ଆଇସିୟୁ ବେଡ ମିଳିଲାନି, ଆଖି ବୁଜିଲେ ଅଭିନେତା ମୁକେଶ ଖନ୍ନାଙ୍କ ଭଉଣୀ

ନୂଆଦିଲ୍ଲ: କରୋନା ଭାଇରସ ୨ୟ ଲହର ଭାରତ ପାଇଁ ଏକ ବହୁତ ବିପଦପୂର୍ଣ୍ଣ ହୋଇପଡ଼ିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ସମସ୍ତେ କରୋନାର ଏଇ ୨ୟ ଲହର ସହ ଲଢୁଛନ୍ତି । ପ୍ରତିଦିନ କରୋନା ଜନିତ ନୂଆ ନୂଆ ସମସ୍ୟା ଆମ ସାମ୍ନାକୁ ଆସୁଛି । ବେଡ ମିଳୁନି, ଆଇସିୟୁ ନାହିଁ, ଚିକିିତ୍ସା ସୁବିଧା ନାହିଁ, ଅକ୍ସିଜେନ ମିଳୁନି… ଇତ୍ୟାଦି ଇତ୍ୟାଦି । ଏପରି ସମସ୍ୟା ଭିତରେ ଅନେକ ଲୋକଙ୍କ ଜୀବନ ଚାଲି ଯାଉଥିବା ମଧ୍ୟ ଶୁଣିବାକୁ ମିଳିଛି । ଟିଭି ସୋ ଶକ୍ତିମାନ ଏବଂ ମହାଭାରତର ଭୀଷ୍ମ ଭୂମିକାରେ ଅଭିନୟ କରିଥିବା ମୁକେଶ ଖନ୍ନା ତାଙ୍କର ବଡ଼ ଭଉଣୀ କମଲ କପୁରଙ୍କୁ ହରାଇଛନ୍ତି । ଶ୍ଵାସକ୍ରିୟା ଜନିତ ସମସ୍ୟାରେ ପଡିଥିବା କମଲଙ୍କୁ ଆଇସିୟୁ ନ ମିଳିବା କାରଣରୁ ମୃତ୍ୟୁ ମୁଖରେ ପଡ଼ିଥିବା କୁହାଯାଉଛି ।

ଅଭିନେତା ମୁକେଶ ଖନ୍ନା ଏହି ସୂଚନା ଦେବା ସହ ନିଜ ଇନଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି । ଏହି ପୋଷ୍ଟରେ ମୁକେଶ ଲେଖିଝନ୍ତି, ‘ମୋ ମୃତ୍ୟୁକୁ ନେଇ ଶୁଣିବାକୁ ମିଳିଥିବା ଖବରକୁ ଭୁଲ୍‌ ପ୍ରମାଣିତ କରିବାକୁ ମୁଁ ମୃତ୍ୟୁ ସହ ସଂଘର୍ଷ କରୁଥିଲି । ହେଲେ ମୋତେ ଜଣା ନ ଥିଲା, ଏକ ଭୟଙ୍କର ସତ୍ୟକୁ ମୁଁ ସାମ୍ନା କରିବାକୁ ଯାଉଛି । ମୋର ଏକମାତ୍ର ବଡ ଭଉଣୀ କମଲ କପୁରଙ୍କର ଦିଲ୍ଲିୀରେ ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁରେ ମୁଁ ଗଭୀର ମର୍ମାହତ । ୧୨ ଦିନ ପରେ କୋଭିଡକୁ ହରାଇବା ପରେ ପୁସଫୁସ୍ ସଂକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି । ପ୍ରଥମଥର ପାଇଁ ଜୀବନକୁ ନେଇ ମୁଁ ଏତେ ବିଚଳିତ ହୋଇପଡିଛି । ଜାଣେନି, ଭଗବାନ କ’ଣ ହିସାବ, କିତାବ କରୁଛନ୍ତି । ପ୍ରକୃତରେ ମୁଁ ଭାଙ୍ଗି ପଡ଼ିଛି । ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ।’

ଏକ ୱେବ ପୋର୍ଟାଲ ସହ ଆଲୋଚନାବେଳେ ସେ କହିଛନ୍ତି, ତାଙ୍କର ଭଉଣୀ କରୋନା ଆକ୍ରାନ୍ତ ଥିଲେ । ହେଲେ ପରେ ସେ କୋଭିଡରୁ ସୁସ୍ଥ ହୋଇଥିଲେ । ଏହା ପରେ ତାଙ୍କୁ ନିଃଶ୍ଵାସ ନେବାରେ କଷ୍ଟ ହେଉଥିଲା । ତାଙ୍କ ପାଇଁ ଦିଲ୍ଲୀରେ ଆଇସିୟୁ ବେଡ ଖୋଜା ଯାଉଥିଲା । ହେଲେ ତାଙ୍କୁ ବେଡଟିଏ ମିଳିଲା ନାହି: । ଶେଷରେ ସେ ଶେଷ ନିଃଶ୍ଵାସ ତ୍ୟାଗ କଲେ । ସେ କହିଛନ୍ତି, ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ହେଲେ ତାଙ୍କର ଅବସ୍ଥା ଏତେ ଖରାପ ଯେ, ନିଜ ଭଉଣୀଙ୍କୁ ଶେଷ ଥର ପାଇଁ ଦେଖି ପାରିଲେନି ।

ସୂଚନାଥାଉ କି, ମୁକେଶ ଖନ୍ନାଙ୍କ ମୃତ୍ୟୁକୁ ନେଇ ଏକ ମିଛ ଖବର ଶୁଣିବାକୁ ମିଳିଥିଲା । ଏହି ମିଛ ଖବର ଶୁଣିବା ପରେ ତାଙ୍କ ବନ୍ଧୁ ଏବଂ ଫ୍ୟାନ୍ସମାନେ ଭାଙ୍ଗି ପଡ଼ିଥିଲେ । ସୋସିଆଲ ମିଡିଆରେ ତାଙ୍କର ମୃତ୍ୟୁ ଖବର ଭାଇରାଲ ହୋଇଥିଲା । ଅନେକ ଫ୍ୟାନ୍ସ ଏହାକୁ ସେୟାର ମଧ୍ୟ କରିଥିଲେ । ଏହି ଖବରକୁ ଖଣ୍ଡନ କରିବା ପାଇଁ ନିଜେ ମୁକେଶଙ୍କୁ ସାମ୍ନାକୁ ଆସିବାକୁ ପଡ଼ିଲା । ସେ ସାମ୍ନାକୁ ଆସି ସମ୍ପୂର୍ଣ୍ଣ ଠିକ୍‌ ଥିବା କହିଥିଲେ ।

 

You might also like