ପରଲୋକରେ ବଲିଉଡ ଅଭିନେତ୍ରୀ ନିମ୍ମି
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିମ୍ମିଙ୍କର ବୁଧବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଦୀର୍ଘ ମାସ ଧରି ସେ ହ୍ୱିଲ୍ ଚେୟାରରେ ଯିବାଆସିବା କରୁଥିଲେ। ବୁଧବାର ସନ୍ଧ୍ୟାରେ ସାନ୍ତାକ୍ରୁଜ୍ର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।
ଆଜି ନିମ୍ମିଙ୍କର ଅନ୍ତିମ ସଂସ୍କାର କରାଯିବ।
୫୦ରୁ ୬୦ ଦଶକରେ ବଲିଉଡରେ ନିମ୍ମି ତାଙ୍କର ଜଲ୍ୱା ଦେଖାଇଥିଲେ। ଫିଲ୍ମ ବରସାତ୍ରେ ସେ ଡେବ୍ୟୁ କରିଥିଲେ ଏବଂ ଏହି ପ୍ରଥମ ଫିଲ୍ମରେ ହିଁ ସେ ଦର୍ଶକଙ୍କ ହୃଦୟରେ ନିଜର ଜାଗା ମଜବୁତ୍ କରିିଥିଲେ। ଏହା ପରେ ‘ଅମର’ ଦାଗ୍, ଦୀଦାର, ବସନ୍ତ ବାହାର, ମେରେ ମେହବୁବ୍ କୁନ୍ଦନ ପରି ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ ସେ।
ବଲିଉଡରେ ଏଣ୍ଟ୍ରି ପରେ ନିମ୍ମିଙ୍କର ଖୁବ୍ ଡିମାଣ୍ଡ ଥିଲା । କୁହାଯାଏ, ଦିଲ୍ଲୀପ କୁମାରଙ୍କଠାରୁ ଆରମ୍ଭ କରି ରାଜ କପୁର, ଅଶୋକ କୁମାର, ଧର୍ମେନ୍ଦ୍ରଙ୍କ ପରି ବଡ ବଡ ଅଭିନେତା ତାଙ୍କ ସହ କାମ କରିବା ପାଇଁ ଆଗ୍ରହୀ ଥିଲେ।
ନିମ୍ମିଙ୍କର ପ୍ରକୃତ ନାମ ଥିଲା ନବାବ୍ ବାନୋ । ସେ ଏସ୍ ଅଲି ରାଜାଙ୍କୁ ବିବାହ କରିଥିଲେ ଯାହାଙ୍କର ୨୦୦୭ରେ ପରଲୋକ ହୋଇଥିଲା । ନିମ୍ମି ତାଙ୍କ ଭଉଣୀଙ୍କ ପୁଅକୁ ଆଡପ୍ଟ କରିଥିଲେ ।
ଥରେ ନିମ୍ମି ଏକ ସାକ୍ଷାତକାରରେ ତାଙ୍କ ଜୀବନର ଅବସୋସ କଥା କହିଥିଲେ । ସେ କହିଥିଲେ, ମୁଁ ବହୁତ୍ ଭଲ ରୋଲ କରିପାରେ। କିନ୍ତୁ କେହି କେବେ ମୋତେ ଭଲ ରୋଲ ଦେଇ ନାହାନ୍ତି ଯାହା ମୋ ଜୀବନର ସବୁଠାରୁ ବଡ଼ ଅବସୋସ।