ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ଇଡି ହାତରେ ଲାଗିଲା ନୂଆ ତଥ୍ୟ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଟଙ୍କା ହଡ଼ପ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତରେ ଲାଗିଛି ନୂଆ ତଥ୍ୟ । ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ରହୁଥିବା ସାଢ଼େ ୪ କୋଟି ଟଙ୍କାର ଫ୍ଲାଟ୍ ସୁଶାନ୍ତଙ୍କ ନାଁରେ ରହିଛି। ମୁମ୍ବାଇ ମଲାଡ୍‌ରେ ଥିବା ଏହି ଫ୍ଲାଟ୍‌ର ଇଏମ୍‌ଆଇ ଏବେ ବି ସୁଶାନ୍ତଙ୍କ ଆକାଉଣ୍ଟରୁ କଟୁଛି।

ଇଡି ପକ୍ଷରୁ ଏହି ତଥ୍ୟକୁ ନେଇ ଖୁଲାସା ଏବେ ଯାଏ ହୋଇନଥିବା ବେଳେ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହୋଇଛି। ଯଦି, ଏହି ଦିଗରେ ଇଡି ଖୋଲତାଡ଼ କରେ ତେବେ ଆହୁରି ଅନେକ ତଥ୍ୟ ବାହାରିବା ନେଇ ଅନୁମାନ କରାଯାଉଛି।

କାରଣ, ସୁଶାନ୍ତ ଓ ଅଙ୍କିତା ୬ ବର୍ଷ ତଳୁ ଅଲଗା ହୋଇଛନ୍ତି। ଏପରିକି ଅଙ୍କିତା ବହୁ ବର୍ଷ ଧରି ସୁଶାନ୍ତଙ୍କୁ ଦେଖି ନଥିବା ବି କହିଛନ୍ତି। ତେବେ ଫ୍ଲାଟ୍ ସମ୍ପର୍କରେ ସେ କାହିଁକି କହି ନାହାଁନ୍ତି ? ଏପରିକି ମୁମ୍ବାଇ ପୋଲିସ୍ ବି ଏହି ଦିଗରେ ସୁରାକ କିପରି ପାଇଲାନି ତାକୁ ନେଇ ପ୍ରଶ୍ନ ଉଠିଛି।

ସେପଟେ ଗତକାଲି ସୁଶାନ୍ତଙ୍କ କର୍ମଚାରୀ ରଜତ ମେୱାନୀ ଓ ପଙ୍କଜ ଦୁବେଙ୍କୁ ଜେରା କରିଛ ଇଡି। ଅପରପକ୍ଷେ ସିବିଆଇର ସ୍ୱତନ୍ତ୍ର ଟିମ୍ ସୁଶାନ୍ତଙ୍କ ବାପା କେକେ ସିଂହ ଓ ପରିବାର ସଦସ୍ୟଙ୍କୁ ଫରିଦାବାଦ୍ ଘରେ ଭେଟିିଛି।

ସେପଟେ ସୁଶାନ୍ତ ସିଂଙ୍କ ନାଁରେ ଥିବା ଫ୍ଲାଟରେ ଅଙ୍କିତା ରହୁଥିବା ନେଇ ମିଡିଆରେ ଚର୍ଚ୍ଚା ହେବା ପରେ ଏହାର ଉତ୍ତର ରଖିଛନ୍ତି ଅଙ୍କିତା ଲୋଖଣ୍ଡେ। ଟ୍ୱିଟରରେ ସେ ନିଜ ବ୍ୟାଙ୍କ ଡିଟେଲ୍ସ ଓ କିଛି କାଗଜପତ୍ର ପୋଷ୍ଟ କରିଛନ୍ତି ।ସୁଶାନ୍ତଙ୍କ ନୁହେଁ ବରଂ ତାଙ୍କ ଆକାଉଣ୍ଟରୁ ହିଁ ମାସିକ ଇଏମ୍ଆଇ କଟୁଛି ବୋଲି ଅଙ୍କିତା ଉଲ୍ଲେଖ କରିଛନ୍ତି। ଏ ନେଇ ମୋତେ ଆଉ କିଛି କହିବାର ନାହିଁ ବୋଲି କହିଛନ୍ତି ଅଙ୍କିତା ।

You might also like