ପିତାଙ୍କ ମୃତ୍ୟୁ ନେଇ ସମ୍ଭାବନାଙ୍କ ଆଇନଗତ ପଦକ୍ଷେପ, ପଠେଇଲେ ନୋଟିସ୍

ଟିଭି କଳାକାର ସମ୍ଭାବନା ସେଠ୍‌ଙ୍କ ପିତା ଏସ୍ କେ ସେଠ୍‌ଙ୍କ ମେ ୮ରେ କାର୍ଡିଆକ୍ ଆରେଷ୍ଟ୍ କାରଣରୁ ମୃତ୍ୟୁ ହୋଇଥିଲା। ସେ କରୋନା ପଜିଟିଭ୍ ଥିଲେ। ତାଙ୍କର ଚିକିତ୍ସା ଦିଲ୍ଲୀର ଜୟପୁର ଗୋଲ୍ଡେନ୍ ହପ୍ସିଟାଲରେ ଚାଲିଥିଲା। ପିତାଙ୍କର ମୃତ୍ୟୁ ପରେ ସମ୍ଭାବନା ହସ୍ପିଟାଲକୁ ସମ୍ପୂର୍ଣ୍ଣ ଦୋଷୀ ବୋଲି ଅଭିଯୋଗ କରିଥିଲେ। ବର୍ତ୍ତମାନ ସମ୍ଭାବନା ହସ୍ପିଟାଲକୁ ଆଇନଗତ ନୋଟିସ୍ ପଠେଇଛନ୍ତି, ଯେଉଁଥିରେ ସେ ଚିକିତ୍ସାଗତ ଅବହେଳା, ପ୍ରତିକ୍ରିୟାତ୍ମକ ଆଚରଣ ସମେତ ଡାକ୍ତରଖାନା ବିରୁଦ୍ଧରେ ଅନେକ ଅଭିଯୋଗ କରିଛନ୍ତି।

ସମ୍ଭାବନାଙ୍କ କହିବା କଥା ଯେ ସେ ଆଇନଗତ ନୋଟିସ୍ ପଠେଇ ଦେଇଛନ୍ତି ଏବଂ ସେ ଆଇନ ମୁତାବକ ଲଢିବେ ମଧ୍ୟ। ଟାଇମ୍ସ ଅଫ୍‌ ଇଣ୍ଡିଆ ସହିତ ଏକ ସ୍ୱତନ୍ତ୍ର ଆଲୋଚନାରେ ସମ୍ଭାବନା କହିଛନ୍ତି ଯେ “ମୋ ପିତାଙ୍କୁ କୋଭିଡ୍ ପଜିଟିଭ୍‌ ହେବାର ମାତ୍ର ୪ଦିନ ପରେ ଅର୍ଥାତ ୩୦ ଏପ୍ରିଲ୍‌ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା କର୍ମଚାରୀମାନେ କିଛି ରକ୍ତ ପରୀକ୍ଷା କଲେ ଏବଂ ମତେ ଆଶ୍ୱାସନା ଦେଲେ ଯେ ସେ କିଛିଦିନ ମଧ୍ୟରେ ଠିକ୍ ହୋଇଯିବେ। ତେବେ ପିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ମତେ ଲାଗୁଥିଲା ଯେ ସବୁକିଛି ଠିକ୍‌ ହୋଇଯିବ। ମତେ ଲାଗୁଥିଲା ଯେ ପିତା ଏବେ ସୁରକ୍ଷିତ।”

ସମ୍ଭାବନା ଆହୁରି ମଧ୍ୟ କହିଛନ୍ତି ଯେ “ଏହା ପରଦିନ ମୋ ଭାଇ ଯେତେବେଳେ ବାପାଙ୍କ ପାଖକୁ ଗଲା ସେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ଯେ ବାପାଙ୍କ ହାତ ବନ୍ଧା ଯାଇଥିଲା। ତାଙ୍କୁ ସେ ତୁରନ୍ତ ଖୋଲିଲା। ମେ ୭ରେ ମୋ ଭାଇ ବିଚଳିତ ହୋଇ ମତେ କହିଲା ଯେ ବାପାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଛି, ଯେତେବେଳେ କି ତାଙ୍କର ଅକ୍ସିଜେନ୍ ସ୍ତର ୯୦ ଓ ୯୫ ଭିତରେ ଥିଲା। ଏହା ଶୁଣି ମତେ ଲାଗିଲା ଯେ ନିଶ୍ଚିତ କିଛି ଗୋଟେ ଗଡବଡ ଅଛି, ତେଣୁ ତା’ ପରଦିନ ମୁଁ ଦିଲ୍ଲୀ ବାହାରିପଡିଲି।”

ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ଡାକ୍ତରଖାନା ଯାଇଥିଲି ଏବଂ ମୋ ବାପାଙ୍କ ହାତ ଓ ଗୋଡ଼ ଶଯ୍ୟାରେ ବନ୍ଧା ହୋଇଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏ ବିଷୟରେ ମୁଁ ଯେତେବେଳେ ପଚାରିଲି, ମତେ କୁହାଗଲା ଯେ କାଳେ ସେ ଅମ୍ଳଜାନ ଯୋଗାଣକୁ ହଟାଇଦେବେ ତେଣୁ ଏଥିରେ ରୋକ୍ ଦେବାନେ‍ଇ ଏଭଳି କରାଯାଇଛି। ମୋ ବାପାଙ୍କ ଯତ୍ନ ନେବାକୁ ସେଠାରେ କେହି ନ ଥିଲେ ଏବଂ ଚିକିତ୍ସା ସୁବିଧାରେ ଅଭାବ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏହି ସମସ୍ୟାକୁ ହାଇଲାଇଟ୍ କରିବା ପାଇଁ ମୁଁ ଏକ ଭିଡିଓ ସୁଟ୍ କରିଥିଲି, କିନ୍ତୁ ଡାକ୍ତରଖାନା କର୍ମଚାରୀମାନେ ମୋ ସହ ଯୁକ୍ତିତର୍କ କରିଥିଲେ ଏବଂ ଏହାକୁ ହଟାଇବାକୁ ମୋ ଉପରେ ଚାପ ପକାଇଥିଲେ।”

ସେହି ଦିନଗୁଡ଼ିକୁ ମନେ ପକେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ “ବାପାଙ୍କ ଅବସ୍ଥା ଦେଖିବା ପରେ ମୁଁ ଡାକ୍ତରଖାନାର ବରିଷ୍ଠ ଡାକ୍ତରଙ୍କୁ ଭେଟିବା ପାଇଁ ୟାଡେ ସାଡେ ବୁଲୁଥିଲି, କିନ୍ତୁ ସମସ୍ତ ଉଦ୍ୟମ ବିଫଳ ହୋଇଥିବା ପ୍ରମାଣିତ ହୋଇଥିଲା। ଶେଷରେ ଜଣେ ଡାକ୍ତର ମୋତେ ମୋ ବାପାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ। ସେ ମୋତେ କହିଥିଲେ ଯେ ତାଙ୍କ ଅବସ୍ଥାରେ ସୁଧାର ଆସିଛି ଏବଂ ସେ ତାଙ୍କର ଯତ୍ନ ନେବାକୁ ଜଣେ ସେବକ ନିଯୁକ୍ତ କରୁଛନ୍ତି।

କିନ୍ତୁ କିଛି ସମୟ ପରେ ସେ ମୋତେ କହିଲେ ଯେ ମୋ ବାପାଙ୍କର ହୃଦ୍‌ଘାତ ହୋଇଛି। ମୁଁ ବାପାଙ୍କୁ ଦେଖିବାକୁ ଚାହୁଁଥିଲି, କିନ୍ତୁ ସେ ମୋତେ ଅଟକାଇ କହିଥିଲେ ଯେ ସେମାନେ ଚେଷ୍ଟା କରୁଛନ୍ତି। କିନ୍ତୁ ସମସ୍ତ ଉଦ୍ୟମ ବିଫଳ ହେଲା ଏବଂ ମୋ ବାପାଙ୍କର ମୃତ୍ୟୁ ହେଲା। ଅଭିନେତ୍ରୀ କହିଛନ୍ତି ଯେ ଡାକ୍ତରମାନେ ଆଗରୁ ଜାଣିଥିଲେ ଯେ ତାଙ୍କର ମୃତ୍ୟୁ ହୋଇସାରିଥିଲା।”

ସମ୍ଭାବନା କହିଛନ୍ତି ଯେ “ଚିକିତ୍ସା ଜଗତ ପ୍ରତି ମୋ ମନରେ ବହୁତ ସମ୍ମାନ ରହିଛି। ସେମାନେ ନିରନ୍ତର ଲୋକମାନଙ୍କୁ ସେବା କରୁଛନ୍ତି। ତଥାପି, ଯେଉଁ ଡାକ୍ତରଖାନାରେ ବାପା ଭର୍ତ୍ତି ହୋଇଥିଲେ ସେଥିପ୍ରତି ମୋର ଏକ ଭିନ୍ନ ଅଭିଜ୍ଞତା ହେଲା। ମୋ ବାପାଙ୍କ ଚିକିତ୍ସା ସହ ଜଡିତ କିଛି ପ୍ରଶ୍ନ ଅଛି ଏବଂ ସେଥିପାଇଁ ମୁଁ ତାଙ୍କୁ ଏକ ଆଇନଗତ ନୋଟିସ୍ ପଠାଇଛି।”

You might also like