ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍ ସ୍କ୍ରିନ୍ଶଟ୍ ଶେଆର୍ କଲେ ରିୟା
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଓ ତାଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ହ୍ୱାଟ୍ସଆପ୍ ସ୍କ୍ରିନ୍ଶଟ୍ ଶେଆର୍ କରିଛନ୍ତି। ଏଥିରେ ଅନେକ କଥାର ଖୁଲାସା ହୋଇଛି। ଭଉଣୀ ପ୍ରିୟଙ୍କାଙ୍କ ବ୍ୟବହାରକୁ ନେଇ ସୁଶାନ୍ତ ଚିନ୍ତା ପ୍ରକଟ କରିଥିବା ରିୟା ଶେଆର୍ କରିଥିବା ଏହି ବାର୍ତ୍ତାଳାପରେ ଜଣାପଡ଼ିଛି।
ରିୟା କହିଛନ୍ତି, ସୁଶାନ୍ତ ଭାବୁଥିଲେ ଯେ, ତାଙ୍କ ଭଉଣୀ ‘ସିଦ୍ ଭାଇ’ଙ୍କ ସହ ଚାଲ୍ବାଜି କରୁଛନ୍ତି। ହୁଏତ୍ ଏହି କଥା ସେ ତାଙ୍କ ଭଉଣୀଙ୍କ ସ୍ୱାମୀ ସିଦ୍ଧାର୍ଥ କିମ୍ବା ତାଙ୍କର(ସୁଶାନ୍ତ) ସାଙ୍ଗ ତଥା ତାଙ୍କ ରୁମ୍ମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ନେଇ କହି ଥାଇପାରନ୍ତି।
ଏହି ବାର୍ତ୍ତାଳାପରେ ସୁଶାନ୍ତ, ରିୟା, ତାଙ୍କ ଭାଇ ଶୌଭିକ୍ ଓ ତାଙ୍କ ପରିବାର ଲୋକଙ୍କୁ ବେଶ୍ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ଖାଲି ଏତିକି ନୁହେଁ ସୁଶାନ୍ତ ଆହୁରି ମଧ୍ୟ ଲେଖିଥିଲେ, ‘ତୁମ(ରିୟା) ପରିବାର ବହୁତ୍ ଭଲ। ଶୌଭିକ୍ ବହୁତ ଦୟାଳୁ। ତୁମେ ଦୟାକରି ସବୁବେଳେ ଏମିତି ହସୁଥାଅ। କାହିଁକି ନା ଏହି ହସ ତୁମକୁ ବହୁତ ଭଲ ଲାଗେ।
ସୁଶାନ୍ତ ଆହୁରି ମଧ୍ୟ ଲେଖିଥିଲେ,‘ତାଙ୍କ ଭଉଣୀ ମା’ ଶିଖାଇଥିବା କଥାର ବିପରୀତ ଦିଗରେ ଯାଇଛନ୍ତି।
ସୂଚନାଥାଉ କି, ଏହା ପୂର୍ବରୁ ରିୟା ପ୍ରିୟଙ୍କାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ତାଙ୍କୁ ଅତ୍ୟଧିକ ମଦ୍ୟପାନ କରାଇ ତାଙ୍କ ସହ ଅସଦାଚରଣ କରିଥିବା ନେଇ ରିୟା ଅଭିଯୋଗ ଆଣିଥିଲେ। ଏହାକୁ ନେଇ ସୁଶାନ୍ତ ଓ ତାଙ୍କ ଭଉଣୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା।