ଅଭିନେତା ନାଗାର୍ଜୁନଙ୍କ ଫାର୍ମହାଉସ୍‌ରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ

ହାଇଦ୍ରାବାଦ: ଲୋକପ୍ରିୟ ତେଲୁଗୁ ସୁପର୍‌ଷ୍ଟାର୍‌ ନାଗାର୍ଜୁନଙ୍କ ଫାର୍ମହାଉସ୍‌ରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତେଲେଙ୍ଗାନା ସ୍ଥିତ ଏହି ଫାର୍ମହାଉସ୍‌ରୁ ମୃତଦେହ ଉଦ୍ଧାର ହୋଇଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ବୁଧବାର ଦିନ ନାଗାର୍ଜୁନ କିଛି ବିଶେଷଜ୍ଞଙ୍କୁ ଉକ୍ତ ଫାର୍ମହାଉସ୍‌କୁ ପଠାଇଥିଲେ। ସେଠାକାର ଜମିରେ କେଉଁ ପ୍ରକାର ଫସଲ କଲେ ଭଲ ହେବ ସେନେଇ ଯାଞ୍ଚ କରିବାକୁ ସେ ପଠାଇଥିଲେ। ତେବେ ସେମାନେ ସେଠାରେ ଉକ୍ତ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ କରିଥିଲେ।

ନାଗାର୍ଜୁନଙ୍କ ଏହି ଫାର୍ମହାଉସ୍‌ ଶାଦନଗର ବ୍ଲକ୍‌ର ପପିରେଡ୍ଡୀଗୁଡ଼ାରେ ରହିଛି। ମୃତଦେହଟି ଫାର୍ମହାଉସ୍‌ର ଏକ ରୁମ୍‌ରେ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ମୃତଦେହଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଏହି ଘଟଣାକୁ ନେଇ କେଶମ୍‌ପେଟ୍ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ। ତାଙ୍କ ପରିଚୟ ଜାଣିବା ପାଇଁ ପୁଲିସ୍ ପ୍ରୟାସ ଜାରି ରଖିଥିବା ବେଳେ ମୃତ୍ୟୁର କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ନାଗାର୍ଜୁନ ଓ ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ସେମାନେ ଉକ୍ତ ଫାର୍ମହାଉସ୍‌କୁ ଯାଇ କିଛି ଗଛ ଲଗାଇଥିଲେ। ତେବେ ଜୈବିକ ପଦ୍ଧତିରେ ଫସଲ କରିବା ପାଇଁ ଆଗ୍ରହୀ ଥିବା ନାଗାର୍ଜୁନ ସେଠାକୁ କିଛି ବିଶେଷଜ୍ଞଙ୍କୁ ପଠାଇଥିଲେ।

କୁହାଯାଉଛି ଯେ ନାଗାର୍ଜୁନ ପ୍ରାୟ ବର୍ଷେ ତଳେ ୪୦ ଏକର ଚାଷ ଉପଯୋଗୀ ଜମି କିଣିଥିଲେ।

ନାଗାର୍ଜୁନ୍‌ ଅନେକ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର ବହୁ ଫିଲ୍ମ ମଧ୍ୟ ସୁପର ହିଟ୍‌ ହେବାସହ ରେକର୍ଡ ମଧ୍ୟ କରିଛି। ଏପରିକି ସେ କିଛି ବଲିଉଡ୍‌ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି।

ଆହୁରି ପଢ଼ନ୍ତୁ

You might also like