ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ପାଟନା: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ନୂଆ ନୂଆ ଖୁଲାସା ହେବା ସହ ଦିନକୁ ଦିନ ଏହି ମାମଲା ଆହୁରି ଜଟିଳ ହେବାରେ ଲାଗିଛି।

ତାଜା ରିପୋର୍ଟ ଅନୁସାରେ, ବିହାର ମୁଜାଫର୍‌ପୁର ଜିଲ୍ଲା କୋର୍ଟ ବଲିଉଡ୍‌ ଇଣ୍ଡଷ୍ଟ୍ରିର ୮ ଜଣାଶୁଣା ବ୍ୟକ୍ତିଙ୍କୁ ସମନ୍‌ ଜାରି କରିଛି। ଏମାନଙ୍କ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହର ଅଛନ୍ତି। ଶୁଣାଣି ପାଇଁ କୋର୍ଟରେ ଉପସ୍ଥିତ ରହିବାକୁ ଏମାନଙ୍କୁ ସମନ କରାଯାଇଛି।

ସଲମାନ୍‌, କରଣଙ୍କ ବ୍ୟତୀତ ଆଦିତ୍ୟ ଚୋପ୍ରା, ସାଜିଦ୍‌ ନାଦିଆଡ୍‌ୱାଲା, ସଞ୍ଜୟ ଲୀଲା ଭଂଶାଲୀ, ଭୂଷଣ କୁମାର, ଏକ୍‌ତା କପୁର ଓ ନିର୍ଦ୍ଦେଶକ ଦୀନେଶ ଭିଜନ୍‌ ପ୍ରମୁଖଙ୍କୁ ମଧ୍ୟ ସମନ୍‌ କରାଯାଇଛି।

ଅକ୍ଟୋବର ୭ରେ ଏମାନେ ବ୍ୟକ୍ତିଗତ ଭାବେ କିମ୍ବା ସେମାନଙ୍କର ଓକିଲ କୋର୍ଟରେ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ, ସୁଶାନ୍ତଙ୍କ ମୃତ୍ୟୁର ୩ ଦିନ ପରେ ଅର୍ଥାତ୍‌ ଜୁନ୍‌ ୧୭ରେ ଏହି ୮ଜଣଙ୍କ ବିରୋଧରେ ମାମଲା ରୁଜୁ ପାଇଁ ସୁଧୀର ଓଝା ନାମକ ଜଣେ ଓକିଲ Chief Judicial Magistrate କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଓକିଲ ଜଣଙ୍କ ଅଭିଯୋଗ ଆଣିଥିଲେ ଯେ, ଏମାନେ ସମସ୍ତେ ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କ ଚଳଚ୍ଚିତ୍ର ରିଲିଜ୍‌ କରିବାକୁ ଦେଇନଥିଲେ। କେବଳ ଏମାନଙ୍କ ପାଇଁ ସୁଶାନ୍ତଙ୍କୁ ଫିଲ୍ମ କାର୍ଯ୍ୟକ୍ରମରେ ମଧ୍ୟ ନିମନ୍ତ୍ରଣ କରାଯାଇନଥିଲା। ସେ ଆହୁରି ମଧ୍ୟ ଅଭିଯୋଗ ଆଣିଥିଲେ ଯେ, ଏହି ୮ଜଣ ବ୍ୟକ୍ତି ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ।

You might also like