ସଲମାନ୍ଙ୍କୁ ହତ୍ୟା ପାଇଁ ହୋଇଥିଲା ଷଡ଼ଯନ୍ତ୍ର, ଲକ୍ଡାଉନ୍ ପାଇଁ ଫେଲ୍ ମାରିଲା ପୂରା ପ୍ଲାନିଂ…
ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର। ହେଲେ କରୋନା ଲକ୍ଡାଉନ୍ ପାଇଁ ପୂରା ପ୍ଲାନିଂ ଫେଲ୍ ମାରିଥିଲା। ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ହରିୟାଣା ଫରିଦାବାଦ ପୋଲିସ୍। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ଜଣେ ସାର୍ପସୁଟରଙ୍କ ସମେତ ୪ଜଣକୁ ଗିରଫ କରିଛି। ସାର୍ପସୁଟର ଜଣକ ଲରେନ୍ସ ବିଶ୍ନୋୟୀ ଗ୍ୟାଙ୍ଗ୍ର ବୋଲି ଜଣାପଡ଼ିଛି। ଏହି ଗ୍ୟାଙ୍ଗ୍ ହରିୟାଣା ଓ ଅନ୍ୟ ରାଜ୍ୟମାନଙ୍କରେ ସକ୍ରିୟ ଥିବା ଜଣାଯାଇଛି।
ଅଗଷ୍ଟ ୧୫ ତାରିଖ ପୋଲିସ ଉତ୍ତରଖଣ୍ଡରୁ ରାହୁଲ ନାମକ ଜଣେ ସାର୍ପସୁଟର୍ଙ୍କୁ ଗିରଫ କରିଥିଲା। ରାହୁଲ ଫରିଦାବାଦରେ ଏକ ହତ୍ୟା ମାମଲାରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ରାହୁଲଙ୍କୁ ଜେରା ବେଳେ ପୋଲିସକୁ ଏହି ଷଡଯନ୍ତ୍ରର ସୁରାକ ମିଳିଥିଲା। ରାହୁଲ ପୋଲିସ ଆଗରେ ସଲମାନ୍ଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଥିବା ସ୍ୱୀକାର କରିଥିଲେ।
ସଲ୍ମାନ୍ଙ୍କୁ ହତ୍ୟା ଷଡ଼ଯନ୍ତ୍ର ରଚିବା ପାଇଁ ସାର୍ପସୁଟର୍ ରାହୁଲ୍ ଚଳିତ ବର୍ଷ ଜାନୁଆରୀରେ ମୁମ୍ବାଇ ଆସିଥିଲେ। ଏହି ସମୟରେ ସେ ସଲ୍ମାନ୍ଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟ୍ ଓ ସଲମାନ୍ଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲେ। ଏସବୁ ସେ ଲରେନ୍ସଙ୍କ ନିର୍ଦ୍ଦେଶମୁତାବକ କରିଥିବା ସୂଚନା ମିଳିଛି। ୨ ମାସ ଯାଏ ରାହୁଲ ମୁମ୍ବାଇ ଯିବା ଆସିବା କରୁଥିଲେ ବୋଲି ଜଣାପଡ଼ିଛି। ଏହାପରେ ସେ ରାଜସ୍ଥାନ ପଳାଇଥିଲେ। ତେବେ ଲକ୍ଡାଉନ୍ ଯୋଗୁ ସଲମାନ୍ଙ୍କୁ ହତ୍ୟା ପାଇଁ ହୋଇଥିବା ଷଡ଼ଯନ୍ତ୍ର ଫେଲ୍ ମାରିଥିଲା।
ସୂଚନାଥାଉ କି, ଫରିଦାବାଦର ଏଇ ହତ୍ୟା ମାମଲରେ ପୋଲିସ ରାହୁଲଙ୍କୁ ଗିରଫ କରିଛି। ଏଥିସହ ସଲମାନ୍ ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତ ତାଙ୍କର ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ପୋଲିସ୍ ଗିରଫ କରିଛି। ସେମାନେ ହେଲେ-ମନୀଷ, ରୋହିତ, ଆଶିଷ ଓ ଭରତ।
ରାହୁଲ ମୁମ୍ବାଇ ଆସିଥିବା ସମୟରେ କେଉଁ କେଉଁ ସ୍ଥାନକୁ ଯାଇଥିଲେ ସିସିଟିଭି ଆଧାରରେ ପୋଲିସ୍ ସେସବୁର ଯାଞ୍ଚ କରୁଥିବା ଜଣାପଡ଼ିଛି।
ଫରିଦାବାଦ ଡିସିପିଙ୍କ ସୂଚନା ଅନୁସାରେ, ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳି ନ ଥିବା କହି ଲରେନ୍ସ ବିଶ୍ନୋୟୀ ନିଜେ ଏହାର ପ୍ରତିଶୋଧ ନେବାକୁ ଏପରି ହତ୍ୟା ଷଡ଼ଯନ୍ତ୍ର ରଚିଥିଲା।