ମନେ ପଡ଼ନ୍ତି ସ୍ୱରର ଯାଦୁଗର କିଶୋରଦା
ତାଙ୍କରି ଗୀତର ଲହର ଆପଣଙ୍କୁ ହସାଇପାରେ ଆଉ କନ୍ଦାଇ ବି ପାରେ। ସ୍ୱରର ଯାଦୁଗର କିଶୋର କୁମାର ଖାଲି ଯେ ଜଣେ ଗାୟକ ଥିଲେ ତାହା ନୁହେଁ, ଜଣେ ସଙ୍ଗୀତକାର, ଅଭିନେତା, ମ୍ୟୁଜିକ୍ କମ୍ପୋଜର ଓ ନିର୍ଦ୍ଦେଶକ ମଧ୍ୟ ଥିଲେ। ବଲିଉଡ୍ର ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କ ଆଜି ହେଉଛି ୮୯ତମ ଜନ୍ମ ଜୟନ୍ତୀ। ତାଙ୍କର ଜନ୍ମଦିବସ ଅବସରରେ ବଲିଉଡ୍ ସମେତ ସାରା ଦେଶ ତାଙ୍କୁ ମନେ ପକାଉଛନ୍ତି। ‘ପଲ୍ ପଲ୍ ଦିଲ୍ କେ ପାସ୍ ତୁମ୍ ରେହେତି ହୋ…’ରୁ ଆରମ୍ଭ କରି ‘ଦେଖାନା ହାଏରେ ଶୋଚାନା..’ ପର୍ଯ୍ୟନ୍ତ ତାଙ୍କର ବହୁ ଗୀତ ଆଜି ବି ସଙ୍ଗୀତପ୍ରେମୀଙ୍କୁ ମତୁଆଲା କରି ରଖିଛି।
କିଶୋର କୁମାରଙ୍କ ବିଷୟରେ ଜାଣନ୍ତୁ କିଛି ଅଜଣା କଥା…
- ସମସ୍ତେ ତାଙ୍କୁ କିଶୋର କୁମାର ନାଁରେ ଜାଣନ୍ତି। କିନ୍ତୁ ପ୍ରକୃତରେ ତାଙ୍କ ନାଁ ଆଭାସ କୁମାର ଗାଙ୍ଗୁଲି ଯିଏକି ପରେ କିଶୋର କୁମାର ନାମରେ ସମସ୍ତଙ୍କ ପାଖରେ ପରିଚିତ ହୋଇଥିଲେ।
- ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଏକ ବଙ୍ଗଳା ପରିବାରରେ ସେ ଜନ୍ମ ହୋଇଥିଲେ। ଛୋଟ ବେଳେ ତାଙ୍କ ନାମ ଆଭାସ କୁମାର ଗାଙ୍ଗୁଲି ରଖାଯାଇଥିଲା। ତାଙ୍କ ବାପା କୁଞ୍ଜିଲାଲ୍ ଗାଙ୍ଗୁଲି ଜଣେ ଲୋକପ୍ରିୟ ଓକିଲ ଥିଲେ।
- ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଶିକାରୀ’। ୧୯୪୬ ମସିହାରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ଖାଲି ହିନ୍ଦୀ ଫିଲ୍ମ ନୁହେଁ ବଙ୍ଗଳା, ମରାଠୀ, ଆସାମୀ, ଗୁଜରାଟୀ, କନ୍ନଡ଼, ଭୋଜପୁରୀ, ମାଲାୟାଲାମ ଓ ଓଡ଼ିଆ ଭାଷାରେ ମଧ୍ୟରେ ସେ ଗୀତ ଗାଇଛନ୍ତି।
- ବେଷ୍ଟ ମେଲ୍ ପ୍ଲେବ୍ୟାକ୍ ସିଙ୍ଗର ଭାବେ ସେ ଅନେକ ଫିଲ୍ମ ଫେୟାର ଆୱାର୍ଡ ଟ୍ରଫି ହାସଲ କରିଛନ୍ତି।
- କିଶୋର କୁମାର ୪ ଥର ବିବାହ କରିଥିଲେ। ପ୍ରଥମେ ସେ ରୁମା ଗୁହା ଠାକୁର୍ତ୍ତାଙ୍କୁ ବିବାହ କରିଥିଲେ। ଦ୍ୱିତୀୟରେ ୧୯୬୦ରେ ମଧୁବାଲା, ତୃତୀୟରେ ଅଭିନେତ୍ରୀ ଯୋଗିତା ବାଲୀ ଓ ଚତୁର୍ଥରେ ଲିନା ଚନ୍ଦଭାର୍କରଙ୍କୁ ବିବାହ କରିଥିଲେ।
- ସେ ଉଭୟ ନାରୀ ଓ ପୁରୁଷ କଣ୍ଠ ସ୍ୱରରେ ‘ହାପ୍ ଟିକେଟ୍’ ଫିଲ୍ମରେ ଗୀତ ଗାଇଥିଲେ।
କିଶୋର କୁମାରଙ୍କ ବଞ୍ଚିବାର ଅନ୍ଦାଜ ଥିଲା ନିଆରା। ରୋମାଣ୍ଟିକ ହେଉ କି ଦୁଃଖଭରା ଗୀତ ଅବା କମେଡ଼ି ଯାହା ବି କରୁଥିଲେ ହୃଦୟରୁ ହିଁ କରୁଥିଲେ। କେତେବେଳେ ସେ ନିଜର ଦୁଃଖଭରା କଣ୍ଠରେ ଭାବ ବିହ୍ୱଳ କରୁଥିଲେ ତ ପୁଣି କେତେବେଳେ ମତୁଆଲା କରୁଥିଲେ। ଦୁଃଖ ଆସିଲେ ସେ କେବେ ବି ଭାଙ୍ଗୁନଥିଲେ ।
ବିଗ୍ ବି ହୁଅନ୍ତୁ କି ସୁପରଷ୍ଟାର ରାଜେଶ ଖାନ୍ନା ଯାହା ପାଇଁ ବି ଗାଉଥିଲେ ଲାଗୁଥିଲା ସତେ ଯେମିତି ସେ ନିଜେ ଗାଉଛନ୍ତି। ବଲିଉଡ୍ ସଙ୍ଗୀତକୁ ସାରା ବିଶ୍ୱରେ ପରିଚିତ କରାଇବାରେ ତାଙ୍କ ପ୍ରମୁଖ ଅବଦାନ ରହିଛି।
ଆଜି ସେ ନାହାଁନ୍ତି ସତ ହେଲେ ତାଙ୍କୁ ଝୁରି ହେଉଛନ୍ତି ତାଙ୍କ ଅଗଣିତ ଫ୍ୟାନ୍। ତାଙ୍କ ପ୍ରତ୍ୟେକଟି ଗୀତ ଦର୍ଶକଙ୍କ ହୃଦୟକୁ ଛୁଇଁଛି।
ଶୁଣନ୍ତୁ ତାଙ୍କର କିଛି ମନଛୁଆଁ ଗୀତ