ପାପା ଆମେ କରି ଦେଖାଇଛୁ: ରିତେଶ ଦେଶମୁଖ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଦୁଇ ଭାଇ ଜିତିବା ପରେ ଖୁସିରେ ଆତ୍ମବିଭୋର ହୋଇପଡ଼ିଛନ୍ତି ବଲିଉଡ୍‌ ଷ୍ଟାର୍‌ ରିତେଶ ଦେଶମୁଖ। ଭାଇ ଆମିତ୍‌ ଲାତୁର୍‌ ସିଟିରୁ ୪୨ ହଜାରରୁ ଅଧିକ ଭୋଟ୍‌ରେ ତୃତୀୟ ଥର ପାଇଁ ଜିତିଥିବା ବେଳେ ଧୀରଜ୍‌ ଦେଶମୁଖ୍‌ ଲାତୁରର ଗ୍ରାମିଣରୁ ୧ ଲକ୍ଷ୨୦ ହଜାର ଭୋଟ୍‌ ବ୍ୟବଧାନ ସହିତ ଜବରଦସ୍ତ ଜିତ୍ ହାସଲ କରିଛନ୍ତି।

ଏହି ଖୁସିରେ ରିତେଶ ତାଙ୍କ ଭାଇଦ୍ୱୟଙ୍କୁ ଶୁଭକାମନା ଜଣାଇବା ସହିତ ମହାରଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତାଙ୍କ ବାପା ବିଳାସରାଓ ଦେଶମୁଖଙ୍କୁ ମନେ ପକାଇଛନ୍ତି। ସେ ତାଙ୍କ ବାପାଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍‌ କରି ଲେଖିଛନ୍ତି “We did it PAPPA!!!(ଆମେ ଏହା କରିଦେଖାଇଛୁ ପାପା)।

ଟ୍ୱିଟ୍‌ରେ ସେ କ୍ୟାମ୍ପେନିଂ ବେଳର କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସେଥିରେ ଗୋଟିଏ ଫଟୋରେ ରିତେଶ ଭାବପ୍ରବଣ ହେଇ ଗୋଟିଏ ଜାଗାରେ ଛିଡ଼ା ହୋଇଥିବାର ଦେଖାଯାଉଛି। ଅନ୍ୟ ଫଟୋରେ ଭାଇଙ୍କ ପାଇଁ ପ୍ରଚାର କରୁଥିବାର ଦୃଶ୍ୟ ରହିଛି।

ଦିନେ ମହାରାଷ୍ଟ୍ରରେ ରିତେଶଙ୍କ ବାପା ବିଳାସରାଓ ଦେଶମୁଖଙ୍କ ଦବଦବା ଚାଲୁଥିଲା। ସେ  କଂଗ୍ରେସ ଦଳପକ୍ଷରୁ ୧୯୯୯ ରୁ ୨୦୦୩ ଏବଂ ୨୦୦୪ରୁ ୨୦୦୮ ଏହି ଦୁଇଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆଉ ଆଜି ତାଙ୍କୁ ପୁଅମାନେ ତାଙ୍କ କାର୍ଯ୍ୟକୁ ଆଗକୁ ନେଉଛନ୍ତି।

୨୧ ବର୍ଷ କାଳରୁ ରାଜନୀତିରେ ପାଦ ଥାପିଥିବା ଅମିତ ଦେଶମୁଖ ପୂର୍ବରୁ ରାଜ୍ୟରେ  ପର୍ଯ୍ୟଟନ ମନ୍ତ୍ରୀ ହୋଇସାରିଛନ୍ତି। ଏଥିସହିତ ୨୦୦୨ ଓ ୨୦୦୮ରେ ସେ ଯୁବ କଂଗ୍ରେସ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ୨୦୦୯ରେ କଂଗ୍ରେସ ଦଳ ପକ୍ଷରୁ ପ୍ରଥମ ଥର ନିର୍ବାଚନ ଲଢ଼ି ୮୯୪୮୦ ଭୋଟ୍‌ରେ ଜିତିଥିଲେ। ସେହିଭଳି ୨୦୧୭ରେ ଜିଲ୍ଲାପରିଷଦ ନିର୍ବାଚନ ଜିତିସାରିଥିବା ସାନଭାଇ ଧୀରଜ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଜିତିଛନ୍ତି।

ସୂଚନା ଥାଉକି, ମହାରାଷ୍ଟ୍ର ୨୮୮ ସିଟ୍ ମଧ୍ୟରୁ ବିଜେପି-ଶିବସେନା ମେଣ୍ଟକୁ ମିଳିଛି ୧୬୧ ସିଟ୍‌, ସେଥିମଧ୍ୟରୁ ବିଜେପି ଖାତାକୁ ୧୦୫ ସିଟ୍‌ ଆସିଥିବା ବେଳେ ୫୬ ସିଟ୍‌ ପାଇଛି ଶିବସେନା। କଂଗ୍ରେସ ଭାଗ୍ୟରେ ୪୪ ଓ ଏନ୍‌ସିପି ହାତେଇଛି ୫୪ ସିଟ୍।

You might also like