ଅମ୍ପନ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଦୁଃଖ ପ୍ରକାଶ କଲା ବଲିଉଡ୍‌: ଶାହରୁଖ୍‌ କହିଲେ ସମସ୍ତେ ମୋ ପରିବାର

ମୁମ୍ବାଇ: ସାମୁଦ୍ରିକ ଝଡ଼ ଅମ୍ପନ ଓଡ଼ିଶା ଓ ପଶ୍ଚିମବଙ୍ଗ ଓ ବାଂଲାଦେଶରେ କ୍ଷତି ପହଞ୍ଚାଇଛି। ଏହି ଭୟଙ୍କର ଝଡ଼ ପ୍ରାୟ ୮୦ ଜଣଙ୍କ ଜୀବନ ନେଇଛି। ସେଥିମଧ୍ୟରୁ କେବଳ ପଶ୍ଚିମବଙ୍ଗରେ ୭୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଓଡ଼ିଶାର ଅନେକ ଅଞ୍ଚଳରେ ଗଛପତ୍ର ଉପୁଡ଼ି ପଡ଼ିବା ସହିତ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି। ଚାଷ ବି ନଷ୍ଟ ହୋଇଛି।

ପଶ୍ଚିମବଙ୍ଗରେ କିନ୍ତୁ ଭୟଙ୍କର କ୍ଷତି ଘଟାଇଛି ଅମ୍ପନ। ଏହି ସାମୁଦ୍ରିକ ଝଡ଼ରେ ଆଜି ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟକୁ ଅଗ୍ରୀମ ସହାୟତା ରାଶି ଘୋଷଣା କରିଛନ୍ତି। ତେବେ ଏହି ସାମୁଦ୍ରିକ ଝଡ଼ରେ ହୋଇଥିବା କ୍ଷୟକ୍ଷତି ପାଇଁ ଅନେକ ନେତା ଅଭିନେତା ଓ ସାଧାରଣ ଜନତା ଦୁଃଖ ପ୍ରକାଶ କରି ଟ୍ୱିଟ୍‌ କରିଛନ୍ତି। ଏଥିରୁ ବାଦ୍ ଯାଇ ନାହାନ୍ତି ବଲିଉଡ୍‌ ଷ୍ଟାର୍‌ ଶାହରୁଖ ଖାନ୍।

ଶାହରୁଖ୍‌ ଟ୍ୱିଟ୍ କରି ଲେଖିଛନ୍ତି “  ବାତ୍ୟା ଅମ୍ପନ୍‌ର ବିନାଶରେ ପ୍ରଭାବିତ ହୋଇଥିବା ବେଙ୍ଗଲ୍‌ ଏବଂ ଓଡ଼ିଶା ଲୋକମାନଙ୍କ ପାଇଁ ମୁଁ ପ୍ରାର୍ଥନା କରିବା ସହିତ ମୋର ସଦ୍‌ଭାବନା ଓ ଭଲପାଇବା ରହିଛି। ଏହି ଖବର ମୋତେ ଭିତରୁ ଦୁର୍ବଳ କରିଦେଇଛି। ସମସ୍ତେ ମୋ ନିଜର। ମୋ ପରିବାର ଭଳି। ଏହି ପରୀକ୍ଷା ସମୟରେ ପୁଣିଥରେ କେବେ ସାଥୀ ହୋଇ ହସିବା ପର୍ଯ୍ୟନ୍ତ ଆମେ ସମସ୍ତେ ଦୃଢ଼ ହୋଇ ରହିବା।”

କେବଳ ଶାହରୁଖ୍ ନୁହଁନ୍ତି ବଲିଉଡ୍‌ର ଡାନ୍ସିଂ ଅଭିନେତ୍ରୀ ରବୀନ ଟଣ୍ଡନ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ବାତ୍ୟାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ରବୀନା।

ସେହିଭଳି ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଭୂମି ପେଡ୍‌ନେକର ଟ୍ୱିଟ୍‌ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସମସ୍ତଙ୍କ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି।

You might also like