ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ବିହାରରେ ହୋଇଥିବା ମାମଲା ଠିକ୍

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।  ଏହି ନିର୍ଦ୍ଦେଶ ପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲା ନୂଆ ମୋଡ ନେବାକୁ ଯାଉଛି।

ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତରେ ବିହାର ପୋଲିସକୁ ମୁମ୍ବାଇ ପୋଲିସ ଓ ପ୍ରଶାସନ ସହଯୋଗ କରୁନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏ କ୍ଷେତ୍ରରେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ମୁମ୍ବାଇ ପୋଲିସ୍‌କୁ ନିର୍ଦ୍ଦେଶ ଦେବାସହ ମୃତ୍ୟୁ ସମ୍ପର୍କିତ ସମସ୍ତ ତଥ୍ୟ CBIକୁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଠି କହିରଖିବୁ, ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ମୁମ୍ବାଇ ପୋଲିସ କରୁଥିବାବେଳେ ଏହାକୁ ନେଇ ବିଭିନ୍ନ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଉଥିଲା। ହେଲେ ମହାରାଷ୍ଟ୍ର ସରକାର କିନ୍ତୁ ମୁମ୍ବାଇ ପୋଲିସର ଦକ୍ଷତାକୁ ପ୍ରଶଂସା କରୁଥିଲା। ଏପରିକି ସିବିଆଇ ତଦନ୍ତକୁ ବିରୋଧ କରିବା ସହ ବିହାର ପୋଲିସକୁ ସହଯୋଗ କରୁ ନ ଥିଲା ମୁମ୍ବାଇ ପ୍ରଶାସନ।

ହେଲେ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ବିହାର ପୋଲିସ ଯେଉଁ ମାମଲା ରୁଜୁ କରିଥିଲା ତାହା ମଧ୍ୟ ଠିକ୍ ବୋଲି କହିଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମକୋର୍ଟଙ୍କ ରାୟ ପରେ ବିହାର ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି, ବିହାର ପୋଲିସ ମୂଳରୁ ହିଁ ଠିକ୍ ଥିଲା । ନ୍ୟାୟପାଳିକା ଉପରେ ଯେଉଁ ବିଶ୍ୱାସ ଥିଲା, ତାହା ବଜାୟ ରହିଛି ।

ସତ୍ୟ ନିଶ୍ଚୟ ସାମ୍ନାକୁ ଆସିବ । ୧୩୦ କୋଟି ଭାରତୀୟ ଚାହୁଁଥିଲେ, ସୁଶାନ୍ତ ସିଂହ ରାଜପୁତ ମାମଲାର ସିବିଆଇ ତଦନ୍ତ ହେଉ। ସେମାନଙ୍କ ଭାବନାର ବିଜୟ ହୋଇଛି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସିବିଆଇ ଟିମ୍ ମୁମ୍ବାଇ ଯିବ ବୋଲି ଜଣାପଡ଼ିଛି।

ସେତିକି ନୁହେଁ, ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଯଦି କୌଣସି ନୂଆ ଏତଲା ଦାୟର ହୁଏ, ତେବେ CBI ଏହାର ମଧ୍ୟ ତଦନ୍ତ କରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୂଚନାଥାଉ କି, ଅଗଷ୍ଟ ୫ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ୩ ଦିନ ମଧ୍ୟରେ ଦାଖଲ‌ କରିବାକୁ ମହାରାଷ୍ଟ୍ର ସରକାର ଓ ପୋଲିସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ନାମଞ୍ଜୁର ମଧ୍ୟ କରିଥିଲେ।

ଜୁନ୍‌ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା।

You might also like