ସହରୀ ସଭ୍ୟତାର ଅନ୍ଧଗଳିରେ କୁଆଡ଼େ ଗଲା ଜମାଣ ରାତିର ମଉଜ କଥା ?

ମୋ ଗାଁର ଦୋଳଯାତ

ଅମ୍ବରୀଶ ମଂଗରାଜ

ଆଇନଜୀବୀ

ମୁଣ୍ଡମୁହାଣ, ଯାଆଁଳା

 

ସେ ବର୍ଷ ଭୀଷଣ ଖରା, ସକାଳିଆ ସ୍କୁଲ ହେଉଥାଏ ଆମର । ଦେହ ହାତ ଝାଞ୍ଜିରେ ରେ ଶୀତେଇ ଯାଉଥାଏ, ସ୍କୁଲ ସାରି ପୋଖରୀ ଦଉଡିଛି ଗାଧେଇବା ପାଇଁ ମୁଁ । ଭାଇ ବାଟରେ ଦେଖା ହେଇ ବରାଦ ଦେଲା ନାହାକ ଘର ତୋଟାରୁ ଆମ୍ବ ଆଣିବୁ, ଆଜି ପଖାଳ ଟେ ହବ। ଆମ୍ବ,ରସୁଣ,କଞ୍ଚାଲଙ୍କା ମିଶେଇକି ଛୋଟ ହେମଦସ୍ତା ରେ ଛେଚା ହୋଇ ପାଗଟେ ହବ କୋଚିଆଝର କାଲୁଆ ପାଣିରେ ଗାଧୋଇ ଓଉଗଛ ରୁ ଡେଇଁଲା ବେଳେ ମନ କିନ୍ତୁ ଥାଏ ପଖାଳ କଂସାରେ, ପାଟିରେ ଲାଳ ର ସମୁଦ୍ର ଖାଲି ଭଉଁରୀ ଖାଉଥାଏ ଯେମିତି । କିନ୍ତୁ ଭାଗ୍ୟର ବିଡମ୍ବନା ଆମ୍ବ ଝଡ଼େଇକି ଗାମୁଛାରେ ବାନ୍ଧିକି ଘରକୁ ଆଣିଛି ତ ଗାଳିର ବର୍ଷଣ ଚାଲିଲା ମୋ ଉପରେ, ବୋଉ ଗୋଷି ମା ଯୁଦ୍ଧ ଘୋଷଣା କରିଦେଲେ ମୋ ବିରୁଦ୍ଧରେ । ଦିଅଁ ଭୋଗ ଖାଇନାହାନ୍ତି ତୁ ଆମ୍ବ ପାରିଲୁ କାଇଁକି ପୁଣି ଆଣିଛୁ ଖାଇବୁ!!! ମୋ ଅପରାଧରେ ସହାଭାଗୀ ଭାଇ ପୁରା ଭଦ୍ର ଲୋକ ଭଳି ହସୁଥାଏ, ଆଉ ଅଭାଗା ମୁଁ କଚେରୀ ଅଗଣାରେ ମୁଦାଲା ଭଳି ଦଣ୍ଡାୟମାନ ।

ମୋର ମନେ ପଡିଗଲା #ଦୋଳ ଆସୁଛି, ହଁ ଦୋଳଯାତ୍ରା ମହାପ୍ରଭୁ ଘର ଘର ବୁଲିବେ, ଭୋଗ ଖାଇବେ । ଆଖପାଖ ଗାଁ ରେ ଏକମାତ୍ର ମେଳଣ ଆମ ଗାଁ ମୁଣ୍ଡମୁହାଁଣରେ । ଘର, ବାଡ଼ି, ତୋଟା, ବଗିଚା ସବୁ ଗଛର ଆମ୍ବ ସବୁ ପ୍ରଥମେ ଲାଗି ହେବ ମହାଦେବଙ୍କ ପାଖରେ ପରେ ଯାଇ ଯିଏ ଖାଇବ । ଦୋଳଯାତ କଥା ଶୁଣିବା ମାତ୍ରେକେ ମୋ ମନ ଗଗନ ପବନରେ ଉଡିବାକୁ ଲାଗିଲା । #ଜମାଣ ରାତିର ମଉଜ କଥା କହିଲେ ନ ସରେ ।

ପୁନେଇଁ ଜହ୍ନକୁ ମସ୍ତକରେ ଧାରଣ କରି ସ୍ୱୟଂ ଚଦ୍ରଶେଖର ରାତିର ଅନ୍ଧକାର କୁ ଚିରି ମହାପ୍ରଭୁ ଝଲସୁଥିବେ, ଗାଁରେ ବାରିକ ସେବକ ସଂସ୍କୃତି ର ମଶାଲ ଅଗ୍ନି କୁ ଧରି ପ୍ରଭୁଙ୍କୁ ବାଟ କଢେଇ ନେଉଥିବ । ସୁସଜ୍ଜିତ ବିମାନର ଦିଅଁ ଆସୁଥିବେ କାନ୍ଧିଆଳି ଙ୍କ ମଜଭୁତ କାନ୍ଧରେ ନାଚି ନାଚି ହଲି ହଲି….. ରକମ ରକମ ର ଆତସବାଜି, ରଙ୍ଗବେରଙ୍ଗର ଲାଇଟ ସବୁ ରାତିର ନିରବତାରେ ଚଞ୍ଚଳତା ଭରି ଦେଉଥିବ । ଗାଁ ର କୀର୍ତ୍ତନୀଆ ଆତ୍ମବିଭୋର ହୋଇ ଭଜନ ପରିବେଷଣ କରୁଥିବେ, ଘୋଡା ନାଚ, ଷଣ୍ଢ ଲଢେଇ ସାଙ୍ଗକୁ ଚାଙ୍ଗୁଡ଼ି ବାଜା, ମୃଦଙ୍ଗ, ମାଦଳର ଅପୂର୍ବ ଶବ୍ଦଧ୍ଵନୀ ପ୍ରତିଟି ଆତ୍ମାକୁ ଝଙ୍କୃତ କରି ଦେଉଥିବ ଗାଁରେ ସମସ୍ତେ ବ୍ୟସ୍ତ, ଦିଅଁ ଘରକୁ ଆସିବେ ଭୋଗ ଖାଇବେ । ଗୋବର ଲିପା ହୋଇ ଗାଁ ଦାଣ୍ଡ ସଜେଇ ହୋଇଛନ୍ତି ଗ୍ରାମଦେବତାଙ୍କ ଅପେକ୍ଷାରେ…

ନାନା ରଙ୍ଗର ମୁରୁଜରେ ଭୋଗ ସ୍ଥାନ ସଜା ଯାଇଥିବ ପୂଜକ ଭାଇନା ଆସି ଘଣ୍ଟି ବଜେଇ ପାଣି ଛଡେଇ ଭୋଗ କରିବେ । ଆଉ ତା ପରେ ଆରମ୍ଭ ହୋଇଯିବ ଆମର ଅହୋରତ୍ର ଭୋଜ । ମହାଦେବଙ୍କ ସାଙ୍ଗରେ ହରି (ମଦନମୋହନ /ରାଧାମାଧବ ) ବି ଆସିବେ ମାନବ ଚକ୍ଷୁକୁ ପ୍ଲାବିତ କରିବା ପାଇଁ ଏତେ ସବୁ କଥା ଭାବି ମନ ମୋର ପବନଘୋଡା ସାଜୁଥାଏ ସବୁଠାରୁ ମଜା ହେଲା ଗାଁ ଦୋଳ ମେଳଣ ସମୟରେ ସଭିଙ୍କ କୁଣିଆଁ ମୈତ୍ର ଙ୍କ ସମାଗମ ହୋଇଯାଏ । ଆମକୁ ବର୍ଷ ଯାକ ଗାଉଁଲି କହି ଚିଡ଼ଉଥିବା ମାମୁଁ ଘର ଓ ମାଉସୀ ସବୁ ଆସି ହାଜର ହେଇଯାନ୍ତି ଦୋଳ ସମୟରେ, ମତେ ଭାରି ଆଶ୍ଚର୍ଯ୍ୟ ଲାଗେ ଆଉ ଖୁସି ବି ଗାଁର ଗୋଧୂଳି, ଫଗୁର ଫଗୁଣର ଆକର୍ଷଣ ସତରେ ଯାଦୁଗରୀ, ସେ କଥା ବୁଝିବା ବୟସ ବୋଧେ ମୋର ହୋଇ ନଥାଏ ।

ଜମାଣ ସରୁ ସରୁ ଭୋର ହେଇଯାଏ, ପ୍ରଭୁ ଗ୍ରାମେଶ୍ୱରର ମେଳଣ ପଡିଆରେ ନିଜ ଆସ୍ଥାନରେ ବସିଯାନ୍ତି ନିଜ ବଡ ଭାଇ ଶ୍ରୀ ମୃଗେଶ୍ୱରଙ୍କ ବାଟକୁ ଚାହିଁ । ପାହାନ୍ତିଆ ଖରା ପଡ଼ୁ ପଡ଼ୁ ମେଳଣ ପଡିଆ ବଜାରର ଭ୍ରମ ସୃଷ୍ଟି କରେ, ନାନାଦି ପ୍ରକାରର ଦୋକାନୀ ସବୁ ପାଲ ଟାଣି ନିଜର ବାଣିଜ୍ୟ ପସରା ମେଲେଇ ଦିଅନ୍ତି । କଟୁରୀ, କୋଦାଳ,ଧାନ କଟା ଦା, ବେଲଣା କାଠି, ଆମ୍ବୁଲ, ଆଚାର, ମୁଗ, ବିରି, କୁଲା, ବାଉଁଶିଆ, କପ ପ୍ଲେଟ, ବେଲୁଣି, ବିଞ୍ଚଣା, ମଶିଣା ଆଦି ଘର କରଣା ଜିଣିଷର କ୍ଷୁଦ୍ର ମାତ୍ର #ଅତିଆପଣାର ବଜାର । ମାଲପୁଆ, ଦହିବରା, ଚାଟ, ଗୁପଚୁପ, ବମ୍ବେଇ ଲଡ଼ୁ, ଝାଲ ମୁଢି ଭଳି ନାନାଦି ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ । ଦୋଳ ଆସିଲେ ଭଲ ଆୟ ହେଇଯାଏ କିନ୍ତୁ ଘରକୁ ଯିଏ ଆସନ୍ତି ମାମୁଁ, ମାଇଁ, ମାଉସୀ, ପିଇସୀ, ବଡ ବୋଉ, ଖୁଡି ସବୁ ହାତରେ ପଇସା ଖୁଞ୍ଜି ଦେଇ ଯାଆନ୍ତି । ଏତେ ଟଙ୍କା ପାଖରେ ଦେଖିଲେ ଅମ୍ବାନୀ ଆଦାନୀ ବି ଲାଜେଇ ଯିବେ ଉପର ବେଳା ଅପେରା ପାର୍ଟି ଆସିଯିବେ, ରାତିରେ ଯାତ ଜମିବ ଚାହୁଁ ଚାହୁଁ ଦୁଇ ଦିନ ସରିଯାଏ ଜଣା ପଡ଼େନି ।

ମେଳଣ ସକାଳୁ ଆଖ ପାଖ ସବୁ ଗାଁର ଶ୍ରଦ୍ଧାଳୁ ଆସି #ହରିହର ଙ୍କ ଉପରେ ଫଗୁ ପକାଇ ନିଜକୁ କୃତ୍ୟ କୃତ୍ୟ କରନ୍ତି ସପ୍ତବର୍ଣ୍ଣର ଆସ୍ତରଣରେ ଯେମିତି ହରିହର ଝଲସି ପଡନ୍ତି ଭକ୍ତମାନଙ୍କ ପାଇଁ । ଖଞ୍ଜଣୀ,ଝାଂଜ, ଗିନି, ଖୋଳ ମାଡ଼ରେ ଦଶ ଦିଗ ପ୍ରକମ୍ପିତ ହୋଇ ଉଠେ । ଯଜ୍ଞର ଚାଲୁଥାଏ, ଗାଁର ସବୁ ବୟୋଜ୍ୟଷ୍ଠ ଯଜ୍ଞରେ ସାମିଲ ହୁଅନ୍ତି ମେଳଣର ସବୁଠୁ ବଡ ଆକର୍ଷଣ ଥାଏ ଦିଅଁ ଙ୍କ #ଭୋଗ_ଆଟିକା,#ନାଗା ନାଚ #ଚଇତି ଘୋଡା ନାଚ କଳା ରଙ୍ଗର ଆଟିକାରେ ଓଡିଶା ପ୍ରସିଦ୍ଧ ଆମ ଗାଁ କୋରା ଖଇ, ଖୁସି, ଶାକର, କଞ୍ଚା ଆମ୍ବ, ଲିଆ, ଉଖୁଡା, ମୁଗ, ରାଶି ଲଡ଼ୁ, ଚଣା ଲଡ଼ୁ, ଚୂଡ଼ା ଘଷା, ଧନୁ ମୁଆଁ ଆଦି ନାନାଦି ରକମ ର ଭୋଗରାଗ ସ୍କୁଲରେ ସେଦିନ ଅଘୋଷିତ ଛୁଟି, ଦିଦି ସାରେ ଗାଁ ରେ ମେଳଣ କଥା ଜାଣି ପିଲାଙ୍କୁ ଛାଡିବାକୁ ବାଧ୍ୟ । ବହି ବସ୍ତାନି ଟାକୁ ଘର ପିଣ୍ଡାରେ ଫୋଫାଡ଼ି ଦେଇ ସବୁ ରପ୍ତାନୀ ହେବୁ ମେଳଣ ପଡିଆକୁ…

ଗାଁର ଶେଷମୁଣ୍ଡ ରେ ମହାଦେବଙ୍କ ମନ୍ଦିର, ମନ୍ଦିର ସାମନାରେ ମେଳଣ ପଡିଆ, ପଡିଆକୁ ଜଗିଛନ୍ତି ନଭଶ୍ଚୁମ୍ଭି ତିନି ତିନୋଟି ବଟବୃକ୍ଷ, ମନ୍ଦିର ସମୁଖରେ ଶନିଦେବଙ୍କ ଆସ୍ଥାନରେ ବିଶାଳ ଅଶ୍ୱଥର ସଜ ସଜ ପତ୍ର ସବୁ ପବନରେ ନୃତ୍ୟରତ । ସଦ୍ୟ ଗ୍ରୀଷ୍ମର ଝାଞ୍ଜିକୁ ପ୍ରଶମିତ କରିବାକୁ ତିନି ଦିଗରୁ ମକରହତା, ଚନ୍ଦନ ପୋଖରୀ, କୋଚିଆଝରରୁ ଶୀତଳ ପବନ ବହି ଆସୁଥିବ ଯଜ୍ଞ ଚାଲିଥିବ, ଅବିର ଇନ୍ଦ୍ରଧନୁ ର ରଙ୍ଗସମ ଉଡ଼ୁଥୁବ, ନୀଳ ଆକାଶ ଭକ୍ତର ଫଗୁରେ ସପ୍ତବର୍ଣ୍ଣି ପାଲଟିଯାଇ ହରିହର ଙ୍କୁ ପ୍ରଣତି ଜଣାଉଥିବଯେମିତି ହରିହର ଙ୍କ ପବିତ୍ର ଶ୍ରୀଅଙ୍ଗ ରେ ଅବିର ବୋଳି ଗାଁର ସବୁ ବର୍ଗର ଲୋକ ଆତ୍ମତୃପ୍ତି ଅନୁଭବ କରୁଥିବେ, ବୃଦ୍ଧ ବୃଦ୍ଧା ଙ୍କ ଆଖିରୁ ଆନନ୍ଦାଶ୍ରୁ ଝରି ପଡୁଥୁବ । ମେଳଣ ଯଜ୍ଞ ସରିବା ପରେ ଉଠିବେ ସବୁ ବିମାନ, ରତ୍ନବେଦୀ ଚାରିପାଖେ ହେବ ପରିକ୍ରମା । ଅବିରର ଅବିଶ୍ରାନ୍ତ ବର୍ଷାରେ କାହାକୁ ଚିହ୍ନିବା କଷ୍ଟ ହୋଇ ପଡୁଥୁବ, ଅସହ୍ୟ ତାତିରେ ମଧ୍ୟ କାନ୍ଧିଆଳୀ ମାନଙ୍କ ମୁଖ ମଣ୍ଡଳରେ ସାମାନ୍ୟ କ୍ଲାନ୍ତି ନଥିବ ଥିବ କେବଳ ପରମ ପ୍ରଶାନ୍ତି ।

ମେଳଣ ପଡିଆରେ ହରିହ ଙ୍କ ଭେଟ ସମୟର ଅନୁଭୂତିକୁ ଶବ୍ଦରେ ପ୍ରକାଶ କରିବା କଷ୍ଟସାଧ୍ୟ, ସେ ଈଶ୍ବରୀୟ ଆଧ୍ୟାତ୍ମିକ ଭାବନାକୁ କେବଳ ଉପସ୍ଥିତରେ ଅନୁଭବ କରିହୁଏ, ଅବିରର ପ୍ରତିଟି ରେଣୁର ପରଶରେ ଅପୂର୍ବ ଶାନ୍ତିର ଆଭାସ ମିଳେ । ଆତ୍ମା ସହ ପରମାତ୍ମାଙ୍କ ମିଳନର ପର୍ବ ଆମ ଦୋଳ ପର୍ବ ମେଳଣପଡ଼ିଆରୁ ଶୋଭାଯାତ୍ରା ବାହାରିବ ଗାଁ ଭିତର ମଣ୍ଡପ ଯାଏଁ ଗାଁ ଦାଣ୍ଡରେ ଭଳିକି ଭଳି ନୂଆ ଶାଢ଼ୀ ସବୁ ପରା ଯାଇଥିବ, ଠାକୁର ଆସିବା ପାଇଁ, ଏତେ ଗହଳି ଯେ ସୋରିଷ ପକେଇବାକୁ ଜାଗା ନଥିବ, ଆମ ପୁରୁଣା ଘର ପିଣ୍ଡା ରେ ଗାଁ ର ଆବାଳ ବୃଦ୍ଧ ବନିତା ଅପେକ୍ଷାରେ ଥିବେ ହରିହର ଙ୍କର, ଦୂରରୁ ଦିଶି ଯାଉଥିବେ ମହାପ୍ରଭୁ ଦଳପତିଙ୍କ ଆଗମନରେ ବାୟୁମଣ୍ଡଳ ରଙ୍ଗେଈ ହେଇଯାଇଥିବ, ସୈନ୍ୟ ସାମନ୍ତ ଧରି ଆସିବେ ପ୍ରଭୁ #ହରହର ମହାଦେବ #ଆନନ୍ଦେ ଏକବାର ହରିବୋଲ ଶ୍ରୀଧ୍ୱନିରେ ଗାଁ ଦାଣ୍ଡ ଉଛୁଳି ପଡ଼ୁଥୁବ । କାନ୍ଧିଆଳି ନିଜ କାନ୍ଧରେ ପ୍ରଭୁଙ୍କୁ ଦିବ୍ୟାକାଶରେ ନଚେଇ ନଚେଇ ନେଇ ଯାଉଥିବେ । ତାଙ୍କ ଆସ୍ଥାନକୁ, ଆମ ଗାଁ ମେଳନ ପରେ ପ୍ରଭୁ ବାହାରିବେ ହରିରାଜପୁର ମେଳଣକୁ . . . .

ପୁଣି ଅପେକ୍ଷାରେ ରହିବି ଆର ବର୍ଷକୁ, ଫଗୁର ଫଗୁଣକୁ , କୋଇଲିର କୁହୁତାନକୁ, ଆମ୍ବ ବଉଳର ସୁଗନ୍ଧକୁ, ହରିହରଙ୍କ ଭବ୍ୟ ଭେଟକୁ . . .ସହରୀ ସଭ୍ୟତାର ଅନ୍ଧଗଳିରେ ମୋ ଗାଁର ଗାଉଁଲି ସୁଗନ୍ଧ ଏମିତି ଅନନ୍ତ କାଳ ପାଇଁ ବିଚ୍ଛୁରିତ ହୋଇ ପାରନ୍ତା କି !!!!!

You might also like