ଧରାପଡ଼ି ଯିବା ଭୟରେ ବାରମ୍ବାର ବେଶ ବଦଳାଉ ଥିଲେ ଡ୍ରଗ୍ ପେଡ୍ଲର୍, ହେଲେ…
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ଘଟଣାରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋର(NCB) ଯାଞ୍ଚ ଜାରି ରହିଛି। ଏନ୍ସିବି ବୁଧବାର ଡ୍ରଗ୍ ପେଡ୍ଲର୍ ରିଗଲ୍ ମହାକାଲଙ୍କୁ ଗିରଫ କରିଛି।
ରିଗଲ୍, ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୌଭିକଙ୍କୁ ସିଧାସଳଖ ଡ୍ରଗ୍ସ ସପ୍ଲାଏ କରୁଥିଲେ। ଡ୍ରଗ୍ ପେଡ୍ଲର୍ ଅନୁଜ୍ କେଶୱାନୀଙ୍କୁ ଏନ୍ସିବି ଗିରଫ କରିବା ପରେ ରିଗଲ୍ଙ୍କ ନାଁ ସାମ୍ନାକୁ ଆସିଥିଲା। ରିଗଲ୍, ଅନୁଜ୍ଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିଲେ ବୋଲି ଅଭିଯୋଗ ହୋଇଛି। ରିଗଲ୍ ବଲିଉଡ୍ ସେଲିବ୍ରିଟିମାନଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି।
ସବୁଠାରୁ ବଡ଼ କଥା, ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍କୁ ନେଇ ଏନ୍ସିବି ଖୋଳତାଡ଼ ଆରମ୍ଭ କରିବା ପରେ ନିଜ ନାଁ ସାମ୍ନାକୁ ଆସିବା ଭୟରେ ନାମ, ବେଶ ଓ ସ୍ଥାନ ପରିବର୍ତ୍ତନ କରି ରିଗଲ୍ ରହୁଥିଲା। ହେଲେ ଶେଷରେ ଏନ୍ସିବି ହାତରେ ସେ ଧରାପଡ଼ିଛନ୍ତି। ତାଙ୍କୁ ଧରିବା ପାଇଁ ଦୀର୍ଘ ଦିନ ହେବ ଏନ୍ସିବି ଖୋଜୁ ଥିଲା। ରିଗଲ୍ଙ୍କୁ ଗିରଫ ପରେ ପୁଣି ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍କୁ ନେଇ ଛାନ୍ଭିନ୍ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ରିଗ୍ଲଙ୍କ ସୂଚନା ଆଧାରରେ ଏନ୍ସିବି ଅନ୍ଧେରୀ ୱେଷ୍ଟ୍ରେ ରେଡ୍ କରିଛି।
ଜେରା ସମୟରେ ରିୟା ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ନାଁ ନେଇଥିଲେ। ଏହି ସେଲିବ୍ରିଟି ସୁଶାନ୍ତଙ୍କ ପାର୍ଟିରେ ସବୁ ଯୋଗ ଦେଇଥିଲେ ଓ ଏହି ପାର୍ଟି ଲୋନାଭାଲାରେ ହେଉଥିଲା। ଏହିସବୁ ପାର୍ଟିରେ ବଲିଉଡ୍ର ୨ଜଣ ସେଲିବ୍ରିଟି ସାମିଲ ହେଉଥିଲେ, ଯାହାଙ୍କର ନାଁ ରିୟା ଖୁଲାସା କରିଥିଲେ।
ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ମୃତ୍ୟୁ ପରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ଘଟଣା ସାମ୍ନାକୁ ଆସିଥିଲା। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ସମେତ ତାଙ୍କ ଭାଇ ଶୌଭିକ୍, ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର୍ ସାମୁଏଲ୍ ମିରାଣ୍ଡା, ପର୍ସନାଲ୍ ଷ୍ଟାଫ୍ ଦୀପେଶ ସାୱନ୍ତଙ୍କ ସମେତ ଅନେକଙ୍କୁ ଏନ୍ସିବି ଗିରଫ କରିଥିଲା। ୨୮ ଦିନ ଜେଲ୍ରେ ରହିବା ପରେ ଏହି ମାମଲାରେ ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ।
ଏନ୍ସିବି ଏହି ମାମଲାରେ ବଲିଉଡ୍ର ପ୍ରମୁଖ ଅଭିନେତ୍ରୀ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପଚରାଉଚରା କରିଥିଲା।