ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ବଲିଉଡ୍ର ଏହି ପ୍ରସିଦ୍ଧ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ଆବେଦନ ଖାରଜ
ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣାରେ ଅଭିନେତା ସଲ୍ମାନ୍ ଖାନ୍, କରଣ ଜୋହର, ଏକ୍ତା କପୁର ଓ ସଞ୍ଜୟ ଲୀଲା ଭଂସାଲୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଆବେଦନ ହୋଇଥିବା ପିଟିସନ୍କୁ କୋର୍ଟ ଖାରଜ କରିଛନ୍ତି। ବୁଧବାର ବିହାରର ଏକ କୋର୍ଟ ଏହି ପିଟିସନ୍ ଖାରଜ କରିଛନ୍ତି। ଏହା ଆମ ବିଚାର ପରିସର ଭୁକ୍ତ ନୁହେଁ କାରଣ ଦର୍ଶାଇ କୋର୍ଟ ପିଟିସନ୍ ଖାରଜ କରିଛନ୍ତି।
ଜଣେ ସ୍ଥାନୀୟ ଓକିଲ କୋର୍ଟରେ ଏହି ପିଟିସନ୍ ଦାଖଲ କରିଥିଲେ।
ଜୁନ୍ ୧୪ରେ ସୁଶାନ୍ତ ମୁମ୍ବାଇ ସ୍ଥିତ ଫ୍ଲାଟ୍ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାର ୩ ଦିନ ପରେ ସମ୍ପୃକ୍ତ ଓକିଲ ଏହି ଘଟଣାରେ ସଲ୍ମାନ୍, କରଣ ଜୋହର, ସଞ୍ଜୟ ଲୀଲା ଭଂସାଲୀ ଓ ଏକ୍ତା କପୁରଙ୍କ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟରେ ପିଟିସନ୍ ଦାଖଲ କରିଥିଲେ।
ପିଟିସନ୍ ଖାରଜ ପରେ ଓକିଲ ଜଣକ କହିଛନ୍ତି, ‘ସିଜେଏମ୍(Chief Judicial Magistrate)ଙ୍କ ନିଷ୍ପତ୍ତିକୁ ଜିଲ୍ଲା କୋର୍ଟରେ ଚ୍ୟାଲେଞ୍ଜ୍ କରିବି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିହାରବାସୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଯେଉଁମାନେ ସୁଶାନ୍ତଙ୍କୁ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।’
ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ସଞ୍ଜୟଙ୍କୁ ମିଶାଇ ୨୯ ଜଣ ଲୋକଙ୍କୁ ଜେରା କରିସାରିଲାଣି ମୁମ୍ବାଇ ପୁଲିସ୍।