ସେ ହସ୍ପିଟାଲକୁ ଦେଖୁଛି, କିନ୍ତୁ ଜାଣିପାରୁନି କେଉଁ ଝରକା ଦେଇ ତମେ ଚାଲିଗଲ ଇରଫାନ୍‌

ମୁମ୍ୱାଇ: ମୁଁ ଦୂରରୁ ସେଇ ହସ୍‌ପିଟାଲକୁ ଦେଖୁଛି। ଯେଉଁଠି କାଲି ତୁମେ ଥିଲ। ହସ୍‌ପିଟାଲ୍‌ରେ କେତେ ଝରକା ଅଛି, କିନ୍ତୁ ଜାଣିପାରୁନି ତୁମେ କେଉଁ ଝରକା ଦେଇ ବାହାରି ଗଲ ଇର୍‌ଫାନ। ଏଇ ଜୀବନ ବହୁତ କିଛି ଦେଲ ତୁମେ। ଆଗକୁ ବି ତୁମ ପାଖରୁ ଅନେକ କିଛି ଶିଖିବାର ଆଶା ଅଛି। ଆମର ପୁଣିଥରେ ଦେଖା ହେବ ଇର୍‌ଫାନ ଭାଇ। ବଲିଉଡ୍‌ର ଷ୍ଟାର୍‌ ଇ‌ର୍‌ଫାନ ଖାନ୍‌ଙ୍କ ମୃତ୍ୟୁ ପର ଦିନ ତାଙ୍କ ପାଇଁ ଏମିତି  କିଛି ଲୁହ ଭରା ଶେଷ ମେସେଜ୍‌ ଲେଖିଥିଲେ ବଲିଉଡ୍‌ ଅଭିନେତା ସଞ୍ଜୟ ମିଶ୍ରା।  ଯାହା ଏବେ ଖୁବ୍‌ ଭାଇରାଲ୍ ହେଉଛି।

ବଲିଉଡର ଭେଟେରାନ ଅଭିନେତା ଇରଫାନ ଖାନ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ଆରପାରିକୁ। କିନ୍ତୁ ଇରଫାନ୍‌ ଛାଡ଼ି ଯାଇଥିବା ଅନେକ ସ୍ମୃତିକୁ ଝୁରୁଛି ବଲିଉଡ।


ଏବେ ବି ଇର୍‌ଫାନ୍‌ଙ୍କ ଲକ୍ଷ ଲକ୍ଷ ଫ୍ୟାନ୍‌ ତାଙ୍କ ବିୟୋଗକୁ ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି। ସାଧାରଣ ଜନତା ଠାରୁ ବଲିଉଡ୍ ଜଗତ ସମସ୍ତେ ସ୍ତବ୍ଦ ହୋଇଯାଇଥିଲେ ତାଙ୍କ ମୃତ୍ୟୁରେ। ଇର୍‌ଫାନ୍‌ଙ୍କ ମୃତ୍ୟୁ ଖବର ଅଭିନେତା ସଞ୍ଜୟ ମିଶ୍ରାଙ୍କୁ ବି ଏକଦମ୍‌ ଦୋହଲେଇ ଦେଇଥିଲା।

ଇରଫାନ୍‌ଙ୍କୁ ମନେପକାଇ ନିଜ ଟ୍ୱିଟ୍‌ରେ ଲେଖିଥିଲେ ଏଭଳି ଦୁଃଖଦ ମେସେଜ୍‌। ଇର୍‌ଫାନ୍‌ଙ୍କୁ ସେ ଏତେ ଭଲପାଉଥିଲେ ଯେ ଏ ଜନ୍ମ ପରେ ଆର ଜନ୍ମରେ ବି ତାଙ୍କ ସହିତ ଭେଟ ହେବାକୁ ସେ ମେସେଜ୍‌ରେ ଲେଖିଥିଲେ।

ସେ ଲେଖିଥିଲେ ‘ତୁମେ ଏହି ଯାତ୍ରାରେ ମୋତେ ବହୁତ କିଛି ଦେଇଛ, ଆଗାମୀ ଯାତ୍ରାରେ ବହୁତ କିଛି ତମଠୁ ପାଇବାକୁ ଅଛି। ପୁଣି ଥରେ ଦେଖା ହେବା ଭାଇ’।

ଆହୁରି ମଧ୍ୟ ମିଶ୍ରା କହିଛନ୍ତି ଯେ ‘ଆଜି ବି ତମର ନୂଆ ମାରୁତୀ ୮୦୦ଗାଡିରେ ପ୍ରଥମ ଡ୍ରାଇଭିଂ କଥା ମୋର ମନେପଡୁଛି। ତମେ ମତେ କହିଥିଲା ନାଁ ,  ମିଶ୍ରା ଗୋଟେ ଗୀତ ଗାଇବା ପାଇଁ’। ଆଜି ବି ସେହି ଗୀତଟି ସତ ପରି ଲାଗୁଛି। ଘୃଣାର ଏ ଦୁନିଆକୁ ଛାଡ଼ି ଭଲ ପାଇବା ଦୁନିଆରେ ଖୁସିରେ ରୁହ ମୋ ଭାଇ।”

ସଞ୍ଜୟ ମିଶ୍ରାଙ୍କର ଏହି ଟ୍ୱିଟ୍‌ରେ ଅନେକ ରିଟ୍ୱିଟ୍‌ ମଧ୍ୟ ମିଳିଛି। ତାଙ୍କର ଦୁଃଖଭରା ଏହି ଟ୍ୱିଟ୍‌ ଏବେ ଭାଇରାଲ୍ ହେଉଛି।

 

You might also like