‘ବାହୁବଳୀ’ ନିର୍ଦ୍ଦେଶକଙ୍କ ଏହି ବିଗ୍ ବଜେଟ୍ ଫିଲ୍ମରୁ ବାଦ୍ ପଡ଼ିବେ କି ଆଲିୟା ଭଟ୍ଟ?

ଭୁବନେଶ୍ୱର: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୧୧ ଦିନ ବିତି ଗଲାଣି। କିନ୍ତୁ ତାଙ୍କ ଦେହାନ୍ତକୁ ନେଇ ପ୍ରଶଂସକଙ୍କ ମନରେ ଏବେବି ଆକ୍ରୋଶ ଭରି ରହିଛି। ତାଙ୍କ ମୃତ୍ୟୁ ପାଇଁ ପ୍ରଶଂସକ ବଲିଉଡର କିଛି ବଡ଼ ପ୍ରଡକ୍ସନ୍ ହାଉସ୍ ବ୍ୟତୀତ କରଣ ଜୋହର୍, ସଲମାନ୍ ଖାନ୍ ଓ ସଞ୍ଜୟ ଲୀଲା ଭଂସାଲୀଙ୍କ ନାମୀ ସେଲିବ୍ରିଟୀଙ୍କ ଉପରେ ନେପୋଟିଜମକୁ ସମର୍ଥନ କରୁଥିବାର ଅଭିଯୋଗ ଲଗାଇଛନ୍ତି। ଏପରିକି କିଛି ଷ୍ଟାର୍ କିଡ୍ସ ଯେପରି ସୋନାକ୍ଷୀ ସିହ୍ନା, ଆଲିୟା ଭଟ୍ଟ ଓ ସୋନମ କାପୁରଙ୍କୁ ସୋଶାଲ ମିଡିଆରେ ଖୁବ୍ ଗାଳିଗୁଲଜର ସାମ୍ନା କରିବାକୁ ପଡ଼ୁଛି। ଅନେକ ଫ୍ୟାନ୍ ମଧ୍ୟ ଏହି ସେଲିବ୍ରିଟୀଙ୍କୁ ଆଉ ଅନୁସରଣ ନକରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆଲିୟା ଭଟ୍ଟ ଓ ସୋନାକ୍ଷୀଙ୍କ ଫିଲ୍ମକୁ ବୟକଟ୍ କରିବାକୁ ପ୍ରତିଶ୍ରୁତି ନେଇଛନ୍ତି।

ଆଗାମୀ ଦିନରେ ଏହି ଅଭିନେତ୍ରୀମାନଙ୍କୁ ବଡ଼ ଫିଲ୍ମରେ କାମ କରିବାକୁ ସୁଯୋଗ ମିଳୁଛି କି ନାହିଁ, ତାହା ମଧ୍ୟ ବଡ଼ ପ୍ରଶ୍ନ। ମହେଶ ଭଟ୍ଟଙ୍କ ଝିଅ ଆଲିୟା ସାଉଥର ପ୍ରଖ୍ୟାତ ନିର୍ଦ୍ଦେଶକ ଏସଏସ୍ ରାଜାମୌଲୀଙ୍କ ବହୁପ୍ରତୀକ୍ଷିତ ‘ଆରଆରଆର୍’ ଫିଲ୍ମରେ ପ୍ରମୁଖ ଭୂମିକା ବହନ କରୁଛନ୍ତି। ଲକଡାଉନ୍ ଯୋଗୁ ଏବେ ଏହି ଫିଲ୍ମର ଶୁଟିଂ ବନ୍ଦ ରହିଛି। ରିପୋର୍ଟ ଅନୁଯାୟୀ, ରାଜାମୌଲୀ ଜୁନ୍ ଶେଷ ସୁଦ୍ଧା ‘ଆରଆରଆର୍’ ପ୍ରଡକ୍ସନକୁ ପୁଣିଥରେ ଆରମ୍ଭ କରିପାରନ୍ତି। କିନ୍ତୁ ଦେଶରେ କରୋନା ମହାମାରୀ ସଂକ୍ରମଣର ବ୍ୟାପିକା ଏବଂ ସରକାରଙ୍କ କଠୋର ଗାଇଡଲାଇନକୁ ଯଦି ଦେଖିବା, ତାହେଲେ ବର୍ତ୍ତମାନ ଶୁଟିଂ କରିବା ଅସମ୍ଭବ ଲାଗୁଛି।

ରାଜାମୌଲୀଙ୍କ ଏହି ବହୁପ୍ରତୀକ୍ଷିତ ଫିଲ୍ମରେ ଆଲିୟା ଭଟ୍ଟ ପ୍ରମୁଖ ଭୂମିକା ମିଳିଛି। କିନ୍ତୁ ଏବେ ଏକ ବିଶେଷ ସୂତ୍ରରୁ ଖବର ମିଳିଛି ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ଆଲିୟା ଭଟ୍ଟଙ୍କୁ ‘ଆରଆରଆର୍’ ଫିଲ୍ମରୁ ବାଦ୍ ଦେବା ପାଇଁ ରାଜାମୌଲୀଙ୍କୁ ଧମକ ମିଳିଛି। ତେବେ ରାଜାମୌଲୀ ପ୍ରଥମ ବ୍ୟକ୍ତି ନୁହନ୍ତି, ଯାହାଙ୍କୁ ଏଭଳି ଧମକ ମିଳୁଛି। ଯଦି ଆଲିୟାଙ୍କ ଉପସ୍ଥିତି ଫିଲ୍ମର ସଫଳତା ଉପରେ କୌଣସି ପ୍ରଭାବ ପକାଇବ, ତାହେଲେ ରାଜାମୌଲୀ ଏହା ଉପରେ ପୁନର୍ବିଚାର କରିପାରନ୍ତି।

କିନ୍ତୁ ରାଜାମୌଲୀଙ୍କ ପାଇଁ ଏଭଳି ନିଷ୍ପତ୍ତି ନେବା ସେତେଟା ସହଜ ହେବନି, କାରଣ କରଣ ଜୋହରଙ୍କ ସହ ଆଲିୟାଙ୍କ ଘନିଷ୍ଠ ସମ୍ପର୍କ ରହିଛି। ତା’ଛଡ଼ା କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ ରାଜାମୌଲୀଙ୍କ ବିଗ୍ ବଜେଟ୍ ଫିଲ୍ମ ‘ବାହୁବଳୀ’କୁ ହିନ୍ଦୀ ଭସର୍ନକୁ ପ୍ରଯୋଜନା କରିଥିଲା। ତେଣୁ ଏଥିପାଇଁ ଆରଆରଆର୍ ଫିଲ୍ମରୁ ଆଲିୟାଙ୍କୁ ବାଦ୍ ଦେବା ରାଜାମୌଲୀଙ୍କ ପାଇଁ ସହଜ ହେବନି। ଏବେ ଆଲିୟା ମୁମ୍ବାଇରେ ଅଛନ୍ତି ଏବଂ ନିଜର ବାକି ଶୁଟିଂ ପାଇଁ ଗନ୍ଦିପେଠ୍ ସ୍ଥାନାନ୍ତର ହୋଇଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ସେ ମୁମ୍ବାଇରୁ ବାହାରକୁ ଯିବା କଥା ଚିନ୍ତା କରୁନାହାନ୍ତି।

ସୂଚନାଯୋଗ୍ୟ, ରାଜାମୌଲୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ଆରଆରଆର୍’ରେ ରାମଚରଣ, ଜୁନିଅର ଏନଟିଆର୍ ଓ ଅଜୟ ଦେବଗନଙ୍କ ବ୍ୟତୀତ ଆଲିସନ୍ ଡୁଡୀ, ରେ ଷ୍ଟିଭେନସନ୍, ଶ୍ରୀୟ ଶରନ୍ ଓ ରାହୁଲ୍ ରାମକ୍ରିଷ୍ଣା ପ୍ରମୁଖ ଭୂମିକାରେ ଅଛନ୍ତି।