ଉଭଣୀର ଲୁହ ଭିଜା ଚିଠି- ଥାଳି ସଜ୍ଜା ହୋଇଛି, ଦୀପ ଜଳୁଛି…ହେଲେ କୁଆଡେ ଗଲା ସେଇ ମୁହଁ….

ମୁମ୍ବାଇ: ତିନି ଭଉଣୀ ରାକ୍ଷୀ ଧରି ଅପେକ୍ଷା କରିଛନ୍ତି। ତାଙ୍କର ଗେହ୍ଲା ଭାଇ ଆସିବ। ତା’ ହାତରେ ରାକ୍ଷୀ ବାନ୍ଧିଦେବେ। ମଥାରେ ସିନ୍ଦୂରର ଟିପା ଦେଇ ମଙ୍ଗଳ ମନାସିବେ। ଦୀପ ଦେଇ ବନ୍ଦାପନା କରି ଭାଇର ଦୀର୍ଘ ଜୀବନ କାମନା କରିବେ। ହେଲେ ଭାଇ କାହିଁ…..? ସତରେ କ’ଣ ଆଉ ସେ ଆସିବନି ? ତାଙ୍କ ହାତରୁ ରାକ୍ଷୀ ବାନ୍ଧିବନି ? ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣମୀରେ ଭାଇ କଥା ମନେ ପକେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ତିନି ଭଉଣୀ।

ଆଜି ଭଳି ଦିନରେ ସୁଶାନ୍ତଙ୍କ ଭଉଣୀ ରାଣୀଙ୍କ ଆଖିରେ ଲୁହ।  ତାଙ୍କ ଭାଇଙ୍କୁ ସେ ସବୁଦିନ ପାଇଁ ହରାଇଛନ୍ତି। ସେ ଜାଣିଛନ୍ତି,  ତାଙ୍କ ଭାଇ ଆଉ କେବେବି ଆଉ ଫେରି ଆସିବେ ନାହିଁ। ହେଲେ ମନ ମାନୁନି। ତେଣୁ ସବୁଥର ପରି ଏଥର ମଧ୍ୟ ଭାଇ ପାଇଁ ପୂଜା ଥାଳି ସଜାଡ଼ିଛନ୍ତି।  ସୁଶାନ୍ତଙ୍କୁ ମନେ ପକାଇ ତାଙ୍କ ଭଉଣୀ ରାଣୀ ଭାବପ୍ରବଣ ପୋଷ୍ଟ ଶେଆର୍‌ କରିଛନ୍ତି। ଯାହାକୁ ନେଇ ସୋସିଆଲ୍‌ ମିଡିଆରେ ଏବେ ବେଶ୍‌ ଚର୍ଚ୍ଚା।

ସୁଶାନ୍ତଙ୍କ ମନେ ପକାଇ ରାଣୀ ଲେଖିଛନ୍ତି, ‘୩୫ ବର୍ଷ ପରେ ଆଜି ପ୍ରଥମଥର ପାଇଁ ଏମିତି ଘଟିଛି, ପୂଜା ଥାଳି ସଜ୍ଜା ହୋଇଅଛି, ଦୀପ ମଧ୍ୟ ଜଳୁଛି…ହେଲେ ସେଇ ଚେହେରା ନାହିଁ। ଯାହାଙ୍କୁ ମୁଁ ବନ୍ଦାପନା କରିବି, ମଥାରେ ଟିକା ଲଗାଇ ସଜେଇ ଦେବି। ସେଇ ହାତ ନାହିଁ ଯେଉଁ ହାତରେ ମୁଁ ରାକ୍ଷୀ ବାନ୍ଧିବି। ସେଇ ମୁହଁ ନାହିଁ, ଯାହାଙ୍କୁ ମୁଁ ମିଠା ଖୁଆଇବି। ସେଇ ଭାଇ ନାହିଁ ଯାହାଙ୍କୁ ମୁଁ ଆଲିଙ୍ଗନ କରିବି।

ରାଣୀ ଆହୁରି ଲେଖିଛନ୍ତି, ‘ବହୁ ବର୍ଷ ତଳେ ତୁମେ ଯେତେବେଳେ ଆସିଥିଲ ଜୀବନ ଆଲୋକିତ ହୋଇଥିଲା। ଯେତେବେଳେ ଥିଲ ଆଲୋକ ହିଁ ଆଲୋକ ଥିଲା। ଏବେ ଯେତେବେଳେ ତୁମେ ନାହଁ ମୁଁ ବୁଝି ପାରୁନି କ’ଣ କରିବି। ତୁମ ବିନା ମୁଁ ବଞ୍ଚିବା ଶିଖିନାହିଁ। କେବେ ଭାବିନଥିଲି ଏମିତି  ଦିନ ଆସିବ ଯେଉଁଠି ତୁମେ ନ ଥିବ। ବହୁତ ଜିନିଷ ଆମେ ଏକାଠି ଶିଖିଛୁ। ତୁମ ବିନା ମୁଁ ଏକାକୀ କେମିତି ରହିବି  ତୁମେ ହିଁ କୁହ।’

ଆଜି ଭଳି ଦିନରେ ସୁଶାନ୍ତଙ୍କ ଭଉଣୀଙ୍କ ଏଭଳି ଭାବପ୍ରବଣ ଲେଖା ଲୋକଙ୍କୁ ଆହୁରି ଦୁଃଖିତ କରିଛି।

ଜୁନ୍‌ ୧୪ରେ ସୁଶାନ୍ତ ମୁମ୍ବାଇ ବାନ୍ଦ୍ର ସ୍ଥିତ ତାଙ୍କ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଥିଲେ। ଯାହା ବଲିଉଡ୍‌ ଇଣ୍ଡଷ୍ଟ୍ରିଠୁ ଆରମ୍ଭ କରି ତାଙ୍କ ଫାନ୍ସ, ସାଙ୍ଗସାଥୀ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।

ଆହୁରି ପଢ଼ନ୍ତୁ

You might also like