ସୁଶାନ୍ତଙ୍କୁ ମିଳିବ ନ୍ୟାୟ ! ପ୍ରଧାନମନ୍ତ୍ରୀ ମୋଦି ଦେବେ କି ସଙ୍କେତ ?
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଲାଗି ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଚିଠିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଛନ୍ତି।
ଏହି ଖବର ଜଣାପଡ଼ିବା ପରେ ସୁଶାନ୍ତଙ୍କ ଫ୍ୟାନ୍ସମାନଙ୍କ ମନରେ ଏକ ପ୍ରକାର ବିଶ୍ୱାସ ସୃଷ୍ଟି ହୋଇଛି ଯେ, ସୁଶାନ୍ତଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ। ନିଶ୍ଚିତ ଭାବରେ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣା ଉପରେ ଧ୍ୟାନ ଦେବା ସହ ସଠିକ୍ ତଦନ୍ତ ଲାଗି ଲକ୍ଷାଧିକ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ସିବିଆଇ ତଦନ୍ତ ଲାଗି ଅନୁମତି ଦେବେ ବୋଲି ସୁଶାନ୍ତଙ୍କ ଫ୍ୟାନ୍ସମାନେ ବିଶ୍ୱାସ କରିଛନ୍ତି।
ଚିଠିରେ ସୁବ୍ରମଣ୍ୟମ ସ୍ୱାମୀ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ ଯେ, ଏହି ନିର୍ଦ୍ଦିଷ୍ଟ(ସୁଶାନ୍ତ ସିଂ ମୃତ୍ୟୁ ଘଟଣା) ମାମଲା ସିବିଆଇ ଦ୍ୱାରା ତଦନ୍ତ ହେବା ଉଚିତ୍। କାହିଁକି ନା ବିଶ୍ୱାସ କରାଯାଉଛି ଯେ, ଅଣ୍ଡରୱାର୍ଲଡ୍ ସହ ଯୋଗାଯୋଗରେ ଥିବା ବଲିଡଉଡ୍ର ପ୍ରମୁଖ ବ୍ୟକ୍ତିମାନେ ମୁମ୍ବାଇ ପୋଲିସ୍ ଉପରେ ଚାପ ପକାଉଛନ୍ତି।
ଖାଲି ସୁବ୍ରମଣ୍ୟମ ନୁହେଁ, ସୁଶାନ୍ତଙ୍କ ଫ୍ୟାନ୍ସଙ୍କଠୁ ଆରମ୍ଭ କରି ଅନେକ ଅଭିନେତା, ଅଭିନେତ୍ରୀ ଯଥା ଶେଖର ସୁମନ୍, ରୂପା ଗାଙ୍ଗୁଲି ପ୍ରମୁଖ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏପରିକି ଏହି ଘଟଣାରେ ସଲ୍ମାନ୍ ଖାନ୍, ଅମିର ଖାନ୍ ଓ ଶାହରୁଖ ଖାନ୍ଙ୍କ ନୀରବତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି।
ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣାକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାୱାତ୍ଙ୍କୁ ସେ ଖୁବ୍ଶୀଘ୍ର ଭେଟିବେ ବୋଲି ସୁବ୍ରମଣ୍ୟମ କହିଛନ୍ତି। ଏହାସହ ଜେରା ବେଳେ ତାଙ୍କୁ ସମର୍ଥନ ଜଣାଇବେ ବୋଲି ସେ କହିଛନ୍ତି।