଳା ରଖିବା ହେଉଛି ସହର ଯୋଜନାର ଅଂଶବିଶେଷ! ଆଉ ପ୍ରତି ବର୍ଷ ମରାମତି ଆଳରେ ଡ୍ରେନରେ ଲକ୍ଷଲକ୍ଷ ଟଙ୍କା ଭସେଇଦେବା ମଧ୍ୟ ବିଏମସିର ଏକ ସେବା!

  • Nuakhai
    Nuakhai Celebration ନୂଆଖାଇ ଜୁହାର ଭେଟ: ମଣିଷ ସଭ୍ୟତାର ଉଦ୍ଭାବନର ଉତ୍ସବ

    ଗଡ଼ଜାତ ଶାସନ ସମୟରେ ନୂଆଖାଇ ପର୍ବର ପାଳନ ପଦ୍ଧତିରେ କିଛି ନୂତନ ନିୟମ କାନୁନ ଲାଗୁହେଇଛି। ସେଗୁଡ଼ିକ କେତେ ଯୁକ୍ତିଯୁକ୍ତ ତାହା ଅଞ୍ଚଳବାସୀ ବିଚାର କରିବେ। ଲେଖକଙ୍କ ଉଦ୍ଦେଶ୍ୟ ହେଲା ପଶ୍ଚିମାଞ୍ଚଳ ଆଦିବାସୀଙ୍କ ବିଶେଷ ଜ୍ଞାନରୁ ଜନ୍ମ...

  • Court
    Law ଆଇନର ଶାସନ ଓ ଦଳୀୟ ଅମଲାତନ୍ତ୍ର

    ୨୦୨୧ ଅଗଷ୍ଟ ୨୬ ତାରିଖରେ ଗୋଟିଏ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଓଡ଼ିଶା ସମେତ ଭାରତର ଅନ୍ୟ ସମସ୍ତ ପ୍ରଦେଶ ତଥା କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ...

  • Pegasus Politics
    Pegasus Politics ପେଗାସସ୍ - ଏକ ପ୍ରଶ୍ନବାଚୀ

    ପେଗାସସ୍‌, ଏହା ଏକ ସ୍ପାଇୱେୟାର । ଏହା ଏମିତି ଏକ ସ୍ପାଇୱେୟାର, ଯାହା ଦ୍ୱାରା ଲୋକମାନଙ୍କର ଫୋନ୍‌ ନମ୍ବର ମାଧ୍ୟମରେ ଫୋନ୍‌ରେ ଥିବା ସମସ୍ତ ତଥ୍ୟ ଚୋରେଇ ନିଆଯାଇପାରିବ ।