ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମୁମ୍ବାଇ ଯିବ CBIର ସ୍ୱତନ୍ତ୍ର ଟିମ୍‌

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି। ଏହି ନିର୍ଦ୍ଦେଶ ପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା ନୂଆ ମୋଡ଼ ନେବାକୁ ଯାଉଛି।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର SIT ଟିମ୍‌ ଏହାର ତଦନ୍ତ କରିବ। ଏହି ତଦନ୍ତକାରୀ ଟିମ୍‌ରେ ୪ ଜଣ ଅଧିକାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ଗୁଜରାଟ କ୍ୟାଡର ଓ ଏହି ୪ ଅଧିକାରୀଙ୍କ ଭିତରେ ୨ ଜଣ ମହିଳା ଅଧିକାରୀ ଅଛନ୍ତି। ସିବିଆଇ ଟିମ୍‌ରେ ଥିବା ଅଧିକାରୀମାନେ ହେଲେ ମନୋଜ ଶଶିଧର, ଗଗନଦୀପ ଗମ୍ଭୀର, ନୁପୁର ପ୍ରସାଦ ଓ ଅନିଲ ଯାଦବ।

ମନୋଜ ଶଶିଧର ସିବିଆଇର ସହନିର୍ଦ୍ଦେଶକ ଅଛନ୍ତି। ପୂର୍ବରୁ ସେ ବରୋଦା ପୋଲିସ କମିଶନର ଥିଲେ। ଗୁଜରାଟର ରାଜ୍ୟ ଗୁପ୍ତଚର ବିଭାଗର ମୁଖ୍ୟ ମଧ୍ୟ ଥିଲେ। ସେହିପରି ଡେପୁଟି ଇନ୍ସପେକ୍ଟର ଜେନେରାଲ ଗଗନଦୀପ ଗମ୍ଭୀର ଗୁଜରାଟ କ୍ୟାଡରର ୨୦୦୪ ବ୍ୟାଚ୍‌ର ଅଧିକାରୀ। ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍‌ ମାମଲା ଓ ବହୁଚର୍ଚ୍ଚିତ ବିଜୟ ମାଲ୍ୟାଙ୍କ ଋଣ ଖିଲାପ ମାମଲାର ତଦନ୍ତ କରିଛନ୍ତି ଗଗନଦୀପ। ନୁପୁର ପ୍ରସାଦ ହେଉଛନ୍ତି ୨୦୦୭ ବ୍ୟାଚ୍‌ର କେନ୍ଦ୍ରୀୟ କ୍ୟାଡର ଅଧିକାରୀ। ନୁପୁର ବିହାରର ହୋଇଥିବା ବେଳେ ସିବିଆଇରେ ଯୋଗଦେବା ପୂର୍ବରୁ ସେ ଦିଲ୍ଲୀରେ ଡେପୁଟି କମିଶନର ଭାବେ କାର୍ଯ୍ୟ କରୁଥିଲେ। ଅନୀଲ ଯାଦବ ସିବିଆଇରେ ଅତିରିକ୍ତ ପୋଲିସ ଅଧିକ୍ଷକ ଭାବେ କାମ କରୁଛନ୍ତି। ଯାଦବଙ୍କ ଟିମ୍ ମୁଖ୍ୟ ଅନୁସନ୍ଧାନ ଓ ପ୍ରମାଣ ସଂଗ୍ରହ ଦାୟିତ୍ୱରେ ରହିବେ।

ତେବେ ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଆଜି ସିବିଆଇର ଏସ୍‌ଆଇଟି ଟିମ୍ ଆଜି ସଂଧ୍ୟାରେ ମୁମ୍ବାଇ ଯିବାର କାର୍ଯ୍ୟକ୍ରମ ରହିଛି।

SIT ଟିମ୍‌ ସହ FSL(Forensic Science Laboratory) ଟିମ୍ ମଧ୍ୟ ମୁମ୍ବାଇ ଗସ୍ତରେ ଯିବ। ଏସ୍‌ପି ନୁପୁର ପ୍ରସାଦ, ଜଣେ ଡିଏସ୍‌ପିଙ୍କ ସମେତ ୪ ଜଣ ସଦସ୍ୟ SIT ଟିମ୍‌ରେ ଅଛନ୍ତି। FSL ଟିମ୍‌ ସହ SIT ଟିମ୍ ପ୍ରଥମେ ବାନ୍ଦ୍ରା ସ୍ଥିତ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ଲାଟ୍‌କୁ ଯିବେ, ଯେଉଁଠାରୁ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ୍‌ ଦ୍ୱାରା କରାଯାଇଥିବା ତଦନ୍ତକୁ ଆରମ୍ଭରୁ ଯାଞ୍ଚ କରିବ ସିବିଆଇ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଦ୍ୱାରା ମାମଲାର ଆର୍ଥିକ ସମସ୍ୟା ଉପରେ ତଦନ୍ତ କରାଯାଉଛି, ଯାହାକୁ ତଦନ୍ତ ସିବିଆଇ କରିପାରିବ ବୋଲି ସୂଚନା ମିଳିଛି।  ଏ ସଂପର୍କରେ ବିହାର ପୋଲିସ୍‌ ଦ୍ୱାରା ଦାଖଲ ହୋଇଥିବା ଦଲିଲ ଗୁଡ଼ିକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି।

ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟକୁ ନେଇ ରହିଛି ଅନେକ ପ୍ରଶ୍ନ। ଯାହାର ଉତ୍ତର ଖୋଜିବ ସିବିଆଇ। ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା? ଯଦି ଆତ୍ମହତ୍ୟା, ତେବେ ଏହାର କାରଣ କଣ ? ଯହି ହତ୍ୟା, ତା’ହେଲେ ଏହା ପଛରେ କାହାର ହାତ ରହିଛି ? ସୁଶାନ୍ତଙ୍କ ମୃତ୍ୟୁରେ ରିୟା ଚକ୍ରବର୍ତ୍ତୀଙ୍କ ଭୂମିକା ଅଛି କି ? ସୁଶାନ୍ତଙ୍କ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିର ଭୂମିକା କ’ଣ ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ସିବିଆଇ ଅନେକ ଲୋକଙ୍କୁ ଜେରା କରିପାରେ। ସିବିଆଇ ସୁଶାନ୍ତଙ୍କ ପରିବାର ବ୍ୟତୀତ ଅନ୍ୟ କିଛି ଲୋକଙ୍କ ବିବୃତ୍ତି ରେକର୍ଡ କରିଛି। ସିବିଆଇ ସୁଶାନ୍ତଙ୍କ ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ କରିପାରେ।

You might also like