ଫ୍ୟାନ୍‌ଙ୍କ ଫୋନ ଛଡ଼ାଇ ଫଶିଗଲେ ଭାଇଜାନ୍‌

ନୂଆଦିଲ୍ଲୀ: ଏକ ଭିଡିଓକୁ ନେଇ  ବଲିଉଡ଼୍‌ ଷ୍ଟାର ସଲମାନ ଖାନ୍‌ ଏବେ ଖୁବ୍‌ ଚର୍ଚ୍ଚାରେ। ଗୋଆ ଏୟାର ପୋର୍ଟରେ ସଲମାନ୍‌ଙ୍କ ସହ ସେଲ୍‌ଫି ଉଠାଇବା ପାଇଁ ଜଣେ ଫ୍ୟାନ୍‌ ଆଗେ ଆଗେ ଯାଉଥିଲେ। ହଠାତ୍‌ ଭାଇଜାନ୍‌ ଫ୍ୟାନ୍‌ଙ୍କ ହାତରୁ ଫୋନ ଛଡ଼ାଇ ନେଲେ ଏବଂ ତାଙ୍କଠାରୁ ଆଗେ ଆଗେ ଚାଲିଲେ। ଭାଇଜାନଙ୍କର ଏପରି ବ୍ୟବହାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ତେବେ ଫ୍ୟାନ୍‌ଙ୍କୁ  ଏପରି ବ୍ୟବହାର ଦେଖାଇ ଏବେ ଫଶି ଯାଇଛନ୍ତି ଭାଇଜାନ୍। ସଲମାନଙ୍କୁ ଗୋଆ ବ୍ୟାନ୍ କରିବା ପାଇଁ ଦାବି ହୋଇଛି।  ନାଶନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ (NSUI)ଏ ନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କୁ ଚିଠି ଲେଖି କହିଛନ୍ତି ଯଦି ସଲମାନ ତାଙ୍କର ଏପରି ବ୍ୟବହାର ପାଇଁ କ୍ଷମା ନ ମାଗିବେ ତେବେ ତାଙ୍କୁ ଗୋଆ ଆସିବାକୁ ବ୍ୟାନ କରାଯିବ।

NSUIର ପ୍ରେସିଡେଣ୍ଟ  ଅହରାଜ ମୁଲ୍ଲା ସଲ୍‌ମାନଙ୍କୁ କ୍ଷମା ମାଗିବା ପାଇଁ କହି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି, ‘ମୁଁ ଆପଣଙ୍କ ନିକଟରେ ନିବେଦନ କରୁଛି ଯେ,  ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଦେଖନ୍ତୁ ଏବଂ ଅଭିନେତାଙ୍କୁ କ୍ଷମା ମାଗିବା ପାଇଁ ଦାବି କରନ୍ତୁ। କାରଣ ସେ ସର୍ବଜନୀନ ଭାବେ ଜଣେ ଫ୍ୟାନ୍‌ଙ୍କର ଅପମାନ କରିଛନ୍ତି। ଏପରି ଖରାପ ବ୍ୟବହାର କରୁଥିବା ଜଣେ ଅଭିନେତାଙ୍କୁ ଗୋଆକୁ ଆସିବାକୁ ନ ଦେବା ଉଚିତ୍‌।’

ସେହପରି ଗୋଆର ଜେନରାଲ ସେକ୍ରେଟରୀ ତଥା ପୂର୍ବତନ ସାଂସଦ ନରେନ୍ଦ୍ର ସବାଇକର ମଧ୍ୟ ସଲମାନଙ୍କ ଏପରି ବ୍ୟବହାରକୁ ନିନ୍ଦା କରିଛନ୍ତି। ଏପରି ବ୍ୟବହାର ପାଇଁ ସଲମାନ କ୍ଷମା ମାଗିବା ଉଚିତ୍‌ ବୋଲି କହିଛନ୍ତି।

ସୂଚନାଥାଉ କି, ସଲ୍‌ମାନ ନିଜ ଅପ୍‌କମିଂ ଫିଲ୍ମ ‘ରାଧେ’ର ଶୁଟିଂ ପାଇଁ ଗୋଆ ଯାଇଥିଲେ। ସେଠାରେ ତାଙ୍କୁ ଦେଖିବା ପାଇଁ ଏୟାର୍‌ପୋର୍ଟରେ ଫ୍ୟାନ୍‌ଙ୍କର ବହୁତ ଭିଡ଼ ଜମିଥିବା ବେଳେ ଜଣେ ବ୍ୟକ୍ତି ଆଗକୁ ଚାଲି ଆସି ମୋବାଇଲ୍‌ ଫୋନ୍‌ରେ ତାଙ୍କ ଫଟୋ ଉଠାଇଥିଲେ। ଏହା ଦେଖି ସଲ୍‌ମାନ୍ ରାଗି ଯାଇଥିଲେ ଓ ତାଙ୍କ ହାତରୁ ଫୋନ୍‌ଟିକୁ ଛଡ଼ାଇ ନେଇଥିଲେ। ଆଉ ଏହି ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ସଲ୍‌ମାନ୍‌ଙ୍କର ଏକ ନିୟମ ରହିଛି। ବିନା ଅନୁମତିରେ ସେ କାହାକୁ ତାଙ୍କ ଫଟୋ ଉଠାଇବାକୁ ଦିଅନ୍ତି ନାହିଁ। ଉକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ବିନା ଅନୁମତିରେ ଫଟୋ ଉଠାଇବାରୁ ସେ ରାଗିଯାଇଥିଲେ। ତେଣୁ ସଲ୍‌ମାନ୍ ତାଙ୍କ ଫୋନ୍ ଛଡ଼ାଇ ନେଇଥିଲେ। ତେବେ ତାଙ୍କର ଏଭଳି ବ୍ୟବହାରକୁ ଲୋକେ ନାପସନ୍ଦ କରିଛନ୍ତି। ତେଣୁ ସୋଶାଲ୍‌ ମିଡିଆରେ ତାଙ୍କୁ ସମାଲୋଚନା କରାଯାଉଛି। ଅବଶ୍ୟ କିଛି ଲୋକ ସଲ୍‌ମାନ୍‌ଙ୍କ ସପକ୍ଷରେ ମଧ୍ୟ ବାହାରିଛନ୍ତି। ସେମାନେ କହିଛନ୍ତି ଯେ ବିନା ଅନୁମତିରେ ପଟୋ ଉଠାଇବା ବ୍ୟକ୍ତିଗତ ଜୀବନରେ ଦଖଲ ଦେବା ସହ ସମାନ।

You might also like