ମୁମ୍ବାଇ : ହିନ୍ଦୀ ଚଳଚ୍ଚିତ୍ର ଜଗତ ଜଣେ ମହାନ କଳାକାରଙ୍କୁ ହରାଇଛି। ଦୀର୍ଘ ସମୟ ଧରି ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତା ଚନ୍ଦ୍ରଶେଖର ବୈଦ ମୁମ୍ବାଇର ଆନ୍ଧେରି ନିବାସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହାଇଦ୍ରାବାଦରେ ଜନ୍ମିତ ଚନ୍ଦ୍ରଶେଖର ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଏହି ୯୮ ବର୍ଷୀୟ ଭେଟେରାନ୍ ଅଭିନେତାଙ୍କ ଆଜି ସକାଳ ୭.୧୦ ରେ ଦେହାନ୍ତ ହୋ‍ଇଛି। ଲୋକପ୍ରିୟ ଟିଭି ଶୋ ରାମାୟଣରେ ଚନ୍ଦ୍ରଶେଖର ସୁମନ୍ତଙ୍କ ଚରିତ୍ରରେ ଅଭିନୟ କରିଥିଲେ। ସେ ହେଉଛନ୍ତି ଟିଭି ଅଭିନେତା ଶକ୍ତି ଆରୋରାଙ୍କ ମାମୁ ଅଜା। ଚନ୍ଦ୍ରଶେଖରଙ୍କ ଶେଷ ଇଚ୍ଛା ଥିଲା ଯେ ଶେଷ ମୁହୂର୍ତ୍ତରେ ସେ ତାଙ୍କ ପରିବାର ସଦସ୍ୟଙ୍କ ସହ ଅତିବାହିତ କରିବେ ଏବଂ ତାଙ୍କର ଇଚ୍ଛା ପୂରଣ ହୋଇଥିଲା ।

 

ଚନ୍ଦ୍ରଶେଖରଙ୍କ ପୁଅ ପ୍ରଫେସର୍ ଅଶୋକ ଚନ୍ଦ୍ରଶେଖର ନିଜ ପିତାଙ୍କ ଦେହାନ୍ତ ନେଇ ଖବର ଦେଇଛନ୍ତି। ସେ କହିଛନ୍ତି ଯେ ଆଜି ଅପରାହ୍ନ ୩ଟାରେ ଭିଲେ ପାର୍ଲେ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ବାର୍ଦ୍ଧ୍ୟକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି।

୫୦ ଦଶକରେ ଜୁନିଅର୍ ଆର୍ଟିଷ୍ଟ୍ ଭାବେ କାମ ଆରମ୍ଭ କରିଥିବା ଚନ୍ଦ୍ରଶେଖର ନିଜ ପରିଶ୍ରମ ଓ ଦକ୍ଷତା ବଳରେ ଅନେକ ଫିଲ୍ମରେ ମୁଖ୍ୟ ଭୂମିକା ମଧ୍ୟ ତୁଳେଇଛନ୍ତି। ୧୯୫୩ ମସିହାରେ ସେ ଭି. ଶାନ୍ତାରାମଙ୍କ ଫିଲ୍ମ ‘ସୁରଙ୍ଗ’ରେ ପ୍ରଥମ ଥର ପାଇଁ ହିରୋ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ‘କବି’, ‘ମସ୍ତାନା’, ‘କାଲି ଟୋପି’, ‘ଲାଲ ରୁମାଲ’, ‘ଷ୍ଟ୍ରିଟ୍ ସିଙ୍ଗର’ ଭଳି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରିଛନ୍ତି। ପରେ ସମୟ ଅନୁସାରେ ଚରିତ୍ର ନିଭେଇବା ନେଇ ସୁଯୋଗ ଆସିଲା। ‘ଶରାବୀ’, ‘ଶକ୍ତି’, ‘ଡିସ୍କୋ ଡ୍ୟାନ୍ସର୍’, ‘ନମକ ହାଲାଲ୍’, ‘ହୁକୁମତ୍’ ଭଳି ସୁପର୍‌ହିଟ୍ ଚଳଚ୍ଚିତ୍ରରେ ଚରିତ୍ର ଅଭିନେତା ଭାବରେ କାମ କରିଛନ୍ତି।

ଚନ୍ଦ୍ରଶେଖରଙ୍କ ଜନ୍ମ ୧୯୨୨ ମହିହା ଜୁଲାଇ ୭ ତାରିଖରେ ହୋଇଥିବା ବେଳେ ତାଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା। ମାତ୍ର ୧୩ ବର୍ଷ ବୟସରେ ତାଙ୍କର ବିବାହ କରିଦିଆ ଯାଇଥିବାରୁ ପାଠରେ ଡୋରୀ ବନ୍ଧା ହୋଇଥିଲା। ଏପରି ସମୟ ଆସିଲା ତାଙ୍କୁ ମଧ୍ୟ ଚୌକିଦାର ଭାବେ କାମ କରିବାକୁ ପଡିଥିଲା, ଏପରିକି ଟଲି ଟାଣିବାକୁ ମଧ୍ୟ ପଡିଥିଲା। ସବୁଠାରୁ ବଡ କଥା ହେଲା ସେ ଭାରତଛାଡ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ।

ଏକ ଘରୋଇ ନ୍ୟୁଜ୍ ଚାନେଲ୍ ସହ କଥାବାର୍ତ୍ତା ବେଳେ ଚନ୍ଦ୍ରଶେଖରଙ୍କ ନାତି ବିଶାଲ ଶେଖର କହିଛନ୍ତି ଯେ, ପ୍ରବଳ ଜର କାରଣରୁ ଗତ ସପ୍ତାହରେ ତାଙ୍କୁ ଜୁହୁର କ୍ରିଟି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଜ୍ୱର ଭଲ ହେବା ପରେ ଡିସଚାର୍ଜ ହୋଇ ଗୋଟିଏ ଦିନରେ ଘରକୁ ଆସିଥିଲେ। କାରଣ ସେ ଶେଷ ମୁହୂର୍ତ୍ତରେ ତାଙ୍କ ପରିବାର ସହିତ ତାଙ୍କ ଘରେ ରହିବାକୁ ଚାହୁଁଥିଲେ। ଘରେ ତାଙ୍କ ଯତ୍ନ ନେବା ପାଇଁ ସମସ୍ତ ପ୍ରକାରର ନର୍ସିଂ ବ୍ୟବସ୍ଥା ଥିଲା। ଆଜି ଜେଜେବାପାଙ୍କ ନିଦ୍ରାରେ ହିଁ ଦେହାନ୍ତ ହୋଇଛି।

ସିନେମା ବ୍ୟତୀତ ଚନ୍ଦ୍ରଶେଖର ଅନେକ ଟିଭି ଶୋ’ରେ ମଧ୍ୟ କାମ କରିଥିଲେ। ରାମାନନ୍ଦ ସାଗରଙ୍କ ପୌରାଣିକ କାହାଣୀ ଉପରେ ଆଧାର ‘ରାମାୟଣ’ରେ ସେ ଆର୍ଯ୍ୟ ସୁମନ୍ତଙ୍କ ଭୂମିକାରେ ଅଭିନୟ କରିଥିଲେ। ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଖବର ପ୍ରଚାରିତ ହେବା ପରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି।

Other Stories