ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି। ପୋଷ୍ଟମର୍ଟମ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇନଥିବା ଅଭିଯୋଗ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି- ସୁଶାନ୍ତଙ୍କ ମୃତ୍ୟୁ ସମୟ ଅର୍ଥାତ୍‌ କେଉଁ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା, ତାହା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ନାହିଁ। ଏହି କଥା ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂ ଶନିବାର କହିଛନ୍ତି। ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ଏହି ମାମଲାରେ ମୁମ୍ବାଇ ପୋଲିସ୍‌ର ଯାଞ୍ଚକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। 

ବିକାଶ ସିଂ କହିଛନ୍ତି, ‘ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ମୁଁ ଦେଖିବାକୁ ପାଇଲି ସୁଶାନ୍ତ କେଉଁ ସମୟରେ ମୃତ୍ୟୁବରଣ କରିଥିଲେ, ତାହା ଏଥିରେ ଉଲ୍ଲେଖ ନାହିଁ। ଯାହା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ସୁଶାନ୍ତଙ୍କୁ ହତ୍ୟା ପରେ ଟାଙ୍ଗି ଦିଆଯାଇଥିଲା ନା ସେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ, ଏସବୁ ତାଙ୍କ ମୃତ୍ୟୁର ସମୟରୁ ପତ୍ତା ଲଗା ଯାଇପାରିବ। ହେଲେ କେଉଁ ସମୟରେ ସେ ମୃତ୍ୟୁବରଣ କରିଥିଲେ ତାହା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ନାହିଁ। ମୁମ୍ବାଇ ପୋଲିସ୍‌ ଓ କୁପର୍ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଏସବୁ ପ୍ରଶ୍ନର ଜବାବ ଦେବାକୁ ପଡ଼ିବ। ଏହି ମାମଲାର ସତ୍ୟାସତ୍ୟ ଜାଣିବା ପାଇଁ CBI ଯାଞ୍ଚର ଆବଶ୍ୟକତା ରହିଛି।’

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ବାପା କେକେ ସିଂଙ୍କ ପକ୍ଷରୁ ବିକାଶ ସିଂ ମାମଲା ଲଢ଼ୁଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ଦାବି ନେଇ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଲଢ଼ୁଛନ୍ତି ବିକାଶ ସିଂ।

ଜୁନ୍‌ ୧୪ରେ ସୁଶାନ୍ତଙ୍କ ଝୁଲନ୍ତା ମୃତଦେହ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ଉଦ୍ଧାର କରାଯାଇଥିଲା।

You might also like