ନୂଆ ସିନେମା ପାଇଁ ପ୍ରସ୍ତୁତି: ବରୁଣ କରୁଛନ୍ତି ଆନିମଲ୍ ଫ୍ଲୋ ୱାର୍କଆଉଟ୍

ମୁମ୍ୱାଇ: ଚଳିତ ମାସ ଜାନୁଆରୀ ୨୪ରେ ନତାଶା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି ବଲିଉଡର ଚକୋଲେଟ୍ ହୀରୋ ବରୁନ ଧାୱନ୍। ବିବାହର କିଛି ମାସ ପରେ ସେ ପୁନର୍ବାର ଫେରିଆସିଛନ୍ତି ତାଙ୍କ କର୍ମମୟ ଜୀବନକୁ। ଅମର କୌଶିକଙ୍କ ନିର୍ଦ୍ଦେଶନାରେ ହେବାକୁ ଯାଉଥିବା ସିନେମା ପାଇଁ ବରୁନ ଜୋରଦାର ଲାଗିପଡ଼ିଛନ୍ତି। ଏହି ସିନେମାଟି ଅଲୌକିକ କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଥିବାରୁ ବରୁନଙ୍କୁ ପତଳା ଓ ଚଳଚଞ୍ଚଳ ହେବାରେ ଅଛି। ଏନେଇ ସେ ଆନିମଲ୍ ଫ୍ଲୋ ଭଳି କିଛି ୱାର୍କଆଉଟ୍ ଆପଣେଇଥିବା ଦେଖାଯାଏ। ବରୁନ ତାଙ୍କ ସୋସିଆଲ୍ ମିଡିଆ ପେଜରେ ଏକ ଭିଡିଓ ବି ଅପଲୋଡ କରିଛନ୍ତି, ଯେଉଁଥିରେ ସେ କଙ୍କଡ଼ା, ମାଙ୍କଡ଼ ଓ କଙ୍କଡ଼ାବିଛାଙ୍କ ଗତିବିଧିକୁ ଅନୁକରଣ କରୁଥିବା ଦେଖିବାକୁ ମିଳେ।

ଏହି ସବୁ ୱାର୍କଆଉଟ୍ ଏବଂ ଏହାର ପଦ୍ଧତିକୁ କହିବାକୁ ଯାଇ ବରୁନଙ୍କ ପ୍ରଶିକ୍ଷକ ଦେବରଥ ବିଜୟ କୁହନ୍ତି ଯେ ଏହି ସିନେମା ପାଇଁ ବରୁନଙ୍କୁ ତାଙ୍କର ଗତିବିଧି, ଚାଲିଚଳନ ଓ ନମନୀୟତାରେ ଉନ୍ନତି ଆଣିବାରେ ଅଛି। ଏନେଇ ତାଙ୍କ ପାଇଁ ଆନିମଲ୍ ଫ୍ଲୋ ଭଳି କିଛି ୱାର୍କଆଉଟ ଜରୁରୀ ହୋଇଛି। ସେ ତାଙ୍କୁ ଡିସେମ୍ବର ମାସରୁ ଏହି ପ୍ରଶିକ୍ଷଣ ଦେଉଥିବା କହିଛନ୍ତି।

 

View this post on Instagram

 

A post shared by VarunDhawan (@varundvn)

ବରୁନ ସିନେମା ପାଇଁ ନିଷ୍ଠାର ସହ ଲାଗିପଡ଼ିଛନ୍ତି। ସେ ନିଜକୁ ଫିଟ୍ ରଖିବା ସହ ସିନେମା ଅନୁସାରେ ନିଜ ଚେହେରାକୁ ତିଆରି କରିବାକୁ ପରିଶ୍ରମ କରିଚାଲିଛନ୍ତି। ଏନେଇ ଦିନକୁ ପାଖାପାଖି ତିନି ଘଣ୍ଟା ସେ ୱାର୍କଆଉଟ୍ କରୁଥିବା ବେଳେ ଦେଢ ଘଣ୍ଟା ଓଜନ ପାଇଁ ବାକି ସମୟ ଆନିମଲ୍ ଫ୍ଲୋ ୱାର୍କଆଉଟ୍ ପାଇଁ ଦେଉଥିବା ଦେଖିବାକୁ ମିଳେ।

ବରୁନଙ୍କ ଏଭଳି ପ୍ରଶିକ୍ଷଣକୁ ବୁଝାଇବାକୁ ଯାଇ ତାଙ୍କ ପ୍ରଶିକ୍ଷକ ଦେବରଥ କୁହନ୍ତି ଯେ ଏଭଳି ପ୍ରଶିକ୍ଷଣ ପାଇଁ କୌଣସି ସାମଗ୍ରୀ ଦରକାର ପଡୁ ନ ଥିବା ବେଳେ କେବଳ କିଛି ପଶୁଯନ୍ତୁଙ୍କ ଚାଲିଚଳନ ଓ ଗତିବିଧିକୁ ଅନୁକରଣ କରିବାର ଅଛି । ଏହିସବୁ ୱାର୍କଆଉଟ୍ ଶରୀରକୁ ନମନ କରିବା ସହିତ ଶକ୍ତି ବି ବୃଦ୍ଧି କରିଥାଏ।

ସବୁଠାରୁ ବଡ଼କଥା ହେଲା, କରୋନାରୁ ସୁସ୍ଥ ହେବା ପରେ ଏହିସବୁ ୱାର୍କଆଉଟ୍ ବରୁନଙ୍କ ପକ୍ଷେ ବହୁତ ହିତକର ହୋଇଥିବା ସେ ନିଜେ ସ୍ୱୀକାର କରିଛନ୍ତି। ଏସବୁ କରି ସେ ତାଙ୍କର ପୂର୍ବ ଶକ୍ତି ଫେରିପାଇଥିବା ଉଲ୍ଲେଖ କରିଛନ୍ତି। ତାଙ୍କ ପ୍ରଶିକ୍ଷକ ଦେବରଥ ବି କହିଛନ୍ତି ଯେ ଏହିସବୁ ୱାର୍କଆଉଟ୍ ଶରୀରର ବିଭିନ୍ନ ଅଙ୍ଗରେ ବେଶ ପ୍ରଭାବ ପକାଇବା ସହିତ ଆମର ଶ୍ୱାସନଯନ୍ତ୍ରକୁ ଚଳଚଞ୍ଚଳ କରିଥାଏ। ଯାହାଫଳରେ ଶରୀର ଢେର ଅମ୍ଳଜାନ ପାଇଥାଏ। ଏନେଇ ଠିକ୍ ଡାଏଟ୍ ଓ ୱାର୍କଆଉଟ୍ ବରୁନଙ୍କୁ ତାଙ୍କ ପୂର୍ବ ଶକ୍ତି ପାଇବାରେ ଯଥେଷ୍ଟ ସହଯୋଗ କରିଛି।

You might also like