ପୁଣି ବିବାଦରେ ସୋନୁ ନିଗମ, କହିଲେ- ମୁଁ ହେଲେ ପାକିସ୍ତାନରେ ଜନ୍ମ ହୋଇଥାନ୍ତି !

ମୁମ୍ବାଇ: ବିବାଦ ଘେରରେ ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ଏକ ବିବାଦୀୟ ମନ୍ତବ୍ୟ ଦେଇ ସେ ଖାଲି ବିବାଦକୁ ଆସି ନାହାନ୍ତି, ଫ୍ୟାନ୍ସମାନେ ତାଙ୍କ ଉପରେ ପ୍ରବଳ ଅସନ୍ତୁଷ୍ଟ ବି ହୋଇଛନ୍ତି। ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷତକାର ଦେଇ ସୋନୁ କହିଛନ୍ତି- ‘ବେଳେବେଳେ ମୁଁ ଅନୁଭବ କରେ, ମୁଁ ପାକିସ୍ତାନରେ ଜନ୍ମ ହୋଇଥିଲେ ଭଲ ହେଇଥାନ୍ତା। ଅନ୍ତତଃ ମତେ ଭାରତରୁ ଅଫର୍‌ ମିଳିଥାନ୍ତା।’ ସୋନୁଙ୍କର ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଦେଇଛି।

ସେ କହିଛନ୍ତି ଯେ, ଭାରତରେ କାମ କରିବା ପାଇଁ ପାକିସ୍ତାନୀ ଗାୟକଙ୍କୁ କୌଣସି ପ୍ରକାରର ଅତିରିକ୍ତ ପାରିଶ୍ରମିକ ଦେବାକୁ ପଡ଼ିନଥାଏ। ହେଲେ ଭାରତୀୟ ଗାୟକଙ୍କୁ ଟଙ୍କା ଦେବାକୁ ପଡ଼େ। ସେ ଆହୁରି ମଧ୍ୟ ଖୁଲାସା କରିଛନ୍ତି ଯେ, ଭାରତୀୟ ଗାୟକଙ୍କୁ ଭାରତରେ ଗୀତ ଗାଇବାକୁ ହେଲେ ମ୍ୟୁଜିକ୍‌ କମ୍ପାନୀକୁ ଟଙ୍କା ଦେବାକୁ ପଡ଼େ, ତେବେ ଯାଇ ଗୀତ ଗାଇବାର ସୁଯୋଗ ମିଳେ ଓ ତାଙ୍କ ଗୀତର ପ୍ରଚାର କରାଯାଏ। ସୋନୁଙ୍କ ଉପରୋକ୍ତ ବିବାଦୀୟ ମନ୍ତବ୍ୟ ପଛର କାରଣ ଏହା ବୋଲି ଜଣାପଡ଼ିଛି।

ପୂର୍ବରୁ ଶୋ’ରେ ପରିବେଷଣ ପାଇଁ ଗାୟକଙ୍କୁ ପାରିଶ୍ରମିକ ଦିଆଯାଉଥିଲା। ହେଲେ ଆଜିକାଲି ଗାୟକଙ୍କୁ ଶୋ’ ଆୟୋଜନ କରୁଥିବା ମ୍ୟୁଜିକ୍‌ କମ୍ପାନୀକୁ ପାରିଶ୍ରମିକ ଦେବାକୁ ପଡ଼ୁଛି ବୋଲି ସୋନୁ କହିଛନ୍ତି।

ସେ ପୁଣି କହିଛନ୍ତି, ପାକିସ୍ତାନୀ ଗାୟକଙ୍କ କ୍ଷେତ୍ରରେ କିନ୍ତୁ କଥାଟା ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ଗାୟକଙ୍କ କ୍ଷେତ୍ରରେ କାହିଁକି ପାତର ଅନ୍ତର କରାଯାଉଛି ବୋଲି ସୋନୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ଏହା ହିଁ ହେଉଛି କାରଣ ଯେ ଆଜିକାଲି ଆଉ ନୂଆ ଗୀତ ଆସୁ ନାହିଁ କେବଳ ରିମିକ୍ସ୍‌ ଗୀତ ହିଁ ତିଆରି ହେଉଛି।

ଏହାପୂର୍ବରୁ ମଧ୍ୟ ସୋନୁ ଏକ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଫସିଥିଲେ। ଧାର୍ମିକ ସ୍ଥାନରେ ବାଦ୍ୟଯନ୍ତ୍ର ବ୍ୟବହାର ନିଷିଦ୍ଧ କରିବା ନେଇ ସେ ଏକ ବିବାଦୀୟ ବୟାନ ଦେଇଥିଲେ।

Source: NEWS18.com, Jansatta

You might also like