କରୋନା ମୁକାବିଲା ପାଇଁ ଶାହରୁଖଙ୍କ ନିଆରା ସହାୟତା: ଏମିତି ପ୍ରଶଂସା କଲେ ଫ୍ୟାନ

ମୁମ୍ୱାଇ: କରୋନା ମୁକାବିଲା ପାଇଁ ବଲିଉଡ୍ କଳାକାର ହୃଦୟ ଖୋଲି ସହାୟତା ଅଜାଡି ଦେଉଛନ୍ତି। କୋଟି କୋଟି ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡକୁ ଦେଉଛନ୍ତି ଅନେକ ନାମୀ ଦାମୀ ବଲିଉଡ କଳାକାର। ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡ ବାଦଶାହ ଶାହରୁଖ ଖାନ୍‌। କରୋନା ସଙ୍କଟ ବେଳେ ସେ ଯେଉଁ ସାହାଯ୍ୟ କରିଛନ୍ତି ସେଥିପାଇଁ ସମସ୍ତେ ତାଙ୍କର ପ୍ରଶଂସାରେ ଶତମୁଖ।

ଶାହରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ତାଙ୍କର ୪ ମହଲା ବିଶିଷ୍ଟ କୋଠା ବିଏମସି (BMC)କୁ ଦେଇଛନ୍ତି। ଶାହରୁଖ ଏହି କୋଠାରେ କ୍ୱାରେଣ୍ଟାଇନ ସେଣ୍ଟର ଖୋଲିବା ପାଇଁ ଦେଇଛନ୍ତି ଯେଉଁଠି ବୟସ୍କ, ଶିଶୁ ଓ ମହିଳାମାନଙ୍କୁ ରଖାଯିବ।

ମୁମ୍ୱାଇ ନଗରପାଳିକା ତାର ଅଫିସିଆଲ ଟ୍ୱିଟ୍‌ର ହାଣ୍ଡେଲରୁ ଟ୍ୱିଟ୍ କରିଛନ୍ତି, ‘ଶାହରୁଖ ଖାନ ଏବଂ ଗୌରୀ ଖାନ୍‌ଙ୍କୁ ଧନ୍ୟବାଦ ଦେଉଛୁ ଯେ ସେମାନେ ତାଙ୍କର ୪ ମହଲା ବିଶିଷ୍ଟ କୋଠାକୁ (ତାଙ୍କର ଅଫିସ) ଆମକୁ ସହାୟତା କରିବା ଉଦ୍ଦେଶ୍ୟରେ ଦେଇଛନ୍ତି। ଏଠାରେ ସବୁ ପ୍ରକାର ସୁବିଧା ରହିଛି ଏବଂ ଏହା ମହିଳା, ଶିଶୁ ଏବଂ ବୟସ୍କ ଲୋକଙ୍କ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ବ୍ୟବହାର କରାଯିବ । ତାଙ୍କର ଏହି ସହାୟତା ଖୁବ୍ ବିଚାରଯୁକ୍ତ ଏବଂ ଠିକ୍‌ ସମୟରେ ମିଳିଛି ।’

ଶାହରୁଖ ଖାନ୍‌ଙ୍କର ଏପରି ସାହାଯ୍ୟ ବିଷୟରେ ବିଏମସି ସୋଶିଆଲ ମିଡିଆରେ ଶେୟାର କରିବା ପରେ ପରେ ଫ୍ୟାନ୍‌ ମାନେ ଶାହରୁଖଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି । ଏପରିକି ଟ୍ୱିଟ୍‌ରରେ #srkofficeforquarantine ଟ୍ରେଣ୍ଡ ହେବାରେ ଲାଗିଛି।

You might also like