ଜୁନ୍ ୧୩ ତାରିଖ ରାତିରେ କ’ଣ ଘଟିଥିଲା ସୁଶାନ୍ତଙ୍କ ଘରେ ? ପଡ଼ୋଶୀ ଦେଲେ ଆଶ୍ଚର୍ଯ୍ୟଜନକ ତଥ୍ୟ
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ସିବିଆଇ ଖୋଳତାଡ଼ ଆରମ୍ଭ କରିଛି। ସୁଶାନ୍ତଙ୍କ ରୋଷେୟା ନିରଜଙ୍କଠୁ ଆରମ୍ଭ କରି ସୁଶାନ୍ତଙ୍କ ସହ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍ରେ ରହୁଥିବା ସିଦ୍ଧାର୍ଥ ପିଠାନୀ, ଦୀପେଶ ସାୱନ୍ତଙ୍କୁ CBI ମାରାଥନ ଜେରା କରିଛି। ଏସବୁ ଭିତରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଏବେ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ଜଣେ ପଡ଼ୋଶୀ ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି।
ସମ୍ପୃକ୍ତ ପଡ଼ୋଶୀ ଜଣକ କହିଛନ୍ତି, ଜୁନ୍ ୧୩ ତାରିଖ ରାତିରେ ସୁଶାନ୍ତଙ୍କ ଘରର ଲାଇଟ୍ ଆଶ୍ଚର୍ଯ୍ୟଜନକ ଭାବେ ବନ୍ଦ ହୋଇଯାଇଥିଲା। ୧୩ ତାରିଖ ରାତିରେ କେବଳ ରୋଷେଇ ଘରକୁ ଛାଡ଼ି ସୁଶାନ୍ତଙ୍କ ଘରରବାକି ଲାଇଟ୍ ସବୁ ଅଚାନକ ରାତି ୧୦ଟା ୩୦ରୁ ୧୧ ମଧ୍ୟରେ ବନ୍ଦ ହୋଇଥିଲା। ସାଧାରଣତଃ ସୁଶାନ୍ତ ଓ ତାଙ୍କ ସହ ପ୍ଲାଟ୍ ରହୁଥିବା ଅନ୍ୟମାନେ ବିଳମ୍ବିତ ରାତିରେ ଶୋଇଥାନ୍ତି। ହେଲେ ସେଇଦିନ ରାତିରେ ହଠାତ୍ ଏତେ ଶୀଘ୍ର ଘରର ଲାଇଟ୍ ସବୁ ବନ୍ଦ ହେବାକୁ ନେଇ ଆହୁରି ସନ୍ଦେହ ସୃଷ୍ଟି ହୋଇଛି।
ତେବେ ୧୩ ତାରିଖରେ ସୁଶାନ୍ତଙ୍କ ଘରେ କୌଣସି ପାର୍ଟି ହୋଇନଥିବା ପଡ଼ୋଶୀ ଜଣକ କହିଛନ୍ତି।
ସୂଚନାଥାଉ କି, ଜୁନ୍ ୧୪ରେ ସୁଶାନ୍ତଙ୍କ ମୃତଦେହ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା।
ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଏବେ ରହସ୍ୟ ଘେର ଭିତରେ ଥିବାବେଳେ ଜୁନ୍ ୧୩ ତାରିଖ ରାତିକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। ଏହାସହ ସୁଶାନ୍ତଙ୍କ ପଡ଼ୋଶୀଙ୍କ ଏଭଳି ବୟାନ ଏହି ମାମଲାକୁ ଏକ ଭିନ୍ନ ମୋଡ଼ ଦେଇଛି।