ଗରିବଙ୍କ ପାଇଁ ଅଛନ୍ତି ଗରିବଙ୍କ ଭଗବାନ : ୧୫ ମିନିଟରେ ବେଡ଼୍, ୩୦ ମିନିଟରେ ଇଞ୍ଜେକ୍ସନ୍

ନିଜେ କରୋନା ସଂକ୍ରମିତ ହୋଇ ମଧ୍ୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସୋନୁ ସୁଦ୍

ସଙ୍କଟ ବେଳର ସଙ୍କଟମୋଚକ ସୋନୁ ସୁଦ୍ ।  ଅଣନିଶ୍ୱାସୀ କରିପକାଉଛି ମହାମାରୀର ମାୟାଜାଲ, ଅବଶ ହୋଇପଡ଼ୁଛି ଶରୀର, ତଥାପି ମାନବସେବା ଛାଡ଼ି ନାହାନ୍ତି ଗରିବଙ୍କ ମସିହା ସୋନୁ ସୁଦ୍ । ଅଦୃଶ୍ୟ ଭାଇରସ କରାଳ ରୂପ ନେଇ ସାରିଥିବା ବେଳେ ଅଭିନେତା ସୋନୁ ସୁଦ୍ ଯାହା କରୁଛନ୍ତି, ପ୍ରଶାସନ ଓ ସରକାର ତାଙ୍କ ଠାରୁ କିଛି ଶିଖିବେ ନିଶ୍ଚୟ । ଗତ ବର୍ଷ ତାଲାବନ୍ଦ ଠାରୁ ଆରମ୍ଭ କରି ଏବେ ସୁଦ୍ଧା ଶ୍ରମିକ ଓ ଗରିବଙ୍କୁ ପାରୁପର୍ଯ୍ୟନ୍ତ ସାହାଯ୍ୟ କରୁଛନ୍ତି ଅଭିନେତା  । ବର୍ତ୍ତମାନ ବେଡ଼ ସମସ୍ୟା ପାଇଁ କୋଭିଡ ରୋଗୀ ନାହିଁନଥିବା ସମସ୍ୟା ଦେଇ ଗତି କରୁଥିବା ବେଳେ ସୋନୁଙ୍କ ଗୋଟିଏ ଟ୍ୱିଟରେ ପହଞ୍ଚିଯାଉଛି ବେଡ଼୍ ଓ ମିଳିଯାଉଛି ଇଞ୍ଜେକ୍ସନ୍ ।

କରୋନାର ଦ୍ୱିତୀୟ ଲହରୀରେ ପ୍ରଶାସନିକ ପ୍ରସ୍ତୁତି ଫେଲ ମାରିଥିବା ବେଳେ ସୋନୁ ସୁଦ ପୁଣି ଗରିବଙ୍କ ପାଇଁ ଦେବଦୂତ ହୋଇ ଛିଡ଼ା ହୋଇଛନ୍ତି । ତାଙ୍କର ମାତ୍ର ଗୋଟିଏ ଟ୍ୱିଟରେ ୧୫ ମିନିଟରେ ହସ୍ପିଟାଲରେ ବେଡ୍ ଓ ୩୦ ମିନିଟରେ ରୋଗୀଙ୍କୁ ରେମଡେସିଭର ଇଞ୍ଜେକ୍ସନ ପହଞ୍ଚାଇ ଦେଉଛନ୍ତି । ୨୦ ଏପ୍ରିଲରେ ଏମରଜେନ୍ସି ବେଡ୍ ପାଇଁ ୪୧୭ ଜଣ ଲୋକ ସାହାଯ୍ୟ ମାଗିଥିଲେ, ସେଥିମଧ୍ୟରୁ ୨୦୩ ଜଣ ଲୋକଙ୍କୁ ହସ୍ପିଟାଲରେ ବେଡ଼ ଯୋଗାଇବାରେ ସଫଳ ହୋଇପାରିଛନ୍ତି ସୋନୁ । ନିଜେ କରୋନାର ସଂକ୍ରମିତ ହୋଇ କ୍ୱାରଣ୍ଟିନରେ ଥିଲା ସୁଦ୍ଧା ଲୋକଙ୍କ ସେବା ଜାରି ରଖିଛନ୍ତି । କେବଳ ଏତିକି ନୁହେଁ ଏବେ ଘରମୁହାଁ ହୋଇଥିବା ପ୍ରବାସୀଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି । ସୋନୁ ସୁଦ୍ ସୋସିଆଲ ମିଡ଼ିଆରେ ଖୁବ ସକ୍ରିୟ । ଏବେ ବି ସେ କରୋନା ରୋଗୀଙ୍କୁ ସାହାଯ୍ୟ କରୁଛନ୍ତି ଓ ଟ୍ୱିଟରରେ ଉତ୍ତର ମଧ୍ୟ ଦେଉଛନ୍ତି ।

ସୂଚନାଯୋଗ୍ୟ ଅଭିନେତା ସୋନୁ ସୁଦ ଗତ ଚାରି ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା କଥା ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ନିବେଦନ କରିଥିଲେ । ତେବେ କରୋନାରେ ଆକ୍ରାନ୍ତ ହୋଇ ବି ସେ ଲୋକଙ୍କ ପାଇଁ କାମ କରିବେ ବୋଲି କହିଥିଲେ , ଯାହା ଏବେ ସେ କହୁଛନ୍ତି ।

ସୋନୁଙ୍କ ସାହାଯ୍ୟ ମନୋବୃତ୍ତିକୁ ସବୁଦିନ ମନେରଖିବେ ଦେଶବାସୀ । ଯେତେବେଳେ ନେତାମନ୍ତ୍ରୀମାନେ ଭୟରେ ଘରୁ ଗୋଡ଼ କାଢ଼ୁନଥିଲେ, ସେତେବେଳ ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ନିଜର ଘର ବି ବନ୍ଧକ ରଖିଥିଲେ ଗରିବଙ୍କ ମସିହା । ମହାମାରୀର ପ୍ରଥମ ଲହରରେ ସୋନୁଙ୍କ ଏହି ମହାନତା ସୋସିଆଲ ମିଡିଆଠାରୁ ଆରମ୍ଭ କରି ଗଣମାଧ୍ୟମର ସିରୋନାମା ପାଲଟିଥିଲା । ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ଅନେକ ବାର୍ତ୍ତା ମଧ୍ୟ ଦିଆଯାଉଥିଲା । ଫେସବୁକ, ଟ୍ୱିଟର ଓ ଇନଷ୍ଟା ମାଧ୍ୟମରେ ସାହାଯ୍ୟର ଲମ୍ବା ତାଲିକା ଦେଖିବାକୁ ମିଳିଥିଲା । ନିଜର ସାହାଯ୍ୟ ମନୋବୃତ୍ତି ପାଇଁ ମିଳିତ ଜାତିସଂଘରୁ ପୁରସ୍କୃତ ମଧ୍ୟ ହୋଇଥିଲେ ।

You might also like