କାଳ ୨୦୨୦; ଆଉ ଜଣେ ଅଭିନେତାଙ୍କୁ ଛଡ଼ାଇ ନେଲା
ମୁମ୍ବାଇ: ୨୦୨୦ରେ ପୁଣି ଜଣେ ହିନ୍ଦୀ ଅଭିନେତାଙ୍କ ପରଲୋକ। ଟିଭି ଅଭିନେତା ଆଶେଷ ରୟଙ୍କର ତାଙ୍କ ବାସଭବନରେ ଆଜି ଭୋର୍ ୩.୪୫ ସମୟରେ ଦେହାନ୍ତ ହୋଇଛି। ସେ କିଡ୍ନୀଜନିତ ରୋଗରେ ପୀଡ଼ିତ ଥିଲେ। କିଡ୍ନୀରେ ପାଣି ଜମିଯିବା ପରେ ମୁମ୍ବାଇର ଜୁହୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ଆଶେଷ ରହୁଥିବା ଜୋଗେଶ୍ୱରୀର ପାଟଳିପୁତ୍ର ବିଲ୍ଡିଂର ସିକ୍ୟୁରିଟି ଗାର୍ଡଙ୍କ କହିବାନୁସାରେ, ଭୋର ୩.୪୫ ସମୟରେ ଅଶେଷଙ୍କର ଦେହାନ୍ତ ହୋଇଛି। ଦୁଇଥର ହାକୁଟି ଦେବା ପରେ ଆଶିଷ ହଠାତ୍ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କର ଘରୋଇ ସହାୟକ ବିଲ୍ଡିଂରୁ ତଳକୁ ଦୌଡ଼ି ଆସି ଏ ବିଷୟରେ ଖବର ଦେଇଥିଲେ। ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଚାଲିଥିଲେ ବି ତାଙ୍କ ଘରୋଇ ସହାୟକଙ୍କ କହିବାନୁସାରେ ଗତକାଲି ସେ ସୁସ୍ଥ ଥିଲେ। ତାଙ୍କର ଆଜି ମଧ୍ୟ ଏକ ଡାଇଲେସିସ୍ ହେବାର ଥିଲା ବୋଲି ସିକ୍ୟୁରିଟି ଗାର୍ଡ ସୂଚନା ଦେଇଛନ୍ତି।
ଆଜି ବିଳମ୍ବିତ ସନ୍ଧ୍ୟାରେ ତାଙ୍କର ଶେଷକୃତ୍ୟୁ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ଏହାପୂର୍ବରୁ ୨୦୧୯ ଜାନୁଆରୀରେ ପାରାଲାଇସ୍ ହେବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଏହା ପୂର୍ବରୁ ୨୦୨୦ ଅନେକ ଷ୍ଟାର କଳାକାରଙ୍କୁ ଆମ ଗହଣରୁ ଛଡ଼ାଇ ନେଇଛି। ସେ ଓଲିଉଡ୍ ହେଉ କି ବଲିଉଡ୍ କିମ୍ବା ଟଲିଉଡ୍ ବା ଅନ୍ୟ କୌଣସି ଫିଲ୍ମ ଇଣ୍ଡଷ୍ଟ୍ରୀ ସମଙ୍କର କ୍ଷତି ହୋଇଛି। ଇର୍ଫାନ ଖାନଙ୍କ ଠାରୁ ଆରମ୍ଭ କରି ସୁଶାନ୍ତ ସିଂହ ରାଜପୁତ, ଋଷି କାପୁର, ନିଶିକାନ୍ତ କାମାତ ଓ ସରୋଜ ଖାନଙ୍କ ଭଳି ବଡ଼ ଷ୍ଟାର୍ଙ୍କୁ ହରାଇଛି ବଲିଉଡ୍। ସେମିତି ଟଲିଉଡ୍ ବି ହରାଇଛି ଇଣ୍ଡିଷ୍ଟ୍ରୀର ଭିଷ୍ମ ପିତାମହ କୁହାଯାଉଥିବା ଅଭିନେତା ସୌମିତ୍ର ଚାଟାର୍ଜୀଙ୍କୁ। ଅନ୍ୟପଟେ ବିଖ୍ୟାତ ମ୍ୟୁଜିକ କମ୍ପୋଜର ଏସ୍.ପି ବାଲା ସୁବ୍ରମଣ୍ୟମଙ୍କ ଦେହାନ୍ତ ସଂଗୀତ ଜଗତକୁ ଏକପ୍ରକାର ନୀରବ କରିଦେଇଛି।
ଓଲିଡ୍ର ବିଗ୍ ଅଙ୍କଲ ବିଜୟ ମହାନ୍ତି, ହାକିମ ବାବୁ ଅଜିତ ଦାସ, ଆଙ୍ଗ୍ରୀ ମ୍ୟାନ୍ ଭାବେ ପରିଚିତ କ୍ୟାମେରା ମ୍ୟାନ୍ ତଥା ନିର୍ଦ୍ଦେଶକ ରାଜୁ ମିଶ୍ର, ଆଲ୍ବମ କ୍ୱିନ୍ ଦୀପା ସାହୁ, ଧାରାବାହିକ କଳାକାର ଜୀମୂତ ପଟ୍ଟନାୟକ, ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ସୁନନ୍ଦା ପଟ୍ଟନାୟକ ଓଡ଼ିଆ ସିନେମାକୁ ଶ୍ରୀହୀନ କରି ଚାଲିଯାଇଛନ୍ତି ଆରପାରିକୁ।