ଅକ୍ଷୟ କୁମାର ଓ ସୋନୁ ସୁଦଙ୍କୁ ‘ଭାରତ ରତ୍ନ’ ପାଇଁ ଦାବି

ମୁମ୍ବାଇ: ବଲିଉଡର ଦୁଇ ଷ୍ଟାର୍ ଅନିନେତା ଅକ୍ଷୟ କୁମାର ଓ ସୋନୁ ସୁଦ୍ ସାମାଜିକ ସେବା ପାଇଁ ଚର୍ଚ୍ଚାରେ ରହିଥାନ୍ତି। କରୋନା ଭାଇରସ୍ ଭଳି ମହାମାରୀ ସମୟରେ ମଧ୍ୟ ଉଭୟ ଅକ୍ଷୟ କୁମାର ଓ ସୋନୁ ସୁଦ୍ ଲୋକଙ୍କୁ ସହାୟତାର ହାତ ବଢ଼ାଇ ରିଅଲ୍ ଲାଇଫରେ ହିରୋ ସାଜିଛନ୍ତି।

ଗୋଟିଏ ପଟେ ଅକ୍ଷୟ କୁମାର ଆର୍ଥିକ ସହାୟତା କରିଥିବା ବେଳେ ଅନ୍ୟପଟେ ସୋନୁ ସୁଦ୍ ଆର୍ଥିକ ସହାୟତା ସହ ରାସ୍ତାକୁ ଓହ୍ଲାଇ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କର ଘରେ ପହଞ୍ଚାଇବାର କାମ କରିଥିଲେ। ଏହି କାରଣରୁ ଦୁହେଁ ସୋସିଆଲ୍ ମିଡିଆରେ ପୁଣିଥରେ ଟ୍ରେଣ୍ଡ କରୁଛନ୍ତି। ତେବେ ଏହି ସହାୟତା ପାଇଁ ଦୁହିଁଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରିବା ପାଇଁ ଟ୍ୱିଟରରେ ଫ୍ୟାନମାନେ ଦାବି କରିଛନ୍ତି। ଏପରିକି ଏହାକୁ ନେଇ ଟ୍ୱିଟରରେ ଏକ ଚର୍ଚ୍ଚା ଆରମ୍ଭ ହୋଇସାରିଛି। ଫ୍ୟାନଙ୍କ କହିବା ଅନୁଯାୟୀ, ଉଭୟ ଅଭିନେତା ‘ଭାରତ ରତ୍ନ’ ପାଇବାକୁ ଯୋଗ୍ୟ। ଫ୍ୟାନମାନେ ଅକ୍ଷୟ ଓ ସୋନୁଙ୍କୁ ରିଅଲ୍ ହିରୋର ଆଖ୍ୟା ଦେଇଛନ୍ତି।

ସୂଚନାଯୋଗ୍ୟ, ଖିଲାଡି କୁମାର (ଅକ୍ଷୟ କୁମାର) ସବୁବେଳେ ଦେଶବାସୀଙ୍କ ସହାୟତା ପାଇଁ ଆଗକୁ ଆସନ୍ତି। ତେଣିକି ତାହା ବିପର୍ଯ୍ୟୟ ହେଉ କି ବନ୍ୟା ପୀଡ଼ିତଙ୍କ ସହାୟତା କରିବା ହେଉ। ଏପରିକି ଶହିଦ୍ ଯବାନଙ୍କ ପରିବାରଙ୍କୁ ମଧ୍ୟ ଡୋନେଶନ୍ ଦେଇ ଅକ୍ଷୟ ପ୍ରଶଂସାର ପାତ୍ର ହୋଇଛନ୍ତି। କରୋନା ଭାଇରସ୍ ପାଇଁ ଅକ୍ଷୟ ପ୍ରଧାନମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୨୫କୋଟି ଟଙ୍କା ଦାନ କରିଥିଲେ। ଏହା ସହ ଅକ୍ଷୟ କୁମାରଙ୍କ ପ୍ରୟାସରେ ଭାରତର ବୀର୍ ଆପ୍ସକୁ ମଧ୍ୟ ଭଲ ସହାୟତା ରାଶି ମଧ୍ୟ ମିଳୁଛି। ଏହି ଆପ୍ସ ଜରିଆରେ ସୈନିକଙ୍କ ପରିବାରଙ୍କୁ ସହାୟତା ମିଳିଥାଏ।


ଅନ୍ୟପକ୍ଷରେ ସୋନୁ ସୁଦ୍ କରୋନା ଭଳି ସଙ୍କଟଜନକ ସମୟରେ ଯେଉଁଭଳି ଭାବେ ସହରରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ସହାୟତା କଲେ, ତାହା ପ୍ରଶଂସାଯୋଗ୍ୟ। ସୋନୁ ନିଜେ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍ ବନ୍ଦୋବସ୍ଥ କରି ସେମାନଙ୍କୁ ଘରେ ପହଞ୍ଚାଇବାରେ ସହାୟତା କରୁଛନ୍ତି। ସେ ମଧ୍ୟ ମୁମ୍ବାଇର ଜୁହୁସ୍ଥିତ ନିଜ ହୋଟେଲକୁ ମେଡିକାଲ୍ କର୍ମଚାରୀଙ୍କ ପାଇଁ ଖୋଲିଥିଲେ। ଏହାବାଦ୍ ପଞ୍ଜାବର ଡାକ୍ତରଙ୍କୁ ୧୫୦୦ ପିପିଇ କିଟ୍ସ ମଧ୍ୟ ପ୍ରଦାନ କରିଛନ୍ତି। ସୋନୁଙ୍କ ଏହି ମହାନ୍ କାମ ପାଇଁ ତାଙ୍କୁ ସେଲିବ୍ରିଟୀଙ୍କଠାରୁ ଆରମ୍ଭ କରି ରାଜନେତା ମଧ୍ୟ ପ୍ରଶଂସା କରିଛନ୍ତି।