ସାଉଥ୍‌ ଆଫ୍ରିକା ଯାଏ ଲମ୍ବିଛି ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌, ଅଭିନେତାଙ୍କ ଗର୍ଲଫ୍ରେଣ୍ଡ୍‌ଙ୍କ ଭାଇକୁ ଗିରଫ କଲା NCB

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଅଭିନେତା ଅର୍ଜୁନ୍‌ ରାମପାଲ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଗାବେରିଲା ଡେମେଟ୍ରିଆଡିସ୍‌ଙ୍କ ଭାଇଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ NCB ଗାବେରିଲାଙ୍କ ଭାଇ ଆଜିସିଆଲୋସ୍ ଡେମେଟ୍ରିଆଡିସ୍‌ଙ୍କୁ  ରବିବାର ଗିରଫ କରିଛି। ଆଜିସିଆଲୋସ୍ ହେଉଛନ୍ତି ଦକ୍ଷିଣ ଆଫ୍ରିକୀୟ। ସୁଶାନ୍ତ ସିଂ ମାମଲାରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ଗିରଫ ଡ୍ରଗ୍‌ ବେପାରୀଙ୍କ ସହ ଆଜିସିଆଲୋସ୍ ଯୋଗାଯୋଗରେ ଥିଲେ ବୋଲି ଜଣାପଡ଼ିଛି। ଗିରଫ ପରେ ଆଜିସିଆଲୋସ୍‌ଙ୍କୁ କୋର୍ଟରେ ହାଜର କରାଯାଇ ଏନ୍‌ସିବି ହେପାଜତକୁ ପଠାଇ ଦିଆଯାଇଛି।

ଏହା ପୂର୍ବରୁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୌଭିକ୍‌, ସୁଶାନ୍ତଙ୍କ ହାଉସ୍‌ ମ୍ୟାନେଜର୍‌ ସାମୁଏଲ୍‌ ମିରାଣ୍ଡା, ପର୍ସନାଲ୍‌ ଷ୍ଟାଫ୍‌ ଦୀପେଶ ସାୱନ୍ତଙ୍କ ସମେତ ଅନେକଙ୍କୁ ଏନ୍‌ସିବି ଗିରଫ କରିଥିଲା। ୨୮ ଦିନ ଜେଲ୍‌ରେ ରହିବା ପରେ ଏହି ମାମଲାରେ ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଥିଲେ।

ଏନ୍‌ସିବି ଏହି ମାମଲାରେ ବଲିଉଡ୍‌ର ପ୍ରମୁଖ ‌ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ସାରା ଅଲ୍ଲୀ ଖାନ୍‌ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପଚରାଉଚରା କରିଥିଲା।

ସୂଚନାଥାଉ କି, ଜୁନ୍‌ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମିଳିଥିଲା।

You might also like