ବାମନ ଚରିତ୍ରରେ ନଜର ଆସିବେ ବଲିଉଡ୍ ସୁପରଷ୍ଟାର ଶାହାରୁଖ୍ ଖାନ୍
ମୁମ୍ବାଇ: ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖଙ୍କ ଆଗାମୀ ସିନେମା “ଜିରୋ”ର ଟ୍ରେଲର୍କୁ ନେଇ ଉତ୍ସାହିତ ଥିବା ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏକ ଖୁସି ଖବର। କାହିଁକି ନା ଖୁବ୍ ଶୀଘ୍ର ଶାହାରୁଖ୍ଙ୍କ ଏହି ଫିଲ୍ମର ଟ୍ରେଲର୍ ରିଲିଜ ହେବାକୁ ଯାଉଛି। ଫିଲ୍ମର ଟ୍ରେଲର୍ ନଭେମ୍ବର ୨ରେ ରିଲିଜ ହେବ। କାହିଁକି ନା ଏହି ଦିନ ଶାହାରୁଖ୍ଙ୍କ ବର୍ଥଡେ’। ଏନେଇ ଫିଲ୍ମର ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟ ମଧ୍ୟ ସ୍ପଷ୍ଟ କରିଛନ୍ତି।
ଏହି ଫିଲ୍ମର ପ୍ରଥମ ଟିଜର୍ ଜାନୁଆରୀ ୧ରେ ଆସିଥିବାବେଳେ, ଜାନୁଆରୀ ୧୫ରେ ଦିତ୍ୱୀୟ ଟିଜର୍ ଆସିଥିଲା। ଯେଉଁଥିରେ ଫିଲ୍ମର ଗୋଟିଏ ଗୀତର ମଧ୍ୟ ଝଲକ ଥିଲା। ଗୀତରେ ବଲିଉଡର ଦୁଇ ସୁପରଷ୍ଟାର ଶାହାରୁଖ୍ ଓ ସଲମାନ୍ ଖାନ୍ଙ୍କୁ ଦେଖିବାକୁ ମିଳିଥିଲା।
ଫିଲ୍ମର ସୁଟିଂ କାମ ସରି ଯାଇଥିବାବେଳେ ଏବେ ଏହାର ପୋଷ୍ଟ ପ୍ରଡକ୍ସନ୍ କାମ ଚାଲୁଛି। ଫିଲ୍ମରେ ଶାହାରୁଖ୍ଙ୍କୁ ପ୍ରଥମଥର ପାଇଁ ଜଣେ ବାମନ ଚରିତ୍ରରେ ଦେଖିବାକୁ ମିଳିବ। ଏଥିସହିତ ଫିଲ୍ମରେ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍ ମଧ୍ୟ ନଜର ଆସିବେ।
୨୦୧୭ରେ ରିଲିଜ୍ ହୋଇଥିବା ‘ଜବ୍ ହ୍ୟାରି ମେଟ୍ ସେଜଲ୍’ ଫିଲ୍ମ ପରଠାରୁ ଶାହାରୁଖ୍ଙ୍କୁ ଆଉ କୌଣସି ଫିଲ୍ମରେ ଦେଖିବାକୁ ମିଳି ନଥିଲା। ମୁମ୍ବାଇ ବ୍ୟତୀତ ଏହି ଫିଲ୍ମର କିଛି ଦୃଶ୍ୟ ଆମେରିକାରେ ମଧ୍ୟ ସୁଟିଂ କରାଯାଇଛି। ଏପରିକି ନାସାରେ ମଧ୍ୟ ସୁଟ୍ କରାଯାଇଥିବା ଶୁଣିବାକୁ ମିଳୁଛି। ଫିଲ୍ମର ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟ ଖାଲି ଲୋକେସନ୍ ଉପରେ ଗୁରୁତ୍ୱ ଦେଇନାହାନ୍ତି, ଏହାର ଗ୍ରାଫିକ୍ସ ଓ ଭିଜୁଆଲ୍ ଇଫେକ୍ଟସ୍ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।